ପିଲାଙ୍କ ପାଇଁ ୩ କୋଭିଡ୍‌ ଟିକାକୁ ମଂଜୁରି

ନୂଆଦିଲ୍ଲୀ : ଭାରତର ଡ୍ରଗ୍ସ ନିୟାମକ ସଂସ୍ଥା ‘ଡିଜିସିଆଇ’ ୬ ରୁ ୧୨ ବର୍ଷର ପିଲାମାନଙ୍କ କ୍ଷେତ୍ରରେ କୋଭାକ୍ସିନ ଟିକାର ସୀମିତ ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ବିଦ୍ୟାଳୟଗୁଡ଼ିକରେ କୋଭିଡ୍ ସଂକ୍ରମଣ ଅଧିକ ଦେଖିବାକୁ ମିଳୁଥିବାରୁ ଏହି ବର୍ଗର ପିଲାଙ୍କ ଟିକାକରଣ ଉତ୍ତମ ପ୍ରତିଷେଧକ ହେବ ବୋଲି କୁହାଯାଉଛି । ୫ ରୁ ୧୨ ବର୍ଷର ପିଲାଙ୍କୁ କର୍ବେଭାକ୍ସ ଟିକା ଦେବା ପାଇଁ ଜରୁରୀ ଅନୁମତି ପ୍ରଦାନ କରିଛି ‘ଡିଜିସିଆଇ’ । ବର୍ତ୍ତମାନ ଏହି ଟିକା ୧୨ ରୁ ୧୪ ବର୍ଷର ପିଲାଙ୍କୁ ଦିଆଯାଉଛି । ଏଥିସହ ଜିଡସ୍‌ କାଡିଲାର ଟିକା ଜାଇକୋଭ୍-ଡିକୁ ମଧ୍ୟ ୧୨ ବର୍ଷ ରୁ ଊର୍ଦ୍ଧ୍ବ ପିଲାଙ୍କୁ ଦେବା ପାଇଁ ଅନୁମୋଦନ ମିଳିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଟ୍ବିଟରରେ ଏ ବାବଦରେ ସୂଚନା ଦେଇ ଏହା ଦ୍ବାରା କୋଭିଡ୍ ବିରୋଧରେ ଭାରତର ଲଢ଼େଇ ଆହୁରି ଶକ୍ତିଶାଳୀ ହୋଇଛି ବୋଲି କହିଛନ୍ତି ।

ଗତ ଜାନୁଆରି ୩ ତାରିଖରେ ୧୫ ରୁ ୧୮ ବର୍ଷ ବୟସ୍କ ତରୁଣଙ୍କ ପାଇଁ କୋଭାକ୍ସିନ ଟିକା ଦେବା ଆରମ୍ଭ ହୋଇଥିଲା । ପରେ ଗତମାସରେ ୧୨ ବର୍ଷ ରୁ ଊର୍ଦ୍ଧ୍ବ ପିଲାଙ୍କୁ ଏଥିରେ ସାମିଲ କରାଯାଇଥିଲା । ଭାରତ ଗତ ବର୍ଷ ଏପ୍ରିଲ ପହିଲାରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟିକାକରଣ ଆରମ୍ଭ କରିଥିଲା । ତା’ପରେ ଗତବର୍ଷ ମେ ମାସଠାରୁ ସରକାର ଏହାକୁ ୧୮ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ଯାଏ ସମ୍ପ୍ରସାରିତ କରିଥିଲେ ।

Leave a Reply

Your email address will not be published. Required fields are marked *