ବିବାଦ ଓ ରାଜନୀତି ଜାଲରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ବାରଣ ସତ୍ତ୍ବେ ଅଟକୁନି ଖନନ, ଚାଲିଛି ନିର୍ମାଣ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗଟି ଧୀରେ ଧୀରେ ଜଟିଳ ରୂପ ନେଲାଣି । ଗୋଟିଏ କି ଦୁଇଟି ନୁହେଁ; ଇତିମଧ୍ୟରେ ପ୍ରତ୍ନତତ୍ତ୍ବ ବିଭାଗ ଏକାଧିକ ଚିଠି ଲେଖି ନିର୍ମାଣ ବନ୍ଦ କରିବାକୁ କହିଛନ୍ତି, ଡିପିଆର୍ ମାଗିଛନ୍ତି । ହେଲେ କର୍ତ୍ତୃପକ୍ଷ ଏହାକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି । କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗକୁ ନେଇ ଭକ୍ତ, ବିଭିନ୍ନ ସଂଗଠନ, ଆଇନଜୀବୀ, ରାଜନୈତିକ ଦଳ ମାଳ ମାଳ ପ୍ରଶ୍ନ ଉଠାଇବା ସହିତ ପ୍ରକଳ୍ପକୁ ସନ୍ଦେହ କରୁଥିବା ବେଳେ କର୍ତ୍ତୃପକ୍ଷ ଅତ୍ୟନ୍ତ ବେଫିକର ଭାବେ ନିର୍ମାଣ ଜାରି ରଖିଛନ୍ତି । ପଶ୍ଚିମଦ୍ବାର ହେଉ କି ଦକ୍ଷିଣଦ୍ବାର, ଯେଉଁ ଜାଗାରେ ଖନନ ଚାଲିଥିଲା, ସେଠି ଏବେ ଏକାଧିକ ଘର ଠିଆହେଲାଣି । ଜୋରସୋରରେ କାମ ଚାଲିଛି । ନିକଟରେ ଡିଜିଙ୍କୁ ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିବା ୭୭ ବର୍ଷୀୟ ଭକ୍ତ ପ୍ରଫୁଲ୍ଲ କୁମାର ସାହୁ ଆଜି ଖୋଲା ଧମକ ଦେଇଛନ୍ତି ଯେ ଶ୍ରୀମନ୍ଦିରକୁ ବିପଦ ଭିତରକୁ ଠେଲି ଦେଇ ସରକାର ଐତିହ୍ୟ ସୁରକ୍ଷାର ଡିଣ୍ଡିମ ପିଟିବା ହାସ୍ୟାସ୍ପଦ ମନେ ହେଉଛି । ଯଦି ଏହି ନିର୍ମାଣ ତୁରନ୍ତ ବନ୍ଦ ନ ହୁଏ, ଶ୍ରୀମନ୍ଦିର ନିକଟରେ ସେ ଅନଶନ କରିବେ ।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗ ସହିତ ଏଏସ୍ଆଇ ଏବଂ କେନ୍ଦ୍ର ସରକାରଙ୍କ ଭୂମିକା ମଧ୍ୟ ସନ୍ଦେହ ବଳୟ ଭିତରେ । ଏଏସ୍‌ଆଇ କର୍ତ୍ତୃପକ୍ଷ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେବଳ ଚିଠି ଲେଖି ଦାୟିତ୍ବ ଛାଡିଛନ୍ତି । ଯଦି ନିୟମ ଓ ଆଇନ ବାହାରେ କିଛି ବି ନିର୍ମାଣ ହେଉଛି ଏବଂ ଏହା ଶ୍ରୀମନ୍ଦିର ପ୍ରତି ବିପଦ ଜଳ ଜଳ; ତେବେ ଥାନାରେ ଏଫ୍‌ଆଇଆର୍ ଦେବା ଲାଗି କର୍ତ୍ତୃପକ୍ଷ କୁନ୍ଥକୁନ୍ଥ କାହିଁକି ହେଉଛନ୍ତି ? ଏମିତି କି ବାଧ୍ୟବାଧକତା ରହିଛି ଯେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଏତେ ବଡ଼ ପ୍ରସଙ୍ଗ ଉପରେ ନିରବ ରହିଛନ୍ତି । ଓଡ଼ିଶାର ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁ ନିରବ କାହିଁକି ? ରାଜ୍ୟ ବିଜେପିର ଆଚରଣ ଓ କେନ୍ଦ୍ରୀୟ ନେତାଙ୍କ ଆଚରଣ ଭିତରେ ଯୋଜନ ଯୋଜନ ବ୍ୟବଧାନ କାହିଁକି ?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଏବେ ବିବାଦ ଭିତରେ ଛନ୍ଦି ହୋଇଗଲାଣି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସହିତ ଏହି ପ୍ରସଙ୍ଗଟି ଜଡିତ ହୋଇଥିବାରୁ ଏବଂ ନିର୍ମାଣକୁ ନେଇ ସାଧାରଣରେ ସନ୍ଦେହ ମୋଚନରେ କର୍ତ୍ତୃପକ୍ଷ ଏଯାଏ ବିଫଳ ହୋଇଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର କାଠଗଡାକୁ ଚାଲିଆସିଲେଣି । ଯେଉଁ ଆସ୍ଥା ଓ ବିଶ୍ବାସ ରଖି ରାଜ୍ୟବାସୀ ଏହି ପ୍ରକଳ୍ପ ଆରମ୍ଭ ଦିନରେ ସରକାରଙ୍କୁ ଆଖିବୁଜା ସମର୍ଥନ କରିଥିଲେ, ଗତ ଦିନରେ କର୍ତ୍ତୃପକ୍ଷଙ୍କ କାରନାମା କାରଣରୁ ପ୍ରସଙ୍ଗକୁ ନେଇ କୋର୍ଟରେ ମାମଲା ହେଲାଣି, ଆଇନଜୀବୀ ରାସ୍ତାକୁ ଓହ୍ଲାଇଛନ୍ତି । ଭକ୍ତ ଖୋଲା ବିରୋଧ କଲେଣି, ହାଇକୋର୍ଟରେ ମାମଲା ହୋଇଛି ଏବଂ ପୁରୀରୁ ବିଧାନସଭା ଏବଂ ଲୋକସଭା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ପହଞ୍ଚିସାରିଲାଣି । ଦିନକୁ ଦିନ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।

ଗତ ଫେବ୍ରୁଆରି ୫ ତାରିଖରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଆରମ୍ଭ ହୋଇଥିଲା । ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପୁରୀ କାର୍ଯ୍ୟାଳୟ ତରଫରୁ ଓବିସିସି ଡିଭିଜନ୍‌-୧ ର ବରିଷ୍ଠ ପ୍ରକଳ୍ପ ମ୍ୟାନେଜରଙ୍କୁ ଚିଠି(ନଂ-୧/ପୁରୀ/ଇଏନ୍‌ସିଆର୍‌/୨୧-୨୨/ସି-୨୪/୨୪୪)ଏକ ଚିଠି କରାଗଲା । କାମକୁ ବେଆଇନ୍‌ ଦର୍ଶାଯିବା ସହ ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଏହି ନିର୍ମାଣ ଉପରେ ଯଦି ଏନ୍‌ଏମ୍‌ଏ କୌଣସି ଅନୁମତିପତ୍ର ପ୍ରଦାନ କରିଛନ୍ତି, ତାହା ପ୍ରଦାନ କରିବାକୁ ଏଥିରେ କୁହାଯାଇଥିଲା । କିନ୍ତୁ ଓବିସିସି ଏହି ଚିଠିରେ କୌଣସି ଉତ୍ତର ଦେଲା ନାହିଁ । ଫେବ୍ରୁଆରି ୧୧ ତାରିଖ । ପୁନର୍ବାର ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର କାର୍ଯ୍ୟାଳୟରୁ ଏକ ଜରୁରୀ ଚିଠି(ନଂ-୩/୧୩୩/୧୮-ଏମ୍‌-୫୨୨୯) ଜାରି କଲା । ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଅରୁଣ ମଲ୍ଲିକ ଏହି ଚିଠିରେ ଫେବ୍ରୁଆରି ୫ ତାରିଖର ଚିଠିକୁ ସଂଲଗ୍ନ କରି ଦର୍ଶାଇଥିଲେ ଯେ ଯେହେତୁ ଶ୍ରୀମନ୍ଦିର କେନ୍ଦ୍ରୀୟ ସଂରକ୍ଷିତ କୀର୍ତ୍ତିରାଜି, ଏହାର ଚତୁଃପାର୍ଶ୍ବରେ ୧୦୦ ମିଟର ପରିଧିରେ କୌଣସି କାର୍ଯ୍ୟ ହୋଇ ପାରିବନାହିଁ । ଆମ୍‌ସାର(ଏ ଓ ଭି) ଆଇନ-୨୦୧୦ର ସେକ୍ସନ୍‌-୨୦(ଏ)ରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି । ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ବିନା କେହି ବି ଏହି ନିଷିଦ୍ଧାଞ୍ଚଳରେ କାମ କରିପାରିବେ ନାହିଁ ବୋଲି ଆମ୍‌ସାର ଆଇନ-୨୦୧୦ର ସେକ୍ସନ୍‌-୨୦(ସି)ରେ ବି ଉଲ୍ଲେଖ ରହିଛି । ଏଣୁ ପୁଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣର ଅନୁମତିପତ୍ର ସହିତ କର୍ତୃପକ୍ଷ ଡିପିଆର୍ ଦିଅନ୍ତୁ ଏବଂ ନିର୍ମାଣ ଓ ଖନନ ବେଆଇନ୍‌ ହୋଇଥିବାରୁ ତୁରନ୍ତ କାମ ବନ୍ଦ କରିବାକୁ ଏଥିରେ କୁହାଯାଇଥିଲା । ଏହି ଚିଠିର ନକଲ ଆଇନ ବିଭାଗ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ, ଏସ୍‌ପି, ଏଏସ୍‌ଆଇ ଡିଜି ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା ।

ଏହି ଚିଠିର ମଧ୍ୟ କୌଣସି ଉତ୍ତର ଦିଆଗଲାନାହିଁ । ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି. ବିଦ୍ୟାବତୀ ଗତ ଫେବ୍ରୁଆରି ୨୧ ତାରିଖରେ ଶ୍ରୀମନ୍ଦିର ପରିଦର୍ଶନରେ ଆସି ସ୍ଥିତି ଅନୁଧ୍ୟାନ କଲେ । ଶ୍ରୀମନ୍ଦିର ୧୦୦ ମିଟର ପରିଧି ନିଷିଦ୍ଧାଞ୍ଚଳ ହୋଇଥିବାରୁ ପରିକ୍ରମା ପ୍ରକଳ୍ପର ରୂପରେଖ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଲେ । ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ସହ ସମନ୍ବୟ ଭିତ୍ତିରେ କାମ କରିବାକୁ ପ୍ରଶାସନ ଓ ଓବିସିସିକୁ ଜଣାଇଲେ । ଗତ ମାର୍ଚ୍ଚ ୫ ତାରିଖରେ ଏଏସ୍‌ଆଇ ଦିଲ୍ଲୀ କାର୍ଯ୍ୟାଳୟରୁ ନିର୍ମାଣ ବିଭାଗ ସଚିବଙ୍କୁ ଆଉ ଏକ ଚିଠି(ନଂ-ଟି-୧୯୦୩୮/୧୬/୨୦୨୧-ଏମ୍‌) ଜାରି କରାଗଲା । ଏଏସ୍‌ଆଇ ନିର୍ଦ୍ଦେଶକ(କୀର୍ତ୍ତିରାଜି) ଏନ୍‌. କେ. ପାଠକ ଏହି ଚିଠି କରିଥିଲେ । ଗତ ଫେବ୍ରୁଆରି ୨୧ ତାରିଖରେ ଏଏସ୍‌ଆଇ ଡିଜି ଓ ତାଙ୍କ ଟିମ୍‌ ଗସ୍ତ କରି ସରକାରଙ୍କ ସହ ଯେଉଁ ଆଲୋଚନା କରିଥିଲେ, ପ୍ରକଳ୍ପର ରୂପରେଖ ପରିବର୍ତ୍ତନ ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ, ତାର ପରିବର୍ତ୍ତିତ ରୂପରେଖ ପ୍ରଦାନ କରିବାକୁ ଏଥିରେ କୁହାଯାଇଥିଲା ।

ବିସ୍ମୟର କଥା ହେଲା, ଏ ଚିଠିର ବି କୌଣସି ଉତ୍ତର ଦିଆଗଲା ନାହିଁ । ପୁନର୍ବାର ମାର୍ଚ୍ଚ ୮ ତାରିଖରେ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର କାର୍ଯ୍ୟାଳୟରୁ ଆଉ ଏକ ଚିଠି(ନଂ-୩/୧୩୯/୨୧-ଏମ୍‌-୫୮୦୫) ନିର୍ମାଣ ବିଭାଗ ସଚିବଙ୍କୁ ପ୍ରଦାନ କରାଗଲା । ଏଥିରେ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଅରୁଣ ମଲ୍ଲିକ ପୂର୍ବ କଥାକୁ ଦୋହରାଇ ଫେବ୍ରୁଆରି ୨୧ ତାରିଖ ଆଲୋଚନା ବୈଠକ ପରେ ପରିବର୍ତ୍ତିତ ପ୍ରକଳ୍ପର ଡିପିଆର୍‌ ପଠାଇବା ସଂପର୍କରେ ସ୍ମରଣ କରାଇଲେ । ଏତେ ପରେ ବି ପରିବର୍ତ୍ତିତ ଡିପିଆର୍‌ ପଠାଯାଇଛି କି ନାହିଁ, ପ୍ରଶାସନ ସ୍ପଷ୍ଟ ଏଯାଏ କରିନି । ବରଂ ନିର୍ମାଣ ଓ ଖନନ ଜାରି ରହିଛି ।

Leave a Reply

Your email address will not be published. Required fields are marked *