ଏଲ୍‌ଇଡି ଲାଇଟ୍‌ର ମାତ୍ରାଧିକ ବ୍ୟବହାରର କୁପ୍ରଭାବ ପଡ଼ୁଛି ଚାଷ ଉପରେ

ଅତାବିରା : ଏଲ୍‌ଇଡି ଲାଇଟ୍‌ର ମାତ୍ରାଧିକ ବ୍ୟବହାରର କୁପ୍ରଭାବ ଚାଷବାସ ଉପରେ ପଡ଼ୁଛି । ଏଲ୍‌ଇଡି ଆଲୁଅ ପଡ଼ୁଥିବା ସ୍ଥାନରେ ଧାନ ବଢ଼ି ପାରୁନାହିଁ । ବରଗଡ଼ ଜିଲ୍ଲା ଅତାବିରା ଭଳି କୃଷିଭିତ୍ତିକ କ୍ଷୁଦ୍ର ସହରାଞ୍ଚଳରେ ଏହାର ପ୍ରଭାବ ଚାଷୀଙ୍କ ଚିନ୍ତା ବଢ଼ାଇଛି । ଏଭଳି ସ୍ଥିତିରେ କୃଷି କ୍ଷେତ୍ର ସଂଲଗ୍ନ ରାସ୍ତାରେ ଷ୍ଟିଟ୍‌ ଲାଇଟ୍‌ ବଦଳରେ ବିକଳ୍ପ ବ୍ୟବସ୍ଥା କରିବାକୁ କୃଷି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ବର୍ତ୍ତମାନ ସହରାଞ୍ଚଳରେ ଷ୍ଟ୍ରିଟ ଲାଇଟ ସଂଖ୍ୟା ବଢ଼ି ଚାଳିଛି । ଗ୍ରିନ ଫିଲ୍‌ଡ ଯୋଜନାରେ ରାଜ୍ୟର ସମସ୍ତ ଏନ୍ଏସି, ମ୍ୟୁନସିପାଲଟି ଅଂଚଳରେ ଏଲ୍‌ଇଡି ଷ୍ଟ୍ରିଟ ଲାଇଟ୍‌ ଲାଗିଛି । ହେଲେ ସୁନ୍ଦର ଆଲୋକୀକରଣ ବ୍ୟବସ୍ଥା ଯେ ରାସ୍ତା ସଂଲଗ୍ନ ଧାନ କିଆରି ପାଇଁ ବିପଦ ସୃଷ୍ଟି କରିବ, ତାହା କଳ୍ପନା ବାହାରେ ।

ଏଲ୍‌ଇଡି ଲାଇଟ୍‌ ଧାନ ଚାଷୀ ପାଇଁ କାଳ ହେଉଛି । ଲାଇଟ୍‌ ଆଲୁଅ ପଡ଼ୁଥିବା ଅଂଚଳରେ ଧାନ ଗର୍ଭଧାରଣ କରିପାରୁନି । ବିଦ୍ୟୁତ ଖୁଣ୍ଟରୁ ପାଖାପାଖି ୮ ରୁ ୧୫ ଫୁଟ୍ ମଧ୍ୟରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି । ସାଧାରଣତଃ ଧାନ କେଣ୍ଡା ୫ ରୁ ୧୦ ଇଞ୍ଚ ଲମ୍ବର ଧାନ ହୋଇଥାଏ । କିନ୍ତୁ ଏଲ୍‌ଇଡି ଲାଇଟ୍‌ ଆଲୁଅ ପଡ଼ୁଥିବା ଇଲାକାରେ ଧାନ କେଣ୍ଡା ୨/୩ ଇଞ୍ଚ ଲମ୍ବ ହେଉଥିବା ଦେଖିବାକୁ ମିଳୁଛି । ଏଲ୍‌ଇଡି ଲାଇଟ୍‌ ଯୋଗୁଁ ରାତିରେ ଚକଡ଼ା ପୋକ ବଢ଼ୁଛି । ଚକଡ଼ାରୁ ମୁକ୍ତି ଏବଂ ଧାନକୁ ବଞ୍ଚାଇବା ପାଇଁ ଖୁଣ୍ଟ ଉପରେ ଚଢ଼ି ଚାଷୀ ବଲ୍‌ବରେ ବସ୍ତା ଘୋଡ଼ାଉଛନ୍ତି । ଅତାବିରା ଏନ୍ଏସି ରେଳୱେ ଷ୍ଟେସନ ରାସ୍ତାରେ ଚାଷ କରୁଥିବା ଚାଷୀ ବୀରେନ୍ଦ୍ର ପ୍ରଧାନ ଓ କିଛି ଚାଷୀଙ୍କ ସହାୟତାରେ ଖୁଣ୍ଟରେ ବସ୍ତା ଘୋଡ଼ାଯାଇଛି । ବୁଗବୁଗା ପଂଚାୟତ ଗରିଆଟିକ୍ରା ଗ୍ରାମରେ ମଧ୍ୟ ଚାଷୀମାନେ ଅନୁରୂପ ପନ୍ଥା ଆପଣେଇଛନ୍ତି । ଲାଇଟ୍‌ ଖୁଣ୍ଟ ଉପରକୁ ବସ୍ତା ଘୋଡ଼ାଇବାକୁ ଚଢ଼ିଲା ବେଳେ ଖୁଣ୍ଟର ଶୀର୍ଷ ବଙ୍କା ହୋଇପଡ଼ୁଛି । ମୂଳରେ କଂକ୍ରିଟ କାମ ନିମ୍ନମାନର ଥିବାରୁ ଖୁଣ୍ଟଗୁଡ଼ିକ ଢଳି ଯାଇଛି ।

ସାମାଜିକ କର୍ମୀ ରାଜେଶ ଅଗ୍ରୱାଲ କୁହନ୍ତି, ଏଲ୍‌ଇଡି ଲାଇଟ୍‌ର କ୍ଷତିକାରକ ବିକିରଣ ଯୋଗୁଁ ବହୁ ଚାଷୀ ପ୍ରଭାବିତ ହେ‌ଉଛନ୍ତି । ସ୍ବାସ୍ଥ୍ୟ ପ୍ରତି ଏହା ଖରାପ ପ୍ରଭାବ ଆଶଙ୍କା ରହିଛି । ଧାନ ଚାଷ ବଂଚାଇବାକୁ ହେଲେ ଏଲ୍‌ଇଡି ଲାଇଟ୍‌ର ବିକଳ୍ପ ଆଲୋକୀକରଣ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି । ଏ ନେଇ ବ୍ଳକ କୃଷି ଅଧିକାରୀ ବିଜୟ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ, ଏଲ୍‌ଇଡି ଆଲୁଅର ତୀବ୍ରତା ବେଶୀ ଥିବାରୁ ମୁଖ୍ୟତଃ ଧାନ ଫୁଲ ଧାରଣ ସମୟରେ ପ୍ରଭାବିତ ହେଉଛି । ଧାନ ପହ୍ଲା ପଡ଼ିବାର ୫୫ ରୁ ୬୫ ଦିନରେ ସାଧାରଣତଃ ଫୁଲ ହୋଇଥାଏ । ଚାଷ ଜମିରେ ଦିନ ବେଳା ସୂର୍ଯ୍ୟକିରଣ ପଡ଼ିଥାଏ । ରାତିରେ ପୁଣି ବଲ୍‌ବର ତୀବ୍ରତାଯୁକ୍ତ କିରଣ ପଡ଼ିଲେ ଫୁଲ ଧରିବାରେ ଅସୁବିଧା ହୁଏ । ଫୁଲ ନ ହେଲେ ଫଳ ମଧ୍ୟ ହୋଇପାରେ ନାହିଁ । ଧାନ ଗଛ ବଢ଼ିବ, କିନ୍ତୁ ଫଳ ହେବ ନାହିଁ । କେନ୍ଦୁଝର, ଜଳେଶ୍ବର ଅଂଚଳରେ ଏପରି ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି । ଏଥିପାଇଁ କୃଷି ବୈଜ୍ଞାନିକମାନେ ପରୀକ୍ଷାନିରୀକ୍ଷା କଲେ ପ୍ରକୃତ କଥା ଜଣାପଡ଼ିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଅତାବିରା ବ୍ଳକ୍‌ ଗମ୍ଭାରିପାଲିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ନରସିଂହଚନ୍ଦ୍ର ବାରିକଙ୍କ କହିବା ହେଲା, କିଛି କିସମର ଧାନ ଲାଇଟ୍‌ ପ୍ରଭାବରୁ ବିକଶିତ ହୋଇପାରେ ନାହିଁ । ଦିନବେଳା ସୂର୍ଯ୍ୟକିରଣର ଆଲୁଅ ପଡ଼ିବ, ରାତିରେ ୧୦/୧୨ ଘଣ୍ଟା ଏଲ୍‌ଇଡି ଲାଇଟ୍‌ ପଡ଼ିଲେ ଗଛର ସ୍ବାଭାବିକ ବଢ଼ିବା ବାଧାପ୍ରାପ୍ତ ହେବ । ନାଲି ଆଲୁଅ ଅପେକ୍ଷା ଏଲ୍‌ଇଡି ଲାଇଟର ଧଳା ଆଲୁଅରେ ଏହାର କୁପ୍ରଭାବ ଅଧିକ । କେଉଁ କିସମର ଧାନରେ ଏହାର ପ୍ରଭାବ ଅଧିକ, ତାହା ସଠିକ କହିହେବ ନାହିଁ । ଏଥିପାଇଁ ଗବେଷଣା ଆବଶ୍ୟକ ବୋଲି ଶ୍ରୀ ବାରିକ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *