କିଶନନଗର : କଟକ ସଦର ବ୍ଲକ୍ ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ନାରଦା କ୍ଲଷ୍ଟର୍ ଅଧୀନ ୩ଟି ବିଦ୍ୟାଳୟ ଓ ୨ଟି ମଦ୍ରାସାର ୪୧୫ ଜଣ ଛାତ୍ରଛାତ୍ରୀ ରବିବାର ଉପାସ ରହୁଥିବା ଜଣାପଡ଼ିଛି । ଏହି ସ୍କୁଲ୍ ଓ ମଦ୍ରାସାଗୁଡ଼ିକର ସାପ୍ତାହିକ ଛୁଟି ଶୁକ୍ରବାର ହେଉଥିଲାବେଳେ ରବିବାର ଖୋଲା ରହୁଛି । ଗତ ଏପ୍ରିଲ ୨ ତାରିଖରୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ଏଠାକାର ମଧ୍ୟାହ୍ନଭୋଜନ ଦାୟିତ୍ଵ ନେବା ପରଠାରୁ ଏହି ପରିସ୍ଥିତି ଲାଗିରହିଛି ।
ନାରଦା କ୍ଲଷ୍ଟର୍ ଅଧୀନ ନାରଦା ଉର୍ଦ୍ଦୁ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୨୪୦ ଜଣ, ତରଡ଼ାପଡ଼ା ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ୬୦ ଜଣ, ମଦ୍ରାସା ଇସ୍ଲାମିଆ ହନିଫିଆରେ ୫୦ ଜଣ, କେଶପୁର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ୩୫ ଜଣ ଓ ମଦ୍ରାସା ଅନ୍ୱର୍-ଉଲ୍-ଓଲୁମ୍ରେ ୩୦ ଜଣ ପିଲା ପାଠ ପଢ଼ୁଛନ୍ତି । ଏହି ସ୍କୁଲ୍ ଓ ମଦ୍ରାସାଗୁଡ଼ିକର ସାପ୍ତାହିକ ଛୁଟି ଶୁକ୍ରବାର ରହୁଛି । ରବିବାର ସ୍କୁଲ୍ ଓ ମଦ୍ରାସା ଖୋଲା ରହୁଥିଲେ ମଧ୍ୟ ମଧ୍ୟାହ୍ନଭୋଜନ ଆସୁ ନଥିବା ଜଣାପଡ଼ିଛି । ସେହିପରି ଫକିରପଡ଼ା କ୍ଲଷ୍ଟର୍ରେ ଥିବା ଦାମୋଦରପୁର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ, ନିମେଇଶାପୁର କ୍ଲଷ୍ଟର୍ ଅଧୀନ ଦେଓପୁର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ସମେତ ସଦର ବ୍ଲକ୍ର ବିଭିନ୍ନ କ୍ଲଷ୍ଟର୍ରେ ଥିବା ଉର୍ଦ୍ଦୁ ସ୍କୁଲ୍ ଓ ମଦ୍ରାସାଗୁଡ଼ିକ ସମଦଶା ଭୋଗୁଥିବା ଜଣାପଡ଼ିଛି ।
ଏହିଭଳି ପରିସ୍ଥିତିକୁ ସ୍ବୀକାର କରିଛନ୍ତି ନାରଦା ଉର୍ଦ୍ଦୁ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସାରଳା ଦେଈ । ସେ କହିଛନ୍ତି, ରବିବାର ମଧ୍ୟାହ୍ନଭୋଜନ ଆସୁ ନଥିବାରୁ ପିଲାଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବପର ହେଉନାହିଁ । ଏ ସମ୍ପର୍କରେ ସଦର ବ୍ଲକ୍ ଶିକ୍ଷାଧିକାରୀ ସରସ୍ୱତୀ କାନୁନ୍ଗୋଙ୍କୁ ଅବଗତ କରିଛନ୍ତି ବୋଲି ନାରଦା କ୍ଲଷ୍ଟର୍ ସିଆର୍ସିସି ଶେଖ ସିରାଜ୍ ଉଲ୍ଲା ସୂଚନା ଦେଇଛନ୍ତି । ଏହା ସତ୍ତ୍ବେ କୌଣସି ସୁଫଳ ମିଳି ନଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ, ଏ ବିଷୟରେ କିଛି ଜାଣି ନାହାନ୍ତି ବୋଲି କଟକ ଶିକ୍ଷାଜିଲ୍ଲା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି । ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି କଟକ ଜିଲ୍ଲାପାଳ ଦୃଷ୍ଟି ଦେଇ ଛାତ୍ରଛାତ୍ରୀଙ୍କୁ ରବିବାର ମଧ୍ୟାହ୍ନଭୋଜନ ପ୍ରଦାନର ବ୍ୟବସ୍ଥା କରିବାକୁ ଅଭିଭାବକମାନେ ଦାବି କରିଛନ୍ତି ।
