ବାଲି ମାଫିଆଙ୍କ ଆତଙ୍କରାଜ : ଆକ୍ରମଣରେ ଅତିରିକ୍ତ ତହସିଲଦାର, ୨ ଆର୍‌ଆଇ ଆହତ

ଗଞ୍ଜାମ : ବାଲି ମାଫିଆଙ୍କ ଆକ୍ରମଣରେ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭ‌େନ୍ଦୁ କୁମାର ଜେନା ଓ ୨ ଜଣ ଆର୍‌ଆଇ (ରାଜସ୍ବ ନିରୀକ୍ଷକ) ଗୁରୁତର ଆହତ ହୋଇଛନ୍ତି । ୨ ଜଣ ଆର୍‌ଆଇ ‌ହେଲେ; ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା । ଅନ୍ୟଜଣେ ଆର୍‌ଆଇ ଭାସ୍କର ସାହୁ ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି । ଅତିରିକ୍ତ ତହସିଲଦାର ଶ୍ରୀ ସାହୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଓ ଥାନା ଅଧୀନ କାଇଞ୍ଚପୁର ପଞ୍ଚାୟତ ମାଳିଜଗନ୍ନାଥପୁର ଗ୍ରାମରେ ଏହିଭଳି ଏକ ଘଟଣା ଘଟିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବାଲିମାଫିଆଙ୍କ ଦୌରାତ୍ମ୍ୟ କିଭଳି ବଢ଼ିଚାଲିଛି, ଏହା ହେଉଛି ତାହାର ଆଉ ଏକ ଉଦାହରଣ । ପୂର୍ବରୁ ଯାଜପୁର ଜିଲ୍ଲ‌ାରେ ବି ସମାନ ଧରଣର ଘଟଣା ଘଟିଥିଲା ।

ସୂଚନାନୁସାରେ, ମାଳିଜଗନ୍ନାଥପୁର ଗ୍ରାମରୁ ଚାରିଟି ଟିପର୍‌ରେ ଆନ୍ଧ୍ରକୁ ଓ ପାଞ୍ଚଟି ଟ୍ରାକ୍ଟର୍‌ରେ ଗଞ୍ଜାମ ବ୍ଲକ୍‌ର ବିଭିନ୍ନ ଅଞ୍ଚଳକୁ ବାଲି ଚୋରାଚାଲାଣ ହେଉଥିବା ସୂଚନା ମିଳିଥିଲା । ରାତି ୩ଟା ସମୟରେ ଅତିରିକ୍ତ ତହସିଲଦାର ଶ୍ରୀ ଜେନାଙ୍କ ନେତୃତ୍ବରେ ରାଜସ୍ବ ବିଭାଗର ଏକ ଟିମ୍‌ ବାଲି ରାମ୍ପ୍‌ ଉପରେ ଚଢ଼ଉ କରି ଗାଡ଼ି ଜବତ ପାଇଁ ଉଦ୍ୟମ କରୁଥିଲେ । ଏହିସମୟରେ ସେଠାରେ ଲୁଚି ରହିଥିବା ବାଲି ମାଫିଆ ଓ ସମର୍ଥକମାନେ ଅତିର୍କିତ ଆକ୍ରମଣ କରିଥିଲେ । କାଠ ଫାଳିଆ ଓ ଝାଉଁକାଠରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥି‌ଲେ । ଆକ୍ରମଣକାରୀ ତାଙ୍କର ଦୁଇଭରି ଓଜନର ଏକ ସୁନା ଚେନ୍, ଏକ ମୁଦି, ମନିପର୍ସ ସମେତ ତାଙ୍କ‌ ଆଇଫୋନ୍ ମଧ୍ୟ ନେଇଯାଇଥିଲେ । ତଥାପି ଶ୍ରୀ ଜେନା ଜୀବନ ବଞ୍ଚାଇବା ଲାଗି ନଦୀବାଲିରେ ଘୋଷାଡ଼ି ଘୋଷାଡ଼ି ଚାଲି କରପଡ଼ା ଗ୍ରାମରେ ପହଞ୍ଚିଥିଲେ ଏବଂ ସେଠାରେ ଅଚେତ ହୋଇ ପଡ଼ିଯାଇଥିଲେ । ସେହିପରି ଅନ୍ୟ ଦୁଇଜଣ ରାଜସ୍ବ ନିରୀକ୍ଷକ ସୀତାରାମ ସାହୁ ଓ ସୁଶାନ୍ତ ବେହେରାଙ୍କୁ ମଧ୍ୟ କାଠଫାଳିଆ ସମେତ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଓ ତାଙ୍କ ସମର୍ଥକ । ଉଭୟ ପ୍ରାଣବିକଳରେ ଅନ୍ଧାରରେ ଦୌଡ଼ି ପଳାଇଥିବାବେଳେ ଆଉ ଜଣେ ରାଜସ୍ବ ନିରୀକ୍ଷକ ଭାସ୍କର ସାହୁ ବୁଦାମୂଳେ ଲୁଚିଯିବାରୁ ରକ୍ଷା ପାଇଯାଇଥିଲେ ।

ଏହି ଘଟଣା ପ୍ରଘଟ ହେବା କ୍ଷଣି ଗଞ୍ଜାମ ଥାନାଧିକାରୀ ସ୍ବରୂପ କିଷାନଙ୍କ ନେତୃତ୍ବରେ ଏକ ଟିମ୍ କରପଡ଼ାରେ ପହଞ୍ଚି ଅତିରିକ୍ତ ତହସିଲଦାରଙ୍କୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା ପାଇଁ ଛତ୍ରପୁର ଡାକ୍ତରଖାନାକୁ ପଠାଇଥିଲା । ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରାଜସ୍ବ ନିରୀକ୍ଷକ ସୀତାରାମ ଓ ସୁଶାନ୍ତ ଛତ୍ରପୁର ଡାକ୍ତରଖାନା ଏବଂ ଭାସ୍କର ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ଅନ୍ୟପକ୍ଷରେ, ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲା । ଖବର ଲେଖାଯିବା ସୁଦ୍ଧା, ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେପଟେ ଗଞ୍ଜାମ ଅତିରିକ୍ତ ଏସ୍‌.ପି. ଠାକୁର ପ୍ରସାଦ ପାତ୍ର ଓ ଛତ୍ରପୁର ଏସଡ଼ିପିଓ ଗୌତମ କିଷାନ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଏହି ଘଟଣାପରେ ମାଳିଜଗନ୍ନାଥପୁର ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *