ମତ୍ସ୍ୟ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର : ରାଜ୍ୟରେ ଥିବା ପ୍ରଚୁର ଜଳ ସମ୍ପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି । ଦୁଇ ଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ୍ ଟନ୍‌ରୁ ବୃଦ୍ଧି ପାଇ ୨୦୨୧–୨୨ରେ ୯.୯୧ ଲକ୍ଷ ମେଟ୍ରିକ୍ ଟନ୍‌ରେ ପହଞ୍ଚିଛି ଏବଂ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି । ରାଜ୍ୟ ସରକାରଙ୍କ ଦ୍ବାରା ମତ୍ସ୍ୟଚାଷ ଅନୁକୂଳ ନୀତି ପ୍ରଣୟନ, ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର, ଉନ୍ନତ ପ୍ରଜାତିର ମାଛଚାଷ ଓ ମତ୍ସ୍ୟଖାଦ୍ୟ ପ୍ରୟୋଗ ଫଳରେ ମାଛଚାଷରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ଆସୋଚାମ୍ ଦ୍ବାରା ଆୟୋଜିତ ‘ଭାରତରେ ମାଛଚାଷ ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣର ସୁଦୃଢ଼ୀକରଣ’ ଶୀର୍ଷକ ଏକ ୱେବିନାର୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଲେ ଯେ ୨୦୦୦ରେ ରାଜ୍ୟରେ ୧ ,୦୪୬ କୋଟି ଟଙ୍କା ମୂଲ୍ୟର ମାଛ ଉତ୍ପାଦନ ହୋଇଥିବାବେଳେ ୨୦୨୦–୨୧ ବର୍ଷରେ ଏହା ପ୍ରାୟ ଦଶଗୁଣା ବୃଦ୍ଧି ପାଇ ୧୦,୮୧୫ କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟର ମୋଟ ମୂଲ୍ୟ ଯୋଗଦାନରେ ମତ୍ସ୍ୟ କ୍ଷେତ୍ରର ଅବଦାନ ୨.୪ ପ୍ରତିଶତ ହୋଇପାରିଛି । କ୍ଷାରପାଣି ଚିଙ୍ଗୁଡ଼ି ଚାଷରେ ମଧ୍ୟ ମତ୍ସ୍ୟ ଉତ୍ପାଦିକା ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି ବୋଲି ସେ ପ୍ରକାଶ କରିଛନ୍ତି । ରାଜ୍ୟର ୪୮୦ କିମି ଦୀର୍ଘ ସାମୁଦ୍ରିକ ଉପକୂଳର ଉପଯୁକ୍ତ ବିନିଯୋଗ ଯୋଗୁଁ ବିଗତ ୨୦ ବର୍ଷରେ ରାଜ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନି ୨୦୦୦–୦୧ରେ ୩୭୯ କୋଟି ଟଙ୍କାରୁ ବାରଗୁଣ ବୃଦ୍ଧି ପାଇ ୨୦୨୧–୨୨ରେ ୪,୫୨୬ କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟର ମୋଟ ରପ୍ତାନି ଆୟର ୫.୯୦ ପ୍ରତିଶତ ସାମୁଦ୍ରିକ ଖାଦ୍ୟ ରପ୍ତାନୀରୁ ଆସିଥାଏ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ମତ୍ସ୍ୟ ବିଭାଗ ୱାଲର୍ଡ ଫିସ୍‌ର ବୈଷୟିକ ସହାୟତାରେ ଓଡ଼ିଶା ମତ୍ସ୍ୟଚାଷ ମାଷ୍ଟର ପ୍ଲାନ୍–୨୦୩୦ ପ୍ରସ୍ତୁତ କରିଛି ; ଯେଉଁଥିରେ ୨୦୩୦ ସୁଦ୍ଧା ରାଜ୍ୟରେ ମୋଟ ୨୨ ଲକ୍ଷ ମେଟ୍ରିକ୍ ଟନ୍ ମତ୍ସ୍ୟ ଉତ୍ପାଦନ ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୨୦,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ଓ ପୁଞ୍ଜିନିବେଶକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ଅଧିକରୁ ଅଧିକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଦିଗରେ ଆଗେଇ ଆସିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହ୍ୱାନ ଦେଇଥିଲେ ।

ୱେବିନାର ପ୍ରାରମ୍ଭରେ ଆସୋଚାମ୍‌ର ବରିଷ୍ଠ ନିର୍ଦେଶକ ପରମିନ୍ଦରଜିତ କୌର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଭାରତ ସରକାରଙ୍କ ସାମୁଦ୍ରିକ ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ଡ.ଜେ. ବାଲାଜୀ, ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସୁବର୍ଣ୍ଣା ଚନ୍ଦ୍ରାପ୍ପାଗାରି, ଗୋଆର ମତ୍ସ୍ୟ ନିର୍ଦେଶକ ଡ. ଶର୍ମିଳା ମଣ୍ଟେରିଓ, ଓଡ଼ିଶା ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀ ସଂଘର ସଭାପତି ଡ. କମଳେଶ ମିଶ୍ର, ମୟାଙ୍କ ଆକ୍ବା କଲଚର ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦେଶକ ଡ. ମନୋଜ ଶର୍ମା, ଫାଲକମ୍ ମେରାଇନ୍ ଏକ୍ସପୋର୍ଟ ଲିମିଟେଡ୍‌ର ନିର୍ଦେଶକ ପ୍ରିୟଙ୍କା ମହାନ୍ତି, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଗ୍ଲୋବାଲ୍ ସେଗ୍‌ମେଣ୍ଟ ମୁଖ୍ୟ (ସାମୁଦ୍ରିକ ଖାଦ୍ୟ ) ମହେଶ ଲେଣ୍ଢି ପ୍ରମୁଖ ଭାଗନେଇ ଭାରତ ତଥା ରାଜ୍ୟର ମତ୍ସ୍ୟ ଚାଷ ଓ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *