ଅବ୍ୟବସ୍ଥାରେ ବାଲେଶ୍ବର ବଡ଼ ଡାକ୍ତରଖାନା : ପ୍ରସୂତି ବିଭାଗରେ ପାଣି ସଙ୍କଟ

ବାଲେଶ୍ବର : ବାଲେଶ୍ବର ବଡ଼ ଡାକ୍ତରଖାନାର ପ୍ରସୂତି ତଥା ଏମ୍‌ସିଏଚ୍‌ ବିଭାଗରେ ଗତ ୩ ଦିନ ହେଲା ପାଣି ସମସ୍ୟା ଦେଖାଦେଇଥିଲା । ଅସହ୍ୟ ଗରମ ଗୁଳୁଗୁଳିରେ ହଠାତ୍‌ ପିଇବା‌ ପାଣିର ଅଭାବ ଦେଖାଦେବା ସହ ପାଇଖାନା ଓ ଶୌଚ ହେବା ପାଇଁ ପାଣି ମିଳିଲା ନାହିଁ । ଏନେଇ ଅସନ୍ତୋଷ ଦେଖା‌ଦେବା ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରିବା ପରେ ଆଜି ସ୍ଥିତି ସ୍ବାଭାବିକ ହୋଇଥିବା ଦେଖାଯାଇଥିଲା ।

ଡାକ୍ତରଖାନାର ଏମ୍‌ସିଏଚ୍‌ ତଥା ପ୍ରସୂତି ବିଭାଗରେ ମା’, ନବଜାତକଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ସମ୍ପର୍କୀୟ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସଂଖ୍ୟା ମିଶାଇ ପାଖାପାଖି ୬୦୦/୭୦୦ ହେବ । ଏତେ ଲୋକଙ୍କ ପାଇଁ ଏତେ ବଡ଼ ବିଲ୍ଡିଂରେ ଯେତିକି ପାଣିର ବ୍ୟବସ୍ଥା କରାଯିବା କଥା ତାହା କର୍ତ୍ତୃପକ୍ଷଙ୍କ ତରଫରୁ କରାଯାଇନାହିଁ । ସେପରି ସ୍ଥଳେ ଏହି ବିଲ୍ଡିଂ‌ର ଏକ ନିର୍ମାଣ କାମ ଚାଲିଥିବା ବେଳେ କାମ ନେଇଥିବା ଠିକାଦାର ବିଭିନ୍ନ ପାଣିଟାଙ୍କିରୁ ପାଣି ନେଇ ନିର୍ମାଣ କାମରେ ବ୍ୟବହାର କରୁଥିଲେ । ୩ ଦିନ ଧରି ପାଣି ପାଇଁ ସମସ୍ତେ ଦହଗଞ୍ଜ ହେଉଥିବା ବେଳେ ପିଇବା ପାଇଁ ବିଲ୍ଡିଂ ତଳକୁ ଓହ୍ଲାଇ ଆସିବାକୁ ପଡ଼ୁଥିଲା । ‌ତେବେ ସମ୍ପୃକ୍ତ ଠିକାଦାର କାହା ଅନୁମତି ନେଇ ଏଭଳି କରିବାକୁ ସାହସ କଲେ ? ହସ୍ପିଟାଲ ଭଳି ସ୍ଥାନରେ କିଏ ତାଙ୍କୁ ଏପରି କରିବାକୁ କହିଲେ ନା ମନଇଚ୍ଛା ଏପରି କରିଛନ୍ତି ଏସବୁ ‌ରୋଗୀଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ଝାଡ଼ିବାରୁ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଥିଲା । ତୁରନ୍ତ ସବୁ ଟାଙ୍କିରେ ପାଣି ପୂରାଇବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା ଏବଂ ପାଣି ଆସିବା ପରେ ସମସ୍ତେ ଆଶ୍ବସ୍ତି ଅନୁଭବ କରିଥିଲେ ।

ଅନ୍ୟପକ୍ଷରେ ଏମ୍‌ସିଏଚ୍‌ ବିଲ୍ଡିଂର ମରାମତି ପାଇଁ ସମ୍ପୃକ୍ତ ଠିକାଦାର କିମ୍ବା ନିର୍ମାଣ ବିଭାଗ ତାଙ୍କ ନିଜ ତରଫରୁ ପାଣିର ବ୍ୟବସ୍ଥା କରିବାର ଥିଲା । କିନ୍ତୁ ତାହା ନକରି ସେ କାହା ଅନୁମତି‌ରେ ହସ୍ପିଟାଲ ଭଳି ଏକ ଜରୁରୀକାଳୀନ ସ୍ଥାନରୁ ପାଣିର ଦୁରୁପଯୋଗ କରି ଏପରି ଅବ୍ୟବସ୍ଥା ସୃଷ୍ଟି କଲେ ସେନେଇ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଦାବି କରାଯାଇଛି । ବାଲେଶ୍ବର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ମନୋରମା ଭୂୟାଁଙ୍କୁୁ ଘଟଣା ସମ୍ପର୍କରେ ପଚାରିବା‌ରୁ ସେ କହିଥିଲେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ନିର୍ମାଣ ବିଭାଗକୁ ଜଣାଯାଇଥିବା ସେ କହିଥିଲେ ।

Leave a Reply

Your email address will not be published. Required fields are marked *