ଡେସ୍କ : ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ଏପ୍ରିଲ ୭ରେ ବିକ୍ଷୋଭ ପ୍ରଦର୍ଶନ କରିବ । ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଓ ଅମିୟ ପାଣ୍ଡବ କହିଛନ୍ତି ଦରବୃଦ୍ଧିରୁ ଦେଶବାସୀଙ୍କୁ ମୁକ୍ତି ଦେବାପାଇଁ କଂଗ୍ରେସ ଦେଶତମାମ ‘ମହଙ୍ଗାଇ ମୁକ୍ତ ଭାରତ’ ଅଭିଯାନର ଡାକରା ଦେଇଛି । ଗତ ମାର୍ଚ୍ଚ ୩୧ ତାରିଖରୁ ଦେଶତମାମ ଏହି ଅଭିଯାନ ଆରମ୍ଭ ହୋଇଛି । ଆସନ୍ତା ୭ ତାରିଖ ରାଜଧାନୀ ଭୁବନେଶ୍ୱରରେ ଶୋଭାଯାତ୍ରା ଓ ବିକ୍ଷୋଭ ମାଧ୍ୟମରେ ଏ ଅଭିଯାନକୁ କାର୍ଯ୍ୟକାରୀ କରାଯିବ ।
ଶ୍ରୀ ଦାସ କହିଛନ୍ତି କେନ୍ଦ୍ରର ବିଜେପି ସରକାର ଦେଶବାସୀଙ୍କୁ ଏକ ଭୟଙ୍କର ପରିସ୍ଥିତିକୁ ଠେଲି ଦେଇଛି । ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ନୟାନ୍ତ ଏବଂ ତଳି ତଳାନ୍ତ କରିଦେଇଛି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦାମ ଉଦ୍ବେଗ ଜନକ ଭାବରେ ବଢ଼ି ଚାଲିଛି । ଏହାର ପ୍ରଭାବରେ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦର ପ୍ରବଳ ମାତ୍ରାରେ ବଢ଼ିଛି ।
ସେ କହିଛନ୍ତି, କଂଗ୍ରେସ ସରକାର ସମୟରେ ୨୦୧୨-୨୦୧୪ ସମୟ କାଳ ଭିତରେ ଅଶୌଧିତ ତୈଳ ଦର ଥିଲା ବ୍ୟାରେଲ ପିଛା ୧୦୮ ରୁ ୧୪୦ ଡଲାର । ସେତେବେଳେ ପେଟ୍ରୋଲ ଦାମ ଥିଲା ୭୧ ଟଙ୍କା ୪୧ ପଇସା ଓ ଡିଜେଲର ଦାମଥିଲା ୫୫ ଟଙ୍କା ୪୯ ପଇସା । ମାତ୍ର ଏବେ ୨୦୨୨ ର ବିଜେପି ସରକାର ସମୟରେ ଅଶୌଧିତ ତୈଳର ଦାମ ହେଉଛି ୧୦୮ ଡଲାର । ୨୦୧୪ ରେ କଂଗ୍ରେସ ସରକାର ସମୟରେ ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସ ପରିମାଣ ଲିଟର ପିଛା ୯.୨୦ ଓ ୩.୪୬ ପଇସା ଥିଲା । ମାତ୍ର ବର୍ତମାନ ତାହା ଯଥାକ୍ରମେ ୨୦୩ ଓ ୫୩୧ ଶତାଂଶ ବୃଦ୍ଧି ପାଇଛି । ୨୦୧୪ ରୁ ୨୦୨୨ ଭିତରେ ବିଜେପି ସରକାର ଦେଶବାସୀଙ୍କ ପକେଟ କାଟି ଓ ସେମାନଙ୍କୁ ଲୁଟ କରି ରାଜକୋଷକୁ ଭର୍ତି କରିବାରେ ଲାଗିଛନ୍ତି ବୋଲି ସେ କହିଛନ୍ତି । ଏହି ସମୟ ଭିତରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରବୃଦ୍ଧି କରି ଲୋକଙ୍କ ଠାରୁ ୨୬ ଲକ୍ଷ କୋଟି ଟଙ୍କା ଲୁଟ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀ ଜନଧନ ଲୁଟ ଯୋଜନା ବୋଲି କଂଗ୍ରେସ ପ୍ରବକ୍ତା ଶ୍ରୀ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
