ପୁରୀ : ପୁରୀ ବେଳାଭୂମିରେ କୋଷ୍ଟାଲ୍ ରେଗୁଲେସନ୍ ଜୋନ୍(ସିଆରଜେଡ୍) ନିୟମକୁ ଖୋଲା ଉଲ୍ଲଂଘନ କରାଯାଇଛି । ସ୍ଥାୟୀ ନିର୍ମାଣ ନିଷିଦ୍ଧ ଥିଲେ ବି ଏହାକୁ ଉଲ୍ଲଂଘନ କରାଯାଇ ବେଳାଭୂମିକୁ ଖୋଳି କଂକ୍ରିଟ୍ ୱାଲ୍ ନିର୍ମାଣ କରାଯାଉଛି । ପ୍ରାଚୀ ହୋଟେଲ ଛକରୁ ଷ୍ଟର୍ଲିନ୍ ଛକ ପର୍ଯ୍ୟନ୍ତ ଏଭଳି ୱାଲ୍ ନିର୍ମାଣ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ଯେଉଁଠି ଜିଓ ସିନ୍ଥେଟିକ୍ ୱାଲ୍ ଲଗାଇବାର ଯୋଜନା କରାଯାଇଥିଲା, ସେଠି ଆଜି କଂକ୍ରିଟ୍ ନିର୍ମାଣ କରାଯାଉଛି । ଏହା ବେଳାଭୂମିରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିବ ବୋଲି ଅଭିଯୋଗ ଉଠିଛି । ଯାହା ଭବିଷ୍ୟତ ପିଢ଼ିଙ୍କ ପାଇଁ ବିପଦ ସାଜିବ ବୋଲି ବି ଅଭିଯୋଗ ହୋଇଛି ।
ଏଭଳି ବାରମ୍ବାର ବିପଦ ଦେଖା ଦେବା ଓ ଜଳସେଚନ ବିଭାଗ ମୁହାଣ ଖୋଳିବା ପରେ ବି ସମସ୍ୟାର ସମାଧାନ ନ ହେବାରୁ ଅତୀତରେ ସିଆରଜେଡ୍ର ଅଧିକାରୀ ଓ ଜନସେଚନ ବିଭାଗର ଅଧିକାରୀଙ୍କ ଏକ ମିଳିତ ଟିମ୍ ଏହାର ଅନୁଧ୍ୟାନ କରିଥିଲେ । ଏକାଧିକ ଥର ଅନୁଧ୍ୟାନ ପରେ ଏଠାର ଜିଓ ସିନ୍ଥେଟିକ୍ ପ୍ରାଚୀର ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ପ୍ରାୟ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ ବି କରାଯାଇଥିଲା । କିନ୍ତୁ ଏବେ ଏହି ଜାଗାରେ ପୂର୍ତ୍ତ ବିଭାଗ ପକ୍ଷରୁ ବିସ୍ତୃତ ରାସ୍ତା ନିର୍ମାଣ କରାଯାଇଛି । ପ୍ରାଚୀ ହୋଟେଲ୍ ଛକଠାରୁ ଷ୍ଟର୍ଲିନ୍ ମୁହାଣ ପର୍ଯ୍ୟନ୍ତ ଚାରିଲେନ୍ର ରାସ୍ତା ତିଆରି କରାଯାଇଛି । ପୂର୍ବରୁ ପୂର୍ତ୍ତ ବିଭାଗ ସମୁଦ୍ରର ପ୍ରାକୃତିକ ପରିବେଶର ସୁରକ୍ଷା ତଥା ଏହି ରାସ୍ତାର ସୁରକ୍ଷା ପାଇଁ ଜିଓ ସିନ୍ଥେଟିକ୍ ପ୍ରାଚୀର କରିବାକୁ ଯୋଜନା କରିଥିଲା । କିନ୍ତୁ ଏବେ ଜାଣିଶୁଣି ପ୍ରାକୃତିକ ପରିବେଶକୁ ନଷ୍ଟ କରିଦେବାକୁ ଯୋଜନା ଚାଲିଛି । ଏଠାରେ ଜିଓ ସିନ୍ଥେଟିକ୍ ପ୍ରାଚୀର ବଦଳରେ ଠିକାଦାରଙ୍କୁ ସୁହାଇଲା ଭଳି କଂକ୍ରିଟ୍ ପ୍ରାଚୀର ନିର୍ମାଣ କରାଯାଉଛି ।
ଏଥିପାଇଁ ପ୍ରାଚୀ ହୋଟେଲ୍ ଛକରୁ ଷ୍ଟର୍ଲିନ୍ ଛକ ପର୍ଯ୍ୟନ୍ତ ଖନନ ସହ କଂକ୍ରିଟ୍ ୱାଲ୍ ନିର୍ମାଣ ଜାରି ରହିଛି । ଏ ବାବଦକୁ ପୂର୍ତ୍ତ ବିଭାଗ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି । ଠିକାଦାର ବି ଟେଣ୍ଡର ପାଇବା ପରେ ମନଇଛା ବେଳାଭୂମିକୁ ଖୋଳି ଲୁହା ଛଡ଼, ଗୋଡ଼ି, ବାଲି, ସିମେଣ୍ଟ ଦେଇ କଂକ୍ରିଟ୍ ପ୍ରାଚୀର ତିଆରି କରିବାରେ ଲାଗିପଡ଼ିଛନ୍ତି ।
ସିଆରଜେଡ୍ର ଏକ ନମ୍ବର ଜୋନ୍ରେ ଏହି ଅଞ୍ଚଳ ଆସୁଥିବାବେଳେ କେଉଁ ପରିସ୍ଥିତିରେ ଏଭଳି କଂକ୍ରିଟ୍ ନିର୍ମାଣ କରାଯାଉଛି ବୋଲି ପରିବେଶବିତ୍ମାନେ ପ୍ରଶ୍ନ କରିଛନ୍ତି । ଜୋର ଜବରଦସ୍ତ ଏଭଳି କାର୍ଯ୍ୟ କେବଳ ସମୁଦ୍ରର ପ୍ରାକୃତିକ ଗତିପଥକୁ ଅବରୋଧ କରିବନି, ଅନେକ ନକରାତ୍ମକ ପ୍ରଭାବ ପକାଇବ ବୋଲି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ମୁଖ୍ୟଯନ୍ତ୍ରୀ ଇଂ. ଅଜିତ ମହାପାତ୍ର କହିଛନ୍ତି, ପୂର୍ବରୁ ଏହି ଜାଗାରେ ଜିଓ ସିନ୍ଥେଟିକ୍ ୱାଲ୍ କରିବାକୁ ଯୋଜନା ଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଜିଓ ସିନ୍ଥେଟିକ୍ର ଭଲ କ୍ବାଲିଟି ୱାଲ୍ ମିଳୁନି । ଏଣୁ କେବଳ ନବନିର୍ମିତ ରାସ୍ତାରୁ ଯେଭଳି ବାଲି, ମାଟି ନ ଧସିବ, ସେଥିପାଇଁ କଂକ୍ରିଟ୍ ୱାଲ୍ ନିର୍ମାଣ କରାଯାଉଛି । ସେତେ ବଡ଼ ଧରଣର କାମ କରାଯାଉନି ବୋଲି ଇଂ. ମହାପାତ୍ର କହିଛନ୍ତି ।
