ରାୟଗଡା : ନର୍ଦ୍ଦମା ପାଣି ଆକଟ କରିବାରୁ ଦୁଇ ପଡୋଶୀ ଘର ମଧ୍ୟରେ ପାଟିତୁଣ୍ଡ । ମାମଲା ଉଗ୍ର ରୂପ ନେବାରୁ ଉଭୟ ପରିବାରଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଲକ ଅନ୍ତର୍ଗତ କୁମ୍ଭିକୋଟା ଗ୍ରାମର ହରିଜନ ସାହିରେ । ଅଜୟ ଖୋସଲା ଓ ଗୋରେଖା ଖୋରାଙ୍କ ମଧ୍ୟରେ ନର୍ଦ୍ଦମା ପାଣି ଆକଟ କରିବାକୁ ନେଇ ପୂର୍ବରୁ ଦୁଇ ପରିବାର ମଧ୍ୟରେ ବଚସା ଲାଗି ରହିଥିଲା । ସେହି ଘଟଣାକୁ କେନ୍ଦ୍ର କରି ଗତକାଲି ରାତିରେ ଉଭୟ ପରିବାର ମଧ୍ୟରେ କଳହ ଜୋରଦାର ହୋଇଥିଲା । ପାଟିତୁଣ୍ଡ ଉତ୍ୟକ୍ତ ରୂପ ନେବାରୁ ଉଭୟ ପଡୋଶୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ଅଜୟ ଖୋସଲା ଘଟଣା ସ୍ଥଳରେ ମୂର୍ଚ୍ଚା ହୋଇ ଟଳି ପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଚିକିତ୍ସାଳୟରେ ପହଞ୍ଚିଲା ବେଳକୁ ଶ୍ରୀ ଖୋସଲାଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ପରିବାର ଲୋକଙ୍କୁ ଜଣାଇଥିଲେ । ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଲା ପରେ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ମୃତ ଦେହକୁ ପୋଲିସ ଜବତ କରି ଜିଲ୍ଲା ଚିକିତ୍ସାଳୟରେ ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି । ତେବେ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କ ବିରୋଧରେ ରାୟଗଡା ଥାନାରେ ଏତଲା ଦାୟର କରିଛନ୍ତି ମୃତକଙ୍କ ପରିବାର । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।
