ବ୍ରହ୍ମପୁର : ଗଞ୍ଜାମରେ ଶିଶୁଙ୍କୁ ମିଳୁ ନାହିଁ ପୁଷ୍ଟିକର ଖାଦ୍ୟ । ଏ କଥା କାହାରି ଅଭିଯୋଗ ନୁହେଁ, ବରଂ ବୟାନ କରୁଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ରେକର୍ଡ଼ । ବିଶେଷକରି ବସ୍ତି ଓ ଦୁର୍ଗମ ଇଲାକାରେ ରହୁଥିବା ଶିଶୁମାନେ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁ ଶିଶୁମାନେ ଦୁଇଓଳା ଭଲ ଖାଦ୍ୟ ମୁଠାଏ ପାଇପାରୁ ନାହାନ୍ତି । ଫଳରେ ପ୍ରତିବର୍ଷ ଶହ ଶହ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି । ଗଞ୍ଜାମ ଜିଲ୍ଲାରେ ଗତ ୩ ବର୍ଷ ମଧ୍ୟରେ ୧୧୪୧ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ପ୍ରକାଶ । ଏହା ସରକାରୀ ତଥ୍ୟ ହୋଇଥିବାବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଢେର୍ ଅଧିକ ।
ଶିଶୁ ଓ ମା’ର ସୁରକ୍ଷା ପାଇ ସରକାର ନାନା ଯୋଜନା କରିଛନ୍ତି । ଗର୍ଭଧାରଣ ଠାରୁ ଜନ୍ମ ପରେ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ପାଇଁ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରୁଛନ୍ତି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ବାରା ଏହି ସବୁ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଶିଶୁମାନେ କିପରି ପୁଷ୍ଟିକର ଖାଦ୍ୟ ପାଇବେ ସେଥିପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀଙ୍କୁ ବିଭିନ୍ନ ସମୟରେ ଏ ଦିଗରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । କିନ୍ତୁ ବିଭିନ୍ନ କାରଣରୁ ଅପପୁଷ୍ଟିକୁ ମୂଳପୋଛ କରାଯାଇ ପାରିନାହିଁ ।
ଗଞ୍ଜାମ ଜିଲ୍ଲାରେ ପ୍ରତିବର୍ଷ ଶହ ଶହ ଅପପୁଷ୍ଟି ଶିକାର ଶିଶୁ ଚିହ୍ନଟ ହେଉଛନ୍ତି । ଏଭଳି ଶିଶୁଙ୍କ ଚିକିତ୍ସା ପାଇଁ ଗଞ୍ଜାମ ଜିଲ୍ଲାରେ ୩ଟି ଏନ୍ଆର୍ସି(ପୁଷ୍ଟିକର ପୁନର୍ବାସ କେନ୍ଦ୍ର) ରହିଛି । ବ୍ରହ୍ମପୁର ସିଟି ହସ୍ପିଟାଲ୍, ଭଞ୍ଜନଗର ଓ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଏହି କେନ୍ଦ୍ର ରହିଛି । ଏଠାରେ ଅପପୁଷ୍ଟି ଶିକାର ହୋଇଥିବା ଶିଶୁଙ୍କୁ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଇଥାଏ । ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ, ନଚେତ ଶିଶୁକୁ ଆଡ୍ମିଟ୍ କଲା ସମୟରେ ଥିବା ଓଜନ ୧୫ ପ୍ରତିଶତ ବଢ଼ିବା ପର୍ଯ୍ୟନ୍ତ ଚିକିତ୍ସାଧୀନ ରହିଥା’ନ୍ତି ।
ଗୋଟିଏ ଶିଶୁ ଅତି କମ୍ରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଏନ୍ଆର୍ସିରେ ଚିକିତ୍ସିତ ହୋଇଥାଏ । ଏଠାରେ ୬ ମାସ ଠାରୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ଚିକିତ୍ସିତ ହୁଅନ୍ତି । ୨୦୧୯ରେ ଜିଲ୍ଲାରେ ମୋଟ ୪୫୦ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବାବେଳେ ୨୦୨୦ରେ ୩୨୬ ଓ ୨୦୨୧ରେ ୩୬୫ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ସେହିପରି ଚିକିତ୍ସା ପରେ ୨୦୧୯ରେ ୩୮୧ ଶିଶୁ ସୁସ୍ଥ ହୋଇଥିବା ବେଳେ ୨୦୨୦ରେ ୨୧୯ ଓ ୨୦୨୧ରେ ୨୮୩ ଶିଶୁ ସୁସ୍ଥ ହୋଇ ଏନ୍ଆର୍ସିରୁ ଡିସ୍ଚାର୍ଜ ହୋଇଛନ୍ତି ।
ଜିଲ୍ଲାରେ ଗତ ୩ ବର୍ଷରେ ମୋଟ ୧୧୪୨ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ୮୮୩ ସୁସ୍ଥ ହୋଇ ସାରିଛନ୍ତି । ତେବେ, ଏତେ ସଂଖ୍ୟକ ଶିଶୁ ଅପପୁଷ୍ଟି ହେବା ଘଟଣା ସରକାରୀ ଯୋଜନା କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଛୋଟ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ପିଲାମାନଙ୍କୁ ଛତୁଆ, ଅଣ୍ଡା ସହିତ ପୁଷ୍ଟିକର ରନ୍ଧାଖାଦ୍ୟ ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଛି । ହେଲେ ଏହି ପୁଷ୍ଟିକର ଖାଦ୍ୟ ସବୁ ପିଲାଙ୍କ ନିକଟରେ ପହଞ୍ଚି ପାରୁ ନଥିବା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ପ୍ରମାଣ ମିଳୁଛି । ଫଳରେ ଶିଶୁ ଅପପୁଷ୍ଟି ସମସ୍ୟା ବଢୁଛି, ଯାହାକି ଚିନ୍ତାର ବିଷୟ ।
