୪ ଦିନ କାଳବୈଶାଖୀ : ଉପକୂଳ‌ରେ କମୁଛି ତାତି, ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ରାଜ୍ୟରେ ଗତକାଲି ଠାରୁ ପାଗରେ ପରିବର୍ତ୍ତନ ଦେଖାଯାଇଛି । ଉପକୂଳ ଓ ଆଭ୍ୟନ୍ତରରେ ତାପମାତ୍ରା ଅପେକ୍ଷାକୃତ କମିଛି । ସେହିପରି କିଛି ଦିନ ହେଲା ୪୫ ଡିଗ୍ରି ଉପରେ ରହୁଥିବା ପଶ୍ଚିମ ଓଡ଼ିଶାର ପାରଦ ଆଜି ପାଖାପାଖି ୨ ଡିଗ୍ରି ତଳକୁ ଖସିଛି । ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସୋନପୁରଠାରେ ୪୩.୨ ଡିଗ୍ରି ରେକର୍ଡ ହୋଇଛି । ପଛକୁ ରହିଛି ବୌଦ୍ଧ(୪୨.୫ ଡିଗ୍ରି) ଓ ଫୁଲବାଣୀ ସହର(୪୨.୨ ଡିଗ୍ରି) । ଆଜି ରାଜ୍ୟର ମୋଟ ୫ଟି ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ରହିଥିବା ‌ବେଳେ ୧୮ ସହରର ତାପମାତ୍ରା ୪୦ ଉପ‌ରେ ରହିଥିଲା । ଅନ୍ୟପଟେ ସମଗ୍ର ଉପକୂଳର ତାପମାତ୍ରା ଆଜି ୪୦ ତଳକୁ ଖସିଛି । ରାଜଧାନୀରେ ସର୍ବୋଚ୍ଚ ୩୭.୭ ଡିଗ୍ରି ଓ କଟକରେ ତାପମାତ୍ରା ଥିଲା ୩୭ ଡିଗ୍ରି ରେକର୍ଡ ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଦେଖାଯିବ । ତେଣୁ ତାପମାତ୍ରା ଆହୁରି କମିବ ବୋଲି ଆ‌ଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, କାଳବୈଶାଖୀ ଯୋଗୁଁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ଏବଂ ପବନର ୪୦ ରୁ ୪୫ କିମି ମଧ୍ୟରେ ରହିବାର ସମ୍ଭାବନା ଥିବାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି । ବଜ୍ରପାତରୁ ବର୍ତ୍ତିବା ପାଇଁ ସତର୍କ ରହିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମାଳକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ୪ ତାରିଖ ଦିନ ସମଗ୍ର ଉପକୂଳ ଓଡ଼ିଶା ସହ ସଂଲଗ୍ନ ଅଞ୍ଚଳଗୁଡ଼ିକରେ କାଳବୈଶାଖୀ ବର୍ଷା ହେବ । ଏଣୁ ବଜ୍ରପାତଜନିତ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ରାଜଧାନୀରେ ପାଗ ଆଂଶିକ ମେଘୁଆ ରହିବ। ସଂଧ୍ୟା ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *