ପୁରୀ : ପ୍ରବଳ ବିରୋଧ ସହ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ସତ୍ତ୍ବେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଏବେ ବି ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି । ନା ହାଇକୋର୍ଟଙ୍କୁ ଖାତିର ଅଛି, ନା ବିରୋଧକୁ । ମନମୁଖୀ ଶାସନର ପ୍ରମାଣ ଦେଇ ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଓ ଉତ୍ତରଦ୍ବାରରେ ଜୋରଦାର ନିର୍ମାଣ କାମ ଚାଲିଛି । ପଶ୍ଚିମଦ୍ବାର ବାମ ପାର୍ଶ୍ବରେ ନିର୍ମାଣାଧୀନ ୪ ଘରର ଛାତ ପଡ଼ିବା ପରେ ଡାହାଣ ପାର୍ଶ୍ବରେ ନିର୍ମାଣାଧୀନ କୋଠାର ଛାତ ପଡ଼ିବାକୁ ପଟା ସେଟିଂ ଚାଲିଛି । ଦକ୍ଷିଣଦ୍ବାର କାମ ବି ଜୋରସୋରରେ ଚାଲିଛି । ଏଭଳି ସ୍ଥିତିରେ ଆଉ ଏକ ମନମୁଖି କାର୍ଯ୍ୟର ପ୍ରମାଣ ଦେଖିବାକୁ ମିଳିଛି । ଯେଉଁ ଏନ୍ଓସି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମୂଳରୁ ଦେଖାଇ ଆସୁଛନ୍ତି, ସେଥିରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣକୁ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍ଏମ୍ଏ) ସ୍ପଷ୍ଟ ମନା କରି ଦେଇଥିଲେ । କିଛି ଦିନର ନିରବତା ପରେ ଏବେ ପୁଣିଥରେ ଏହି କାମ ଆରମ୍ଭ ହୋଇଯାଇଛି । ମୂଳଦୁଆ ପଡ଼ିବା ପରେ ପିଲାର ଉଠିବା ପାଇଁ ପ୍ରସ୍ତୁତି ଚାଲିଛି ।
କିଛି ଦିନ ତଳେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁ ଖନନ ଓ ନିର୍ମାଣ ଚାଲିଛି, ତାହା ଏନ୍ଏମ୍ଏର ଏନ୍ଓସି ଆଧାରରେ ହେଉଛି ବୋଲି ଦର୍ଶାଇଥିଲେ । ଯେଉଁଥିରେ ଭକ୍ତ, ସେବାୟତ ଶୌଚାଳୟ, ସେଲ୍ଟର ପାଭିଲିୟନ୍, କ୍ଲକ ରୁମ୍, ଇଲେକ୍ଟ୍ରି ରୁମ୍କୁ ଛାଡ଼ିଦେଲେ, ଅନ୍ୟ କିଛି ପ୍ରକଳ୍ପ କାର୍ଯ୍ୟକୁ ଅନୁମତି ନଥିଲା । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଗୃହ ନିର୍ମାଣକୁ ଅନ୍ତର୍ଭୁକ୍ତ କରି ଦିଆଯାଇଥିବାରୁ ଏହି ପ୍ରକଳ୍ପର ରୂପରେଖ ଭିନ୍ନ ଭାବେ ଦାଖଲ କରିବାକୁ ବି କୁହାଯାଇଥିଲା । ରେଗୁଲେଟେଡ୍ ଅଞ୍ଚଳରେ ସ୍ଥାନ ଚିହ୍ନଟ କରି ଅନୁମତି ମାଗିବାକୁ କୁହାଯାଇଥିଲା । ଏହା ସତ୍ତ୍ବେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଏହି ପୁରୁଣା କୋଠାକୁ ଭାଙ୍ଗି ନୂଆ କୋଠା ନିର୍ମାଣ ପାଇଁ ଉଦ୍ୟମ କରାଯାଇଥିଲା ।
ମୂଳଦୁଆ ପକାଇବାକୁ କ୍ଷେତ୍ର ପ୍ରସ୍ତୁତି ଚାଲିଥିଲା । ବିରୋଧ ଦେଖା ଦେବାରୁ ଏହାକୁ ବାଲି ପକାଇ ପୋତି ଦେଇଥିଲା ଠିକା ସଂସ୍ଥା । କିଛି ଦିନର ନିରବତା ପରେ ପୁଣିଥରେ ଠିକା ସଂସ୍ଥା ଏହି ନିର୍ମାଣ କାର୍ଯ୍ୟକୁ ଜୋରଦାର କରିଛି । କଂକ୍ରିଟ୍ର ମୂଳଦୁଆ ପଡ଼ିବା ପରେ ରଡ୍ ବାଇଣ୍ଡିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରଡ୍ କାଟି କେଉଁ କେଉଁ ଜାଗାରେ ପିଲାର ତିଆରି ହେବ ତାର ଯୋଜନା କରାଯାଉଛି । ପିଲାର ପାଇଁ ବିଭିନ୍ନ ସ୍ଥାନରେ ଖନନ କରାଯାଇଛି । ଯାହାକୁ ଭକ୍ତ, ବିଭିନ୍ନ ସଂଗଠନ ପୁଣିଥରେ ବିରୋଧ କରିବା ଆରମ୍ଭ କରିଛନ୍ତି । ବିଭିନ୍ନ ସୋସିଆଲ୍ ସାଇଟ୍ରେ ଏହାର ବିରୋଧ କରାଯାଉଛି । ନିର୍ମାଣସ୍ଥଳରେ ନିୟୋଜିତ ଇଂଜିନିୟରମାନେ କହିଛନ୍ତି ଯେ ଏହି କାର୍ଯ୍ୟ କେବଳ ଉପରିସ୍ଥ ଅଧିକାରୀଙ୍କ ଆଦେଶରେ କରାଯାଉଛି । ଉପରିସ୍ଥ ଅଧିକାରୀମାନେ ହିଁ ଯାହା କିଛି ପ୍ରକଳ୍ପ ଉପରେ କହିପାରିବେ ବୋଲି ସୂଚନା ଦେଇଛନ୍ତି ।
