ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ୍‌ କେଳେଙ୍କାରୀ : ନଳକୂଅ ନଥାଇ ଜଳ ନମୁନା ସଂଗ୍ରହ !

ଯାଜପୁର : ଯାଜପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଡିଭିଜନ(ଆରଡବ୍ଲୁଏସ୍‌ଏସ୍‌)ରେ ପାନୀୟ ଜଳ ଯୋଗାଣ ଓ ପରିଚାଳନାରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି । ଅନେକ ସ୍ଥାନରେ କେବଳ କାଗଜପତ୍ରରେ ଲୋକଙ୍କୁ ପିଇବା ପାଣି ଯୋଗାଣ ହେଉଛି । ସେହିପରି ନଳକୂପ ନଥାଇ ମଧ୍ୟ କାଗଜପତ୍ରରେ ଜଳ ନମୁନା ସଂଗ୍ରହ ହେଉଥିବା ତଥ୍ୟ ଜଣାପପଡିଛି । ବର୍ଷ ବର୍ଷ ଧରି ଅଚଳ ଥିବା ନଳକୂପରୁ ମଧ୍ୟ କର୍ମଚାରୀ କିପରି ଜଳ ସଂଗ୍ରହ କରି ପରୀକ୍ଷା କଲେ ସେ ନେଇ ପ୍ରଶ୍ନ ଉଠୁଛି ।

ଯାଜପୁର ଜିଲ୍ଲାରେ ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ ଅଧୀନରେ ପାନୀୟ ଜଳ ମାନ ପରୀକ୍ଷା ପାଇଁ ତିନିଟି କେନ୍ଦ୍ର ରହିଛି । ସୁକିନ୍ଦା ଓ ଯାଜପୁର ଉପଖଣ୍ଡରେ ୨ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ଗୋଟିଏ ଚଣ୍ଡିଖୋଲ ଡିଭାଜନ କାର୍ଯ୍ୟାଳୟରେ ରହିଛି । ସରକାରୀ ତଥ୍ୟ ମୁତାବକ ଡିଭିଜନ କାର୍ଯ୍ୟାଳୟରେ ଥିବା ପରୀକ୍ଷା କେନ୍ଦ୍ରରେ ଏପ୍ରିଲ ୨୦୨୧ ଠାରୁ ୨୦୨୨ ଜାନୁଆରି ମଧ୍ୟରେ କେବଳ ବଡ଼ଚଣା ବ୍ଲକ୍‌ର ବିଭିନ୍ନ ପାନୀୟ ଜଳ ଉତ୍ସରୁ ୬୦୭ ଟି ନମୁନା ସଂଗ୍ରହ ‌କରାଯାଇ ପରୀକ୍ଷା ହୋଇଛି ।

ବଡ଼ଚଣା ବ୍ଲକର ବାଲିପଡ଼ିଆ ପଞ୍ଚାୟତ ଦେକୁଡ଼ି ଗ୍ରାମର ହରିଜନ ସାହିରେ ଥିବା ନଳକୂଅଟି ଦୀର୍ଘ ୨ ବର୍ଷ ହେବ ଅଚଳ ହୋଇପଡ଼ିଛି । ଏହି ପଞ୍ଚାୟତର ପୂର୍ବ ବାଲିପଡ଼ିଆ ସେଠୀ ସାହିରେ କୌଣସି ନଳକୂଅ ନାହିଁ । ବାଲିପଡ଼ିଆ ପଞ୍ଚାୟତରେ ଚନ୍ଦନପୁର ନାମରେ କୌଣସି ଗାଁ ନାହିଁ । ସେହିପରି ଦେକୁଡ଼ି ଗୋପାଳ ସାହିରେ ଥିବା ନଳକୂଅଟି ଦୀର୍ଘଦିନ ହେବ ଅଚଳ ହୋଇପଡ଼ିଛି । ଅଥଚ ଏହି ସବୁ ସ୍ଥାନର ନଳକୂପଗୁଡ଼ିକରୁ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି । ଜଳର ନମୁନା ମଧ୍ୟ ପରୀକ୍ଷା କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ବିନା ନଳକୂପରେ କିପରି ଜଳ ନମୁନା ସଂଗ୍ରହ କରାଗଲା ? ଏହି ଜଳ ନମୁନା କିଏ, କେମିତି ଏବଂ କେଉଁଠି ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଲେ ବୋଲି ପ୍ରଶ୍ନ ଉଠୁଛି । ସେଥିରୁ କିଛି ନମୁନା ରାଜ୍ୟ ପରୀକ୍ଷାଗାରକୁ ପଠାଯାଇ ପରୀକ୍ଷା କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ଜିଲ୍ଲାରେ କାଗଜପତ୍ରରେ ଜଳ ଯୋଗାଣ ଓ ମିଥ୍ୟା ଜଳ ନମୁନା ପରୀକ୍ଷା ରିପୋର୍ଟ ଘଟଣାରୁ ଅଧିକାରୀଙ୍କ ଡାହା ମିଛ ଧରାପଡ଼ିଯାଇଛି ।

Leave a Reply

Your email address will not be published. Required fields are marked *