ସ୍ମାର୍ଟସିଟି ବସ୍ତିରେ ବିକ୍ରି ହେଉଛି ପାଣି : ମିନିଟ୍ ପିଛା ୨ ଟଙ୍କା, ମାସକୁ ୫୦୦

ରାଉରକେଲା : ବୋତଲ ଓ ପାଉଚ୍‌ରେ ପାଣି ବିକ୍ରିହେବା ଏକ ସମୟରେ କଳ୍ପନା କରି ହେଉ ନଥିଲେ ହେଁ ବର୍ତ୍ତମାନ ତାହା ସାଧାରଣ ହୋଇ ଯାଇଛି । ତେବେ ବୋରିଂ କରି ବା ଅନ୍ୟ ଉପାୟରେ ଟାଙ୍କିରେ ଜମାକରି ପିଇବା ପାଣି ବିକ୍ରିହେବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ । ପାଣି କିଣିବାକୁ ଇଚ୍ଛୁକ ଗ୍ରାହକ ନିଜ ଖର୍ଚ୍ଚରେ ନିଜ ଘରକୁ ପାଇପ୍‌ ‘କନେକ୍ସନ’ ନେଇଛନ୍ତି ଓ ସେହି ପାଇପ୍‌ ବାଟେ ପାଣି ବିକାଳି ପାଉଣା ଅନୁସାରେ ନିର୍ଦ୍ଦଷ୍ଟ ସମୟରେ ପାଣି ଛାଡୁଛନ୍ତି । ତା’ର ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦର ରଖା ଯାଇଛି- ମିନିଟ୍ ପିଛା ପାଣି ଯୋଗାଣର ମୂଲ୍ୟ ୨-୩ ଟଙ୍କା । ପରିଚିତ ଓ ପୁରୁଣା ବା ନିୟମିତ ଗ୍ରାହକଙ୍କ ପାଇଁ ଅଲଗା ମାସିକ ଦର ରହିଛି । ଏଭଳି ଦୃଶ୍ୟ ବର୍ଷ ବର୍ଷ ଧରି ଦେଖିବାକୁ ମିଳୁଛି ରାଉରକେଲାର ଅନେକ ବସ୍ତିରେ । ଆଧୁନିକ ଇସ୍ପାତସହରର ଚାକଚକ୍ୟ ଓ ବିଶ୍ବସ୍ତରୀୟ ସ୍ମାର୍ଟସିଟି ସ୍ବୀକୃତିର ଆଢ଼ୁଆଳରେ ପିଇବା ପାଣି ଭଳି ମୌଳିକ ଆବଶ୍ୟକତା ଆଜିମଧ୍ୟ ସାଧାରଣ ଲୋକଙ୍କ ପାଇଁ କିଭଳି ଅପହଞ୍ଚ ହୋଇ ରହିଛି, ତାହା ପ୍ରମାଣିତ ହେଉଛି ।

ଖରା ବଢ଼ିବା ସହିତ ଇସ୍ପାତ ସହରର ଜଳ କଷ୍ଟ ମଧ୍ୟ ବଢ଼ିବାରେ ଲାଗିଛି । ଖରା କଷ୍ଟଠାରୁ ଜଳ କଷ୍ଟ ବଳି ଯାଉଛି । ବିଶେଷକରି ରାଉରକେଲାର ଅନେକ ବସ୍ତିରେ ଏ ସମସ୍ୟା ଟାଣଖରାରେ ପୂର୍ବ ଅପେକ୍ଷା ଆହୁରି ଜଳଜଳ ହୋଇ ସ୍ପଷ୍ଟ ଦିଶୁଛି । ରାଉରକେଲା ମହାନଗରର ୧୩ ନମ୍ବର ଓ୍ବାର୍ଡକୁ ଏକ ଉଦାହରଣ ରୂପେ ନିଆ ଯାଇପାରେ । ଏହି ଓ୍ବାର୍ଡରେ ଟିମ୍ବର କଲୋନି, ଗୋପବନ୍ଧୁପାଲି, ଆନନ୍ଦଧାମ ବସ୍ତି, ଚନେୟା ବସ୍ତି, ଲୋହରାପଡ଼ା ବସ୍ତି, ବଙ୍ଗାଳୀପଡ଼ା ଓ ତେଲିପଡ଼ା ଆଦି ବସ୍ତି ରହିଛି । ଏଗୁଡ଼ିକରେ ୨୦ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ସମସ୍ତେ ପାଣି ଟିକକ ପାଇଁ ଡ଼ହଳବିକଳ ହେଉଛନ୍ତି । ଏହାର ସୁଯୋଗ ନେଇ କିଛି ଲୋକ ବୋରିଂ କରି ଆଖପାଖରେ ରହୁଥିବା ଲୋକଙ୍କ ଘରକୁ ପାଣି ଯୋଗାଣ କରୁଛନ୍ତି । ଏହିସବୁ ବସ୍ତି ଅଞ୍ଚଳରେ ବର୍ତ୍ତମାନ ୧୦ ରୁ ଅଧିକ ଲୋକ ଏଭଳି ପାଣି ବ୍ୟବସାୟ କରୁଥିବାର ଜଣା ପଡ଼ିଛି । କେବଳ ଚଳିତ ବର୍ଷ ନୁହେଁ, ଅନେକ ବର୍ଷ ତଳୁ ଏହି ବସ୍ତିଗୁଡ଼ିକରେ ଏଭଳି ପାଣି ବ୍ୟବସାୟ ଚାଲିଛି । କିନ୍ତୁ ପ୍ରଶାସନ ପାଣି ସମସ୍ୟାର ସମାଧାନ କରି ପାରିନାହିଁ । ଏହା ଭିତରେ ରାଉରକେଲା ସ୍ମାର୍ଟସିଟିର ମାନ୍ୟତା ପାଇଲାଣି । କିନ୍ତୁ ପାଣିକୁ ନେଇ ବସ୍ତିଗୁଡ଼ିକର ଡ଼ହଳବିକଳ ଏବେ ମଧ୍ୟ ଶେଷ ହୋଇନାହିଁ । ଅନ୍ୟପକ୍ଷରେ ଲୋକଙ୍କର ଆବଶ୍ୟକତା ଥିବାରୁ ପାଣି ବିକ୍ରିକୁ ଏକ ଅପରାଧ ବୋଲି କହି ହେବନାହିଁ ।

ଅନେକ ଅପେକ୍ଷା ପରେ ଅର୍ବାନ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଡ଼େଭେଲପମେଣ୍ଟ ସ୍କିମ୍ ଫର୍ ସ୍ମଲ୍‌ ଆଣ୍ଡ ମିଡ଼ିୟମ୍ ଟାଉନ୍ସ (ୟୁଆଇଡ଼ିଏସ୍‌ଏସ୍‌ଏମ୍‌ଟି) ଯୋଜନାରେ ଟିମ୍ବର କଲୋନିରେ ୨ ଲକ୍ଷ ୫୦ ହଜାର ଲିଟର ପାନୀୟଜଳ ପ୍ରକଳ୍ପ ଗତ ଉତ୍କଳ ଦିବସରେ ଶୁଭାରମ୍ଭ ହୋଇଥିଲା । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସେଥିରେ ମୁଖ୍ୟ ଅତିଥି ଥିଲେ, ଥିଲେ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ । ଏହିଭଳି ୧୨ଟି ସ୍ଥାନରେ ୮୯.୭୯ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ କରାଯାଇଥିଲା । ଲୋକଙ୍କୁ ୨୪ ଘଣ୍ଟିଆ ଜଳ ଯୋଗାଇବାର ଘୋଷଣା ଯାଇଥିଲା । ଆରମ୍ଭ ହେବାର ୧୦-୧୫ ଦିନ ଯାଏ ସକାଳ ଓ ସନ୍ଧ୍ୟା-ଦୁଇଓଳି ପାଣି ଆସିଲା । ତେବେ ପାଇପ୍ ସଂଯୋଗ ଠିକ୍ ଭାବରେ ହୋଇନଥିବାରୁ ପାଣି ବାହାରି ରାସ୍ତାଘାଟରେ ବର୍ଷାଦିନ ଭଲି ପରିସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଅନେକ ବର୍ଷ ପରେ ପାଣି ମୁନ୍ଦେ ପାଉଥିବାରୁ ତା’କୁ ନେଇ ସ୍ଥାନୀୟ ଲୋକଙ୍କର ଅଭିଯୋଗ ନଥିଲା । କିନ୍ତୁ କିଛି ଦିନ ପରେ ପାଣି ଆସିବା ସଂପୂର୍ଣ୍ଣ ଠପ୍ ହୋଇଗଲା । ସେବେଠାରୁ ପ୍ରକଳ୍ପ ଅକାମୀ ହୋଇ ପଡ଼ିଛି ।

ଏନେଇ ଟିମ୍ବର କଲୋନିର ଜଣେ ଲୋକ ‘ସମ୍ବାଦ’କୁ କହିଲେ, ‘‘ଆମ ପରିବାର ଏଠାରେ ୫୦ ବର୍ଷରୁ ଅଧିକ ସମୟ ଧରି ରହିଆସୁଛି । ରହିବା ଦିନଠାରୁ ପାଣି ସମସ୍ୟା ଲାଗିରହିଛି । ପ୍ରାୟ ୨୦୧୦ ମସିହାରୁ ଆମେ ପାଣି କିଣୁଛୁ । ପ୍ରଥମେ ମାସକୁ ୧୦୦ ଟଙ୍କା ନେଉଥିଲେ, ତା’ପରେ ୧୫୦ ଟଙ୍କା ଦେଲୁ, ଆଜି ଆସି ୫୦୦ ଟଙ୍କାରେ ପହଞ୍ଚିଲାଣି । ଆମେ ପୁରୁଣା ଗ୍ରାହକ ବୋଲି ମାସିକ ହିସାବରେ ଟଙ୍କା ଦେଉଛୁ । ଏବେ ‘କନେକ୍ସନ୍’ ନେଲେ ମିନିଟ୍ ହିସାବରେ ଟଙ୍କା ଦେବାକୁ ପଡ଼ୁଛି । ଗ୍ରାହକ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ପାଇପ୍ ପକାଇବ ଓ କେତେ ମିନିଟ୍ ପାଣି ଆବଶ୍ୟକ ତାହା ପୂର୍ବରୁ କହିବାକୁ ପଡ଼ିବ । ସେହି ଅନୁସାରେ ପାଣି ମାଲିକ ଚାବି ଖୋଲିବ ।’’

Leave a Reply

Your email address will not be published. Required fields are marked *