ପଦ୍ମପୁର : ରାୟଗଡା ଜିଲ୍ଲାର ପଦ୍ମପୁର ଅଞ୍ଚଳ ଧାନଚାଷ ପାଇଁ ସାରା ରାଜ୍ୟରେ ବେଶ ନାମ କମାଇ ଥାଏ । କିନ୍ତୁ ବିଡ଼ମ୍ବନାର ବିଷୟ ଏହି ବର୍ଷ ରବି ଋତୁରେ କେନ୍ଦୁଗୁଡା ବଡନାଳ ଜଳସେଚନ ପ୍ରକଳ୍ପରୁ ଚାଷୀଙ୍କୁ ପାଣି ଯୋଗାଇ ଦେଇ ନପାରିବାରୁ ଏହି ଅଞ୍ଚଳରେ ହବାକୁ ଥିବା ୪ ହଜାର ୯୫୦ ହେକ୍ଟର ଚାଷଜମିରେ ଧାନ ଚାଷ ହୋଇନପାରି ପଡିଆ ପଡିଥିଲା । କେନ୍ଦୁଗୁଡ଼ା ବଡ଼ନାଳ ଜଳ ସେଚନ ପ୍ରକଳ୍ପ ହେଉଛି ରାୟଗଡା ଜିଲ୍ଲାର ପଦ୍ମପୁର ଅଞ୍ଚଳର ମୁଖ୍ୟ ଜଳ ସେଚନ ପ୍ରକଳ୍ପ । କେନ୍ଦୁଗୁଡା ଜଳ ସେଚନ ପ୍ରକଳ୍ପ ରିହିଛି କିନ୍ତୁ ଚାଷୀକୁଳକୁ ହିତରେ ଆସୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ରବି ଋତୁରେ ବଡନାଳ ଜଳସେଚନ ପ୍ରକଳ୍ପରୁ ଜଳଯୋଗାଣ ନହେବା ଯୋଗୁଁ ଚାଷୀମାନେ ଚାଷ କରିପାରି ନଥିଲେ । ପଦ୍ମପୁର ବ୍ଲକ କେନ୍ଦୁଗୁଡା ଠାରେ ବଡନାଳ ଜଳ ସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି । ଜଳ ସେଚନ ପ୍ରକଳ୍ପ ହେବାର କିଛି ବର୍ଷଠାରୁ ପ୍ରକଳ୍ପରେ ପାଣି ଲିକେଜ୍ ହେଉଛି । ଯାହାଦ୍ବାରା ଡ୍ୟାମରେ ଅସାନୁରୂପ ପାଣି ରହିପାରୁନି । ରାୟଗଡା ଜିଲାର ପଦ୍ମପୁର କେନ୍ଦୁଗୁଡା ବଡ଼ନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ ଜଳଭଣ୍ଡାରରେ ଏବେ ପାଣିର ଅଭାବ ଦେଖା ଦେଉଛି ।

ସୂଚନା ଅନୁଯାୟୀ ୧୯୮୧ ମସିହାରେ ସରକାର କେନ୍ଦୁଗୁଡା ଠରେ ବଡନାଳ ମଧ୍ୟମ ଜଳସେଚନ ପ୍ରକଳ୍ପକାମ ଆରମ୍ଭ କରି ଦୀର୍ଘ ୧୪ ବର୍ଷ ପରେ ୧୯୯୫ ମସିହାରେ ପ୍ରକଳ୍ପ କାର୍ଯ୍ୟ ଶେଷ କରି ୧୯୯୭ ମସିହା ଫେବ୍ରୁଆରୀ ୧୬ ତାରିଖରେ ପୁର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ୱାଳ ଉଦଘାଟନ କରି ଚାଷୀମାନଙ୍କୁ ଜଳସେଚିତ କରିଥିଲେ । ଏହି ପ୍ରକଳ୍ପଟି ୯୩୦ ହେକ୍ଟର ପରିଧି ମଧ୍ୟରେ ଅବସ୍ଥାପିତ । ଏହାର ଉଚ୍ଚତା ୪୮ ମିଟର ଲମ୍ବା ୩୨୫ ମିଟର । ଏହି ପ୍ରକଳ୍ପ ହେବା ଦ୍ୱାରା ଗୁଣପୁର, ଗୁଡାରି, ରାମନାଗୁଡା ଏବଂ ପଦ୍ମପୁର ଅଞ୍ଚଳର ପାଖାପାଖି ୯ ହଜାର ୮୭୪ ହେକ୍ଟର ଚାଷ ଜମିକୁ ଜଳସେଚିତ କରୁଥିବା ବେଳେ । ରବି ଋତୁରେ କେବଳ ପଦ୍ମପୁର ଓ ଗୁଡାରି ବ୍ଲକର ୪ ହଜାର ୯୫୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରୁଛି । କିନ୍ତୁ ଏହି ବର୍ଷ ଉକ୍ତ ପ୍ରକଳ୍ପରେ ଦେଖାଦେଇଛି ଜଳର ଅଭାବ ।
ଏହାର ମୁଖ୍ୟ କାରଣ ଡ୍ୟାମରୁ ପାଣିର ଲିକେଜ । ପାଣି ଡ୍ୟାମରୁ ଲିକେଜ ହୋଇ ଜମିକୁ ନଯାଇ ନଦୀରେ ମିଶୁଛି । ଲିକେଜ ବନ୍ଦ ନାମରେ ଓ ଚାଷୀଙ୍କ ଜମିକୁ ଜଳଯୋଗାଣ ନାମରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି । ବୈଶୟିକ ଟିମ ପରେ ଟିମ ଆସି ଦେଖୁଛନ୍ତି ପ୍ରତ୍ୟେକ ବର୍ଷ ମରାମତି ମଧ୍ୟ କରୁଛନ୍ତି କିନ୍ତୁ ପାଣି କିପରି ଲିକେଜ ବନ୍ଦ ହୋଇ ରହିବ ତାହା ଜାଣିପାରୁ ନାହାନ୍ତି । ଯାହା ଫଳରେ ଜଳଭଣ୍ଡାରରେ ପାଣି ଷ୍ଟୋରେଜ ହୋଇ ରହୁନାହିଁ । ଫଳରେ ଚାଷୀଙ୍କୁ ପାଣି ଦରକାର ଥିବା ସମୟରେ ଜମିକୁ ପାଣି ପହଞ୍ଚି ପାରୁନି । ଚାଷୀଙ୍କ ସୁବିଧା ପାଇଁ ନିର୍ମିତ ହୋଇଥିବା ପ୍ରକଳ୍ପରେ ଆଶାନୁରୂପ ପାଣି ନଥାଇ ଶୁଖିଲା ପଡିଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ପାଖ କୁଟାରାଗଡ଼ ନଦୀକୁ ସଂଯୋଗ କରାଯିବ ବୋଲି ଖାଲି ଅଫିସର ନେତା ମନ୍ତ୍ରୀ ଆସିବା ସମୟରେ ଆଲୋଚନା କରାଯାଉଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସଂଯୋଗ ହୋଇପାରିନି । ଯଦି କୁଟାରାଗଡ଼ ନଦୀକୁ ବଡ଼ନାଳ ମଧ୍ୟମ ଜଳସେଚନ ପ୍ରକଳ୍ପକୁ ସଂଯୋଗ କରାଯାଆନ୍ତା ତେବେ ଗୁଣପୁର ଉପଖଣ୍ଡର ଗୁଣପୁର, ପଦ୍ମପୁର, ରାମନାଗୁଡା, ଗୁଡାରି ଅଞ୍ଚଳର ଅନେକ ଚାଷୀ ଭାଇ ମାନେ ଉପକୃତ ହେବେ ବୋଲି ଆଲୋଚନା ହେଉଛି । ଜଳ ସଂପଦ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଜଳ ଭଣ୍ଡାର ରେ କିପରି ପାଣି ଷ୍ଟୋରେଜ ରହିବ ଚାଷୀ ଉଭୟ ରବି ଓ ଖରିପ ଋତୁରେ ନିଜ ନିଜ ଜମିକୁ ଜଳସେଚନ କରିପାରିବେ ଏକ ବୈଶୟିକ ଦଳ ଆସି ଅନୁଧ୍ୟାନ କରିବା ସହ ସ୍ଥାୟୀ ସମାଧାନ କରିବା ସକାଶେ ଚାଷୀମାନେ ଦାବି କରୁଛନ୍ତି ।
