ଭୁବନେଶ୍ୱର : ନୂଆବର୍ଷ ପୂର୍ବରୁ ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ ରୁ ୨୦୦ ଭିତରେ ରହୁଥିବା ବେଳେ ଏବେ ଏହା ୬୮୦ ରେ ପହଞ୍ଚିଲାଣି । ଆଗକୁ ତୃତୀୟ ଲହର ସମ୍ଭାବନା ଚର୍ଚ୍ଚା ଆରମ୍ଭ ହୋଇଛି । ଏହି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ୩୨୧ ଶିଶୁ ଆକ୍ରାନ୍ତ ଥିବାବେଳେ ୧୧୭୯ ଶଯ୍ୟା(୯୩୭ ସାଧାରଣ ଶଯ୍ୟା, ୨୪୨ ଆଇସିୟୁ ଓ ୧୧୦ଟି ଭେଣ୍ଟିଲେଟର ସଂଯୁକ୍ତ ଶଯ୍ୟା) କେବଳ ଶିଶୁମାନଙ୍କ କରୋନା ଚିକିତ୍ସା ଲାଗି ସଂରକ୍ଷିତ ରହିଛି । ଇତିମଧ୍ୟରେ ମାତ୍ର ୮ ଜଣ ଶିଶୁ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ୭ ଜଣ ଶିଶୁ ସାଧାରଣ ଶଯ୍ୟାରେ ଚିକିତ୍ସିତ ହେଉଥିବାବେଳେ ଜଣେ କେବଳ ଗୁରୁତର ଥିବାରୁ ତାଙ୍କୁ ସ୍ବତନ୍ତ୍ର ଯତ୍ନ ପ୍ରକୋଷ୍ଠ (ଆଇସିୟୁ)ରେ ରଖାଯାଇଛି । ଅବଶିଷ୍ଟ ୩୧୩ ଶିଶୁ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି, ଯାହାକି ୯୭.୫୧ ପ୍ରତିଶତ । ସେହିପରି ରାଜ୍ୟରେ ଏବେ ୬୬୮୫ ଶଯ୍ୟା ରହିଥିବାବେଳେ ୧୮୭ ଜଣ ଆକ୍ରାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅର୍ଥାତ ମାତ୍ର ୨.୭୯ ପ୍ରତିଶତ ଶଯ୍ୟା ବ୍ୟବହୃତ ହେଉଛି । ମୋଟ ଶଯ୍ୟା ମଧ୍ୟରୁ ୫୩୧୧ ସାଧାରଣ, ୧୩୭୪ ଆଇସିୟୁ, ୬୨୪ ଭେଣ୍ଟିଲେଟର ସଂଯୁକ୍ତ ଶଯ୍ୟା ରହିଛି । ସେଥିରୁ ୬୮ ଜଣ ସାଧାରଣ ଶଯ୍ୟା, ୯୮ ଆଇସିୟୁରେ ଓ ୨୧ ଜଣ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଏବେ ୨୨୦୯ ସକ୍ରିୟଙ୍କ ମଧ୍ୟରୁ ୧୮୭ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୨୦୨୨ ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ।
