ରାଜ୍ୟ ଟଙ୍କାରେ ତେଲ ପଡ଼ୁଛି, ଘରୋଇ କାମରେ ଗାଡ଼ି ବୁଲୁଛି

ଭୁବନେଶ୍ବର : ରାଜ୍ୟରେ ଥିବା ଏନ୍‌ସିସି ଗ୍ରୁପ୍‌ ମୁଖ୍ୟାଳୟଗୁଡ଼ିକ ଚଳାଇବା ତଥା କ୍ୟାଡେଟ୍‌ମାନଙ୍କୁ ତାଲିମ ଦେବାପାଇଁ ତିନି ସେନାର ଅଧିକାରୀ ଓ ଯବାନ୍‌ମାନେ ଏଠାକୁ ଡେପୁଟେସନ୍‌ରେ ଆସିଥାଆନ୍ତି । ଏଥିପାଇଁ କେନ୍ଦ୍ର ସରକାର ଭିତ୍ତିଭୂମି ଓ ଯାନବାହନ ଦେଇଥିବା ବେଳେ ରାଜ୍ୟ ସରକାର ଗାଡ଼ିର ତେଲ ଓ କ୍ୟାଡେଟ୍‌ମାନଙ୍କ ପାଇଁ ଆବଶ୍ୟକ ଅନ୍ୟ କେତେକ ଆନୁସଙ୍ଗିକ ଖର୍ଚ୍ଚ ବହନ କରିଥାଆନ୍ତି । ତେବେ, ଗତ କିଛିବର୍ଷ ହେଲା ରାଜ୍ୟ ସରକାର ଦେଉଥିବା ଅର୍ଥରାଶି କ୍ୟାଡେଟ୍‌ମାନଙ୍କ ତାଲିମରେ ଯେତିକି ବିନିଯୋଗ ହେଉଛି, ତା’ଠାରୁ ଅଧିକ ଦାୟିତ୍ବରେ ଥିବା ଅଧିକାରୀଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ବିନିଯୋଗ ହେଉଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁରସ୍ଥିତ ୧-ଓଡ଼ିଶା ଏନ୍‌ସିସି ସେଥିରେ ଆଗରେ ରହିଛି ।

ବ୍ରହ୍ମପୁର ଏନ୍‌ସିସି ଗ୍ରୁପ୍‌ ମୁଖ୍ୟାଳୟରେ ଥିବା ମାରୁତି ଜିପ୍‌ସି (୦୯-ବି-୧୦୨୨୦୫ ଏକ୍ସ) ଗାଡ଼ିର ତେଲ ଖର୍ଚ୍ଚ ସରକାର ବହନ କରୁଛନ୍ତି । କ୍ୟାଡେଟ୍‌ମାନଙ୍କ ତାଲିମ ପାଇଁ ବ୍ୟବହାର ଉଦ୍ଦେଶ୍ୟରେ ଦିଆଯାଉଥିବା ଏହି ଅର୍ଥରେ ଗାଡ଼ିଟି ତାଲିମ କାର୍ଯ୍ୟରେ ବ୍ୟବହାର ହେବାବଦଳରେ ଅଧିକାଂଶ ସମୟ ବ୍ୟକ୍ତିଗତ କାମରେ ତଥା ଅନଧିକୃତ ଅଞ୍ଚଳରେ ବ୍ୟବହାର କରାଯାଉଛି । ଗାଡ଼ିଟି ଗାନ୍ଧୀନଗରରେ ଥିବା ଗ୍ରୁପ୍‌ ମୁଖ୍ୟାଳୟ କ୍ୟାଣ୍ଟନମେଣ୍ଟ୍‌ ଅଞ୍ଚଳରେ ଅଥବା କ୍ୟାଡେଟ୍‌ଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାମ୍ପ୍‌ ଅଞ୍ଚଳରେ ବ୍ୟବହାର କରାଯିବା କଥା। ଅନ୍ୟ କୌଣସି କ୍ୟା‌ଣ୍ଟନମେଣ୍ଟ୍‌ ଅଞ୍ଚଳକୁ ଗଲେ ଏଥିପାଇଁ ଭୁବନେଶ୍ବରସ୍ଥିତ ଏନ୍‌ସିସି ଡେପୁଟି ଡାଇରେକ୍ଟୋରେଟ୍‌ରୁ ଅନୁମତି ନେବାର ନିୟମ ରହିଛି । ତେବେ, ଜିପ୍‌ସିଟି ଡେପୁଟି ଡାଇରେକ୍ଟର୍‌ଙ୍କ ବିନା ଅନୁମତିରେ ବ୍ରହ୍ମପୁର ଗ୍ରୁପ୍‌ ମୁଖ୍ୟାଳୟ କ୍ୟାଣ୍ଟନମେଣ୍ଟ୍‌ରୁ ଗୋପାଳପୁରସ୍ଥିତ ଅନ୍ୟ କ୍ୟାଣ୍ଟନମେଣ୍ଟ୍‌ ଅଞ୍ଚଳରେ ଥିବା ଜଣେ ଅଧିକାରୀଙ୍କ କ୍ବାର୍ଟର୍ସକୁ ନିୟମିତ ଯାଉଛି । ଏପରିକି କ୍ବାର୍ଟର୍ସ ନିକଟରେ ଗାଡ଼ି ପାର୍କିଂ କରାଯିବା ପାଇଁ ଏନ୍‌ସିସି କ୍ୟାଡେଟ୍‌ମାନଙ୍କ କ୍ୟାମ୍ପ ପାଇଁ ଆସୁଥିବା ଦାମୀ ତମ୍ବୁ ବ୍ୟବହାର କରାଯାଇ ଏକ ସେଡ୍‌ ମଧ୍ୟ ତିଆରି କରାଯାଇଛି । ତାଛଡ଼ା, ଗାଡ଼ିର ତେଲ ଏକ ନିର୍ଦ୍ଦିଷ୍ଟ ଟାଙ୍କିରୁ କିଣାଯାଉଥିବାବେଳେ ଏକାଧିକ ବାର ଇଲେକୋଟ୍ରୋନିକ୍‌ ରସିଦ ବଦଳରେ ହାତଲେଖା ରସିଦ୍‌ରେ ତେଲ କିଣାଯାଇଛି । ଗାଡ଼ିର ଟାଙ୍କି ପୂର୍ଣ୍ଣ କରାଯିବା ବଦଳରେ କେତେଥର ୧ ହଜାର ଟଙ୍କାର ତେଲ କିଣାଯିବାର ବି ନଜିର ରହିଛି, ଯାହା ଡ୍ରାଇଭରଙ୍କ ଅଗୋଚରରେ ହୋଇଥିବା ସେ କହୁଛନ୍ତି ।

ଏ ସମ୍ପର୍କରେ ସଂପୃକ୍ତ ଗାଡ଼ିର ଏକମାତ୍ର ଡ୍ରାଇଭର୍‌ ପ୍ରକାଶ ଶର୍ମାଙ୍କୁ ପଚାରିବାରେ, ଗାଡ଼ି କେତେବେଳେ କେମିତି ଗୋପାଳପୁରକୁ ଯାଏ, ହେଲେ ସେଠାରେ ରୁହେ ନାହିଁ ବୋଲି କହିଛନ୍ତି । ତେବେ, ଗାଡ଼ିରେ ସେ କେବଳ ୩ ହଜାର ଅଥବା ୪ହଜାର ଟଙ୍କାର ତେଲ ପକାନ୍ତି । ହଜାରେ ଟଙ୍କାର ତେଲ ସେ ପକାନ୍ତି ନାହିଁ, ବୋଧହୁଏ ହଜାରେ ଟଙ୍କାର ତେଲ ଜେନେରେଟର୍‌ ପାଇଁ ଆସିଥିବ ବୋଲି ସେ କହିଛନ୍ତି । ହେଲେ, ଏହା କହୁଥିବା ବେଳେ ସେ ହଠାତ୍‌ କ’ଣ ଭାବି କେଜାଣି.. ‘ହୁଏତ ମୁଁ କେତେବେଳେ ହଜାରେ ଟଙ୍କାର ପକାଇ ଥାଇପାରେ’ ବୋଲି କହିଥିଲେ ।

ତେବେ, ଗାଡ଼ି ଚଳାଇବାକୁ ଏକମାତ୍ର ସିଏ ଅଧିକୃତ ହୋଇଥିବାବେଳେ ତଥା ଗାଡ଼ିର ଲଗ୍‌ବୁକ୍‌ ତାଙ୍କ ନିକଟରେ(ଅଫିସରେ) ଥିବାବେଳେ ଆଉ କିଏ କେମିତି ଗାଡ଼ି ଚଳାଇଲେ, ଡ୍ରାଇଭର୍‌ଙ୍କ ଅଜାଣତରେ ‌ତେଲ କେମିତି ପକାଇଲେ, ଉକ୍ତ ତେଲର ବିଲ୍‌ ଡ୍ରାଇଭର କିପରି ନିଜ କିଣିଥିବା ବିଲ୍‌ ସହ ଗୁନ୍ଥିକି ବିଭାଗରେ ଦେଲେ ଓ ବିଭାଗୀୟ ମୁଖ୍ୟ ଉକ୍ତ ବିଲ୍‌ କିପରି ପାସ୍‌ କରିଲେ…ଏମିତି ଅନେକ ଅସମାହିତ ପ୍ରଶ୍ନ ଏଠାରେ ଉଭା ହେଉଛି । ସେପଟେ, ଗ୍ରୁପ୍‌ ମୁଖ୍ୟାଳୟର ପ୍ରାଶାସନିକ ତଥା ବିତ୍ତ ଅଧିକାରୀ(ଡିଡିଓ) କର୍ଣ୍ଣେଲ ଶ୍ରୀ କ୍ରୀଷ୍ଣା ଏ ସମସ୍ତ ଅଭିଯୋଗକୁ ସ୍ବୀକାର କରି ନଥିଲେ ବି ସମ୍ପୂର୍ଣ୍ଣ ଅସ୍ବୀକାର ବି କରି ନାହାନ୍ତି । ଭିନ୍ନ ଢଙ୍ଗରେ ଉତ୍ତର ଦେଇ ସେ କହିଛନ୍ତି, ‘ମୁଁ ଆପଣଙ୍କୁ ନିଶ୍ଚିତ କରାଇଦେଉଛି ଯେ, ସେଭଳି କିଛି ବଡ଼ଧରଣର ହେରଫେର ହୋଇନାହିଁ । ଏଥିରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି ଯେ, ଦୁର୍ନୀତି ହେଉଛି, ଅଥଚ କେହି ସେଥିରେ ମୁହଁ ଖୋଲୁ ନାହାନ୍ତି । ରାଜ୍ୟ ସରକାର ଓ ଏନ୍‌ସିସି ନିର୍ଦ୍ଦେଶାଳୟ କ୍ୟାଡେଟ୍‌ମାନଙ୍କ ତାଲିମ ଉଦ୍ଦେଶ୍ୟରେ ଦେଉଥିବା ଅର୍ଥ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ହେବା କେତେଦୂର ଯଥାଯଥ ଏହା ଏନ୍‌ସିସିର ବରିଷ୍ଠ ଅଧିକାରୀମାନେ ହିଁ କହିପାରିବେ ।’

Leave a Reply

Your email address will not be published. Required fields are marked *