ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ । ତାହା ପୁଣି ଅଢ଼େଇ ଫୁଟର । ନାଟମଣ୍ଡପ ଛାତରେ ଯେଉଁଠି ଠାକୁରଙ୍କ ଫଟୋ ଲଗାଇବା ସ୍ଥାନ ରହିଛି, ସେହି ସ୍ଥାନରେ ଏଭଳି ବିରାଟ ଫାଟ ସୃଷ୍ଟି ହୋଇଛି । ଏହା ପୁରୁଣା ଫାଟ ନା ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ପରେ ଏଭଳି ଫାଟ ସୃଷ୍ଟି ହୋଇଛି, ତାକୁ ନେଇ ଭକ୍ତ, ସେବାୟତଙ୍କ ମହଲ ଶଙ୍କା ପ୍ରକଟ କରିଛନ୍ତି ।
ସ୍ଥିତି ଅନୁଧ୍ୟାନ ବେଳେ ଦେଖିବାକୁ ମିଳିଛି କି ଜୟ-ବିଜୟ ଦ୍ବାର ପ୍ରବେଶ ପୂର୍ବରୁ ଜୟ-ବିଜୟ ଦ୍ବାର ଓ ଦାନ ହୁଣ୍ଡି ମଝିରେ ନାଟମଣ୍ଡପ ଛାତରେ ପାର୍ଶ୍ବ ଦେବାବେଦୀଙ୍କ ପ୍ରତିମୂର୍ତ୍ତି ରହିବା ପାଇଁ ତିନି କୋଣିଆ କୋଠରୀ ଭଳି ଯେଉଁ ଆସ୍ଥାନ ରହିଛି, ସେହି ସ୍ଥାନରେ ଏଭଳି ଫାଟ ସୃଷ୍ଟି ହୋଇଛି । ଫାଟ ପ୍ରାୟ ଅଢ଼େଇ ଫୁଟ ଲମ୍ବ ହୋଇଥିବାବେଳେ, ଓସାର ପ୍ରାୟ ଦେଢ଼ ଇଞ୍ଚ ହେବ । ଏହି ଫାଟ ତିନିକୋଣିଆ କୋଠରୀର ତଳଭାଗରୁ ଉପରପାର୍ଶ୍ବକୁ ଲମ୍ବିଥିବା ଦେଖିବାକୁ ମିଳିଛି । ଏହି ଫାଟ କ୍ରମେ ବଢ଼ୁଥିବା ଅନୁମାନ କରାଯାଉଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ଶ୍ରୀମନ୍ଦିର ପାଇଁ ବିପଦ ଥିବା ପ୍ରତ୍ନତତ୍ତ୍ବ ବିଭାଗ ସତର୍କ କରି ସାରିଥିବାବେଳେ, ଜିଲ୍ଲା ପ୍ରଶାସନ ଏହାକୁ ହେୟଜ୍ଞାନ କରି ଖନନ ଓ ନିର୍ମାଣ କାର୍ଯ୍ୟ ଜାରିରଖିଛି । ଏଭଳି ସ୍ଥିତିରେ ଶ୍ରୀମନ୍ଦିର ନାଟମଣ୍ଡପରେ ଏତେ ବଡ଼ ଫାଟ ଦେଖାଯିବା, ସାଧାରଣରେ ବି ସନ୍ଦେହ ସୃଷ୍ଟି କରିଛି ।
ସେପଟେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପାଖରେ ଏ ସମ୍ପର୍କରେ ଖବର ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୫୮ ମସିହାରେ ଜାତୀୟ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଆମ୍ସାର ଆକ୍ଟ ଲାଗୁ ପରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତିରାଜିର ମାନ୍ୟତା ମିଳିଥିଲା । ୧୯୭୫ ମସିହା ଫେବ୍ରୁଆରି ୩ ରେ ଏ ସମ୍ପର୍କିତ ଗେଜେଟ୍ ନୋଟିଫିକେସନ୍ (୨/୩୪/୭୨-ଏମ/୩.୨.୧୯୭୫) କରାଯାଇଥିଲା । ପରେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ୧୯୭୯ ଅଗଷ୍ଟ ୨୨ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଏକ ଏମ୍ଓୟୁ ସ୍ବାକ୍ଷର ହୋଇଥିଲା । ଏମ୍ଓୟୁ ଅନୁଯାୟୀ, ଶ୍ରୀମନ୍ଦିର ସହ କୁରୁମ ବେଢ଼ା, ବେଢ଼ା ଭିତରେ ଥିବା ୯୫ ଟି ପାର୍ଶ୍ବ ଦେବାଦେବୀ ମନ୍ଦିର, ମେଘନାଦ ପାଚେରିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ । ଅଦ୍ୟାବଧି ବି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିଛି । ତଥାପି ନାଟମଣ୍ଡପର ଏତେ ବଡ଼ ଫାଟ ଉପରେ କାହାରି ନଜର ନ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଅନ୍ୟପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଆଳରେ ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି । ଜେସିବି, ଏସ୍କାଭେଟର ଲଗାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରାଯାଇଛି । ଯାହାର କମ୍ପନ ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରିବ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ସତର୍କ କରାଇ ସାରିଛି । ଏଭଳି ସ୍ଥିତିରେ ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ଦେଖାଦେବା ଭିନ୍ନ ପରିସ୍ଥିତି ସୃଷ୍ଟିକରିଛି ଏବଂ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହା ବିରାଟ ପ୍ରଶ୍ନ ଠିଆ କରିଛି ।
