ବିପୁଳ ପରିମାଣର ଗଞ୍ଜେଇ ସହ ନିଶା ଔଷଧ ଜବତ

ଭୁବନେଶ୍ବର : ରାଜ୍ୟ ଅବକାରୀ ବିଭାଗକୁ ବୁଧବାର ବଡ଼ ସଫଳତା ମିଳିଛି । ବିଭାଗ ପକ୍ଷରୁ ତିନୋଟି ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ସହ ନିଶା ଔଷଧ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ଚଢ଼ଉ ବେଳେ ୧୯ କୁଇଣ୍ଟାଇ ୭୨ କିଲୋଗ୍ରାମ ଗଞ୍ଜେଇ, ୯୬ ବୋତଲ କଫସିରପ, ୨୦୦ ଟି ଇଞ୍ଜେକ୍ସନ, ୧୮୫୦ ଟି ବଟିକା ଓ ୨୦୧୬ ନିଶାଯୁକ୍ତ ବଟିକା ସହ ଗୋଟିଏ ଟ୍ରକ୍‌ ଓ ଗୋଟିଏ କାର୍‌ ଜବତ କରାଯାଇଛି । ସୂଚନା ଅନୁଯାୟୀ, ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ସମୟରେ ଗଜପତି ଜିଲା ଅବକାରୀ ଅଧିକାରୀମାନେ ଏକ ଟ୍ରକ୍‌କୁ ମାଲବାଘାଟି ନିକଟରେ ଅଟକାଇ ଯାଞ୍ଚ କରିଥିଲେ । ଟ୍ରକ୍‌ରୁ ଅବକାରୀ ଅଧିକାରୀମାନେ ୧୯ କୁଇଣ୍ଟାଇ ଗଞ୍ଜେଇ ଜବତ କରିବା ସହିତ ଆଲୋକ ରଞ୍ଜନ ସ୍ୱାଇଁଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତ ପଲିଥିନ ମୁଣାରେ ଗଞ୍ଜେଇକୁ ଦୁଇ ଚାରି ପରସ୍ତ ଜରି ଅଖାରେ ପୂରାଇ ଚାଲାଣ କରୁଥିଲା । ସେହିପରି ନୂଆପଡା ଜିଲାରେ ନିଶା ଔଷଧ କାରବାର ଅଭିଯୋଗରେ ନୂଆପଡା ଅବକାରୀ ବିଭାଗର ସ୍ବତନ୍ତ୍ର ଭ୍ରାମ୍ୟମାଣ ଦଳ ଖରିଆର ରୋଡ଼ ନିକଟରେ ଚଢ଼ଉ କରି ୯୬ ବୋତଲ କଫ ସିରପ, ୨୦୦ ଟି ଇଞ୍ଜେକ୍ସନ, ୧୮୫୦ ଟି ବଟିକା ଓ ୨୦୧୬ ନିଶାଯୁକ୍ତ ବଟିକା ଜବତ କରିବା ସହ ଜଣେ ବ୍ୟବସାୟୀକୁ ଗିରଫ କରିଥିଲେ । ସେହିପରି କଟକ ଅବକାରୀ ବିଭାଗର ଅଧିକାରୀ ମଙ୍ଗୁଳି ଛକ ନିକଟରେ ଏକ ଇଣ୍ଡିଗୋ କାର୍‌କୁ ଅଟକାଇ ଯାଞ୍ଚ କରିଥିଲେ । କାର୍‌ ଭିତରୁ ୭୨ କିଲୋ ଗଞ୍ଜେଇ ଜବତ ସହ କାର୍‌ ଚାଳକଙ୍କୁ ଗିରଫ କରିଥିଲେ ।

Leave a Reply

Your email address will not be published. Required fields are marked *