ଜେମାଦେଇପେଣ୍ଠ : ଗୋଟିଏ ପଟେ ଓଡ଼ିଶାର ଭୌଗୋଳିକ ମାନଚିତ୍ରକୁ ଖଣ୍ଡ ବିଖଣ୍ଡିତ କରିବାର ଷଡ଼ଯନ୍ତ୍ର, ଜମି, ଜଳ, ଜଙ୍ଗଲ ସବୁଥିରେ ବିବାଦ ଛିଣ୍ଡୁ ନ ଥିବାବେଳେ ଏବେ ସୀମାନ୍ତରେ ମାତୃଭାଷା ଉପରେ ପଡ଼ିଶାର ଲୋଲୁପ ନଜର । ସୀମାନ୍ତରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଦଳି ସୀମାରେ କର୍ତ୍ତୃତ୍ବ ଜାହିର କରିବାର ଅଭିପ୍ରାୟ । ସର୍ବଦା ବୈମାତୃକ ମନୋଭାବ ପୋଷଣ କରୁଥିବା ଆନ୍ଧ୍ର ନୂଆ କରି ସୃଷ୍ଟି କରିଥିବା ମାନ୍ୟମ ଜିଲାରୁ ଓଡ଼ିଆ ଭାଷା ତଥା ବିଦ୍ୟାଳୟକୁ ଉଚ୍ଛେଦ କରିବା ଆରମ୍ଭ କରିଛି । କିଛିଦିନ ତଳେ ଉଭୟ ରାଜ୍ୟର ନିଜର ଭାଷା ସଂସ୍କୃତିକୁ ସୀମାନ୍ତରେ ସମ୍ମାନ ଦେବା ସହ ବଞ୍ଚାଇ ରଖିବାକୁ ଚୁକ୍ତି କରିଥିଲେ ମଧ୍ୟ ନିଜ ପ୍ରତିଶ୍ରୁତିକୁ ଭୁଲିଯାଇଛି ଆନ୍ଧ୍ର । ସୀମାନ୍ତରେ ଥିବା ବିଦ୍ୟାଳୟଗୁଡ଼ିକରେ ଉଭୟ ରାଜ୍ୟ ଶିକ୍ଷକ ନିଯୁକ୍ତି ସାଙ୍ଗକୁ ପାଠ୍ୟପୁସ୍ତକ ଯୋଗାଣ ପାଇଁ ସଚିବ ସ୍ତରରେ କଥାବାର୍ତ୍ତା ହୋଇଥିଲା ।
ଓଡ଼ିଶା ପ୍ରଶାସନ ତେଲୁଗୁ ଭାଷା ଓ ସଂସ୍କୃତିକୁ ସମ୍ମାନ ଜଣାଇବା ସହ ଅଧ୍ୟୟନ କରୁଥିବା ତେଲୁଗୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି ନିମନ୍ତେ ସୀମାନ୍ତ ଅଞ୍ଚଳରେ ଶିକ୍ଷକ ନିଯୁକ୍ତି ସାଙ୍ଗକୁ ତେଲୁଗୁ ପାଠ୍ୟ ପୁସ୍ତକ ବାଣ୍ଟିବା ଆରମ୍ଭ କରିଛି । ଶିକ୍ଷା ବର୍ଷ ଆରମ୍ଭରେ ଓଡ଼ିଶା ପ୍ରତିଶ୍ରୁତି ରଖିଥିଲାବେଳେ ଆନ୍ଧ୍ର ପ୍ରତିଶ୍ରୁତି ପାଳନ କରିବ କ’ଣ; ପାଲଟା ଓଡ଼ିଆ ଭାଷାର ପାଠ୍ୟ ପୁସ୍ତକ ବାଣ୍ଟିବା ତ ଦୂରର କଥା ନିଯୁକ୍ତି ପାଇଥିବା ଓଡ଼ିଆ ଶିକ୍ଷକ କିମ୍ବା ଅବସର ପରେ ଖାଲି ପଡ଼ିଥିବା ସ୍ଥାନରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତ ନ ଦେଇ ତେଲୁଗୁ କିମ୍ବା ହିନ୍ଦୀ ଭାଷାର ଶିକ୍ଷକ ନିଯୁକ୍ତିକୁ ଅଗ୍ରାଧିକାର ଦେଉଛି । ସୀମାନ୍ତ ରାୟଗଡ଼ା ଜିଲା ପ୍ରଶାସନ ପକ୍ଷରୁ ୧୪ ଜଣ ତେଲୁଗୁ ଭାଷା ଶିକ୍ଷକ ଭିନ୍ନ ଭିନ୍ନ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲାବେଳେ ଆନ୍ଧ୍ରରେ ଓଡ଼ିଆ ବିଦ୍ୟାଳୟ କିମ୍ବା ବହୁ ଭାଷୀ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନାହାନ୍ତି ।
ମାନ୍ୟମ୍ ଜିଲାର ସଦର ମହକୁମା ପାର୍ବତୀପୁରମର ଜଗନ୍ନାଥପୁରରେ ଥିବା ଏକମାତ୍ର ଓଡ଼ିଆ ବିଦ୍ୟାଳୟକୁ ଆନ୍ଧ୍ର ପ୍ରଶାସନ ବନ୍ଦ କରିଦେଇଛି । ଏଠାରେ ଥିବା ଆନ୍ତଃ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଓଡ଼ିଆ ଅଧ୍ୟାପକ ପଦକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଉଚ୍ଛେଦ କରି ଦେଇଛନ୍ତି । ପୁଣି ଏହି କିଛିଦିନ ପୂର୍ବରୁ ସାଲୁରରେ ଥିବା ଆଉ ଏକ ଓଡ଼ିଆ ବିଦ୍ୟାଳୟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଧ୍ର ସରକାର ବନ୍ଦ କରିଦେଇଛି । ନୂଆ କରି ସୃଷ୍ଟି କରିଥିବା ମାନ୍ୟମ ଜିଲାରେ ଓଡ଼ିଆ ଭାଷା ଓ ବିଦ୍ୟାଳୟକୁ ଆନ୍ଧ୍ର ଏକ ପ୍ରକାର ଉଚ୍ଛେଦ କରି ଦେଇଛି । ପୁଣି ବିଶାଖାପାଟଣା ଶ୍ରୀକାକୁଲମ ଓ ମାନ୍ୟମ ଜିଲାରେ ବହୁଭାଷୀ ତଥା ପ୍ରାଥମିକ ବିଦ୍ୟାଳୟକୁ ମିଶାଇ ୨୦୦ ଓଡ଼ିଆ ବିଦ୍ୟାଳୟ ଅଛି । ଏହି ବିଦ୍ୟାଳୟ ଗୁଡିକରେ ୬୦୦ ଶିକ୍ଷକ ପଦ ଖାଲି ପଡିଥିଲା ବେଳେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଅନେକ ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଛନ୍ତି ା
ଅନେକ ବିଦ୍ୟାଳୟରେ ଶିକ୍ଷକ ପଦ ଖାଲି ପଡ଼ିଛି । ଏପଟେ ଓଡ଼ିଶାରେ ସୀମାନ୍ତ ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସୀମାନ୍ତ ଜିଲା ଗୁଡ଼ିକରେ ୪୧ଟି ତେଲୁଗୁ ମାଧ୍ୟମ ବିଦ୍ୟାଳୟ ଅଛି । ଏହି ବିଦ୍ୟାଳୟରେ ଶିକ୍ଷା ସହାୟକ ଭାବେ ୧୩୯ ଜଣ ଶିକ୍ଷକ ନିଯୁକ୍ତି ପାଇଥିଲା ବେଳେ ୧୭୮ ଜଣ ସ୍ଥାୟୀ ଶିକ୍ଷକ ଭାବେ ଭିନ୍ନ ଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି । ସବୁ ଶ୍ରେଣୀ ଓ ସବୁ ବର୍ଗ ପାଇଁ ପ୍ରଶାସନ ଉଦ୍ୟମରେ ପାଠ୍ୟ ପୁସ୍ତକ ଯୋଗାଇ ଦେଉଥିଲାବେଳେ ଆନ୍ଧ୍ର ପ୍ରଶାସନ ନିଜ ପ୍ରତିଶ୍ରୁତିରୁ ଓହରି ଯାଇ ସୀମାନ୍ତ ଓଡ଼ିଆ ପିଲାଙ୍କ ଭବିଷ୍ୟତ ଓ ଓଡ଼ିଆଙ୍କ ଭାବାବେଗ ସହ ଖେଳ ଖେଳିବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ ହେଉଛି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କ ପ୍ରତିକ୍ରିୟା ନେବାରୁ ଭାଷା ଓ ସଂସ୍କୃତିକୁ ଉଭୟ ସୀମାନ୍ତ ରାଜ୍ୟ ସମ୍ମାନ ଦେବା କଥା । ଆନ୍ଧ୍ରରେ ଓଡ଼ିଆ ବିଦ୍ୟାଳୟ ବନ୍ଦ ହେବା ଓ ଶିକ୍ଷକ ନିଯୁକ୍ତିକୁ ସେଠାକାର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ନ ଦେବା ନିହାତି ଚିନ୍ତାଜନକ । ତଥାପି ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି କିପରି ଆନ୍ଧ୍ର ସୀମାନ୍ତ ଜିଲାରେ ଥିବା ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇପାରିବେ ସେ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି ା
