ରୋଗୀଙ୍କୁ ନଦେଇ ଅଳିଆ କୁଣ୍ଡରେ ଫିଙ୍ଗା ହେଉଛି ଔଷଧ

କଳାହାଣ୍ଡି : ସରକାର ରୋଗୀଙ୍କ ଦଳିତ ନିରିହ ନିଷ୍ପେସିତ୍ତ ରୋଗୀଙ୍କ ପାଇଁ ରାଜ୍ୟ ସରକାର ନିରାମୟ ଯୋଜନା ଦ୍ବାରା ବିଭିନ୍ନ ରୋଗର ନିରାକରଣ ପାଇଁ ସରକାରୀ ଡାକ୍ତରଖାନାଙ୍କୁ ଔଷଧ ଯୋଗାଇ ଦେଉଛନ୍ତି । ହେଲେ ଡାକ୍ତରଖାନା କତ୍ତୃପକ୍ଷଙ୍କ ଦାୟିତ୍ଵ ହୀନତା ଯୋଗୁଁ ଏହି ଯୋଜନା ବାଟବଣା ହେଇଛି ।

ଏହି ଔଷଧ ସବୁ ରୋଗୀଙ୍କୁ ଦେବା ପରିବର୍ତ୍ତେ ଖତ ଗଦାରେ ପକାଇଦେଇ ପୋଡି ଦିଆଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର ମୂଖ୍ୟାଳୟ ବିଶ୍ଵନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ । ସୁଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକର ୧୫ ରୁ ଉର୍ଦ୍ଧ୍ବ ପଞ୍ଚାୟତର ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି ।

ନିରାମୟ ଯୋଜନାରେ ଆସିଥିବା ଔଷଧ ରୋଗିକୁ ନଦେଇ ସେମିତି ପଡ଼ିରହି ଏକ୍ସପେରି ହୋଇଯାଉଛି । ସେହି ଔଷଧ ସବୁକୁ ଡାକ୍ତର ଖାନା କର୍ମଚାରୀ ମେଡିକାଲ କ୍ଵାଟର ପଛପଟେ ଥିବା ଅଳିଆ କୁଣ୍ଡରେ ଫିଙ୍ଗି ଦେଇ ପୋଡ଼ି ଦେଇଛନ୍ତି ।

ନିୟମ ଅନୁସାରେ ଯଦି କୌଣସି ପିଏଚସି କିମ୍ବା ସିଏଚସିରେ ଔଷଧର ଅବଧି ସରିଯାଏ ତା’ହେଲେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇବା କଥା, କିନ୍ତୁ କାହାକୁ ନଜଣାଇ ଏହି ଔଷଧ ସବୁ ଫିଙ୍ଗିବା ସହ ପୋଡି ଦେବା ଘଟଣା ସନ୍ଦେହ ସୃଷ୍ଟି କରୁଛି । ଏହି ଘଟଣା ଚର୍ଚ୍ଚା ହେବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି ।

ଏହି ଘଟଣା ଲାଞ୍ଜିଗଡ଼ ବ୍ଲକରେ ପ୍ରଥମ ନୁହଁ । ଆଗରୁ ମଧ୍ୟ ଅନେକ ଥର ଔଷଧଗୁଡିକ ଜଙ୍ଗଲକୁ ନେଇ ଫିଙ୍ଗି ଦେଇଥିବା ନଜର ରହିଛି । ଏ ସମ୍ପର୍କରେ ବ୍ଲକ ସ୍ଵାସ୍ଥ୍ୟ ଅଧିକାରୀ ନିହାର ରଂଜନ ସାହୁଙ୍କୁ ପଚାରିବାରୁ ଏଭଳି ହୀନ କାର୍ଯ୍ୟ ଯେଉଁ କର୍ମଚାରୀମାନେ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *