ଜିଲ୍ଲା ଛାଡ଼ିଲେ ବିବାଦୀୟ ଆଇଟିଡିଏ ଯନ୍ତ୍ରୀ

ରାଉରକେଲା : ସୁନ୍ଦରଗଡ଼ ଓ ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ରେ ମାଳ ମାଳ ଦୁର୍ନୀତି ଅଭିଯୋଗକୁ ନେଇ ସନ୍ଦେହ ଘେରକୁ ଆସିଥିଲେ ଉପ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ଏ ସମ୍ପର୍କିତ ଖବର ବାରମ୍ବାର ପ୍ରକାଶ ପାଇବା ପରେ ବିଭାଗୀୟ ଉଚ୍ଚ ଅଧିକାରୀ ସଜାଗ ହୋଇଥିଲେ । ବଦଳିର ୮ ମାସ ପରେ ଶ୍ରୀ ବେହେରାଙ୍କୁ ସୁନ୍ଦରଗଡ଼ ଆଇଟିଡିଏରୁ ରିଲିଭ୍‌ କରାଯାଇଛି । ମୂଳ ଜଳ ସମ୍ପଦ ବିଭାଗକୁ ତାଙ୍କର ବଦଳି ହୋଇଛି । ଶେଷରେ ଶ୍ରୀ ବେହେରା ସୁନ୍ଦରଗଡ଼ ଜିଲ୍ଲା ଛାଡିବାକୁ ବାଧ୍ୟ ହୋଇଛନ୍ତି । ଏ ସଂକ୍ରାନ୍ତରେ ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ୨୦୨୧ ଅଗଷ୍ଟ ୧୬ରେ ଉପନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରା ପଦୋନ୍ନତି ପାଇ ମୂଳ ଜଳ ସମ୍ପଦ ବିଭାଗକୁ ବଦଳି ହୋଇଥିଲେ । ଆଜି ତାଙ୍କୁ ଅଫିସ୍‌ର ରିଲିଭ୍‌ କରାଯାଇଛି । ସେପଟେ ଶ୍ରୀ ବେହେରା ପାନପୋଷ ଆଇଟିଡିଏର ଅତିରିକ୍ତ ଦାୟିତ୍ବରେ ଥିବାବେଳେ ବିଭିନ୍ନ କାମକୁ ନେଇ ତାଙ୍କ ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଥିଲା ।

ଉଭୟ ଜିଲ୍ଲା କଂଗ୍ରେସ ଓ ବିଜେପି ଏଭଳି ଅଭିଯୋଗ ଆଣିଥିଲେ । ଜିଲ୍ଲା କଂଗ୍ରେସର ପୂର୍ବତନ ଜିଲ୍ଲା ସଭା‌ପତି ବିରେନ ସେନାପତି ପାନପୋଷ ଆଇଟିଡିଏ ଦୁର୍ନୀତିର ତଦନ୍ତ ପାଇଁ ଭିଜିଲାନ୍ସ ନିକଟରେ ଦାବି କରିଛନ୍ତି । ଶ୍ରୀ ବେହେରାଙ୍କ ଦ୍ବାରା କରାଯାଇଥିବା କେତେକ ଦୁର୍ନୀତି ଓ ଅନିୟମିତା ସମ୍ପର୍କରେ ଭିଜିଲାନ୍ସ ଦେଖିଥିବା ଲିଖିତ ଅଭିଯୋଗରେ ଉଲ୍ଲେ କରିଛନ୍ତି । ସେ ତା’ଙ୍କ ଲିଖିତ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି, ଜିଲ୍ଲାର ସମଗ୍ର ଶିକ୍ଷା ଅଭିଯାନ ଓ ବଣାଇ ଆଇଟିଡିଏକୁ ପ୍ରଭାବିତ କରି ସେ ନିଜ ପତ୍ନୀ ରୁନୁ ବେହେରା ଓ ଭାଇ ଉମାକାନ୍ତ ବେହେରାଙ୍କୁ ପ୍ରାୟ ୧୧ କୋଟିରୁ ଅଧିକ ଟଙ୍କାର କାମ ଦେଇଛନ୍ତି । ସୁନ୍ଦରଗଡ଼ ସମଗ୍ର ଶିକ୍ଷା ଚିଠି ନଂ ୨୦୫ (୬.୧.୨୦୨୨)ରେ ରୁନୁ ବେହେରାଙ୍କୁ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଚାନ୍ଦିପୋଷ ୟୁଜିୟୁପି ସ୍କୁଲର ବିକାଶମୂଳକ କାମ ପାଇଁ ୧ କୋଟି ୬୦ ଲକ୍ଷ ୭ ହଜାର ୩୩୫ ଟଙ୍କାର ଠିକା କାମ ମିଳିଛି ।

କେବଳ ଏତିକି ନୁହେଁ, ଉଭୟ ଉମାକାନ୍ତ ବେହେରା ଓ ରୁନୁ ବେହେରାଙ୍କୁ ବଣାଇଁ ଆଇଟିଡିଏର ପକ୍ଷରୁ କୋରେପୁଟ, ଫୁଲଝର, ବଂଶିପାନ୍‌ ୩ଟି ସ୍କୁଲ, ଝାମସେରା, ଖୁଣ୍ଟଗାଁର ଅଡିଟୋରିମୟମ୍‌ ଓ ୨ଟି ହଷ୍ଟେଲ ନିର୍ମାଣ ପାଇଁ ଆହୁରି ପ୍ରାୟ ୧୦ କୋଟିର କାମ ଦିଆଯାଇଛି । କେବଳ ଏତିକି ନୁହେଁ ନିକଟରେ ପାନପୋଷ ଆଇଟିଡିଏରେ ମୋ’ ସ୍କୁଲ ଅଭିଯାନ ଅଧୀନରେ ସହରର ୧୦ଟି ସ୍କୁଲର ଉନ୍ନତିକରଣରେ ଖର୍ଚ୍ଚ ୩ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କାର କାମକୁ‌ ଟେଣ୍ଡର ନକରି ଠିକାଦାରଙ୍କୁ ବାଣ୍ଟି ଦିଆଯାଇଥିଲା । କେବଳ ଏତିକି ନୁହେଁ, ଟେଣ୍ଡର ନୋଟିସ୍‌ ନଂ୧୬୨୮/୧୧.୧୦.୨୦୨୧ରେ ଝିରପାଣି ସରକାରୀ ହାଇସ୍କୁଲ ନିର୍ମାଣ ପାଇଁ ଟେଣ୍ଡରରେ ବ୍ୟାପକ ହେର୍‌ଫେର ସାମ୍ନାକୁ ଆସିଥିଲା । ୯.୯୯ ପ୍ରତିଶତ କମ୍‌ ମୂଲ୍ୟ ଉଲ୍ଲେଖ କରିଥିବା ଏଲ୍‌-୧ ଠିକାଦାରଙ୍କୁ କାମ ନ ଦେଇ ୯.୯୦ ପ୍ରତିଶତ ମୂଲ୍ୟ ଉଲ୍ଲେଖ କରିଥିବା ଏଲ୍‌-୨ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା । ଏହି ବେଆଇନ କାରବାର ସନ୍ଦେହ ଘରକୁ ଆସିଥିଲେ ପାନପ‌ୋଷ ଆଇଟିଡିଏର ଉପନିର୍ବାହୀ ଯନ୍ତ୍ରୀ ।

ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ପ୍ରଶାସକ ଦାୟିତ୍ବରେ ଥିବା ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଦେଶକୁ ବାତିଲ କରିଥିଲେ । ପୁନଃ ଟେଣ୍ଡର ଓ ଲଟେରି ଜରିଆରେ ‌ଯୋଗ୍ୟ ଠିକାଦାରଙ୍କୁ କାମ ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ, ଗତ ୨୪ ରେ ଶ୍ରୀ ବେହେରାଙ୍କ ଆସିଥିବା ଏମିତି ଅଭିଯୋଗ ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ ଉତ୍‌କ୍ଷିପ୍ତ ହୋଇ ‘ଆମେ କାମ କରି ପାରିବୁନି ବୋଲି ନିୟମ ଅଛି କି ?’ ଓ ‘ଆମେ କରିବୁ, ପଚାରିବାକୁ ତମେ କିଏ ?’ ଧରଣର ପ୍ରତିକ୍ରିୟା ରଖିଥିଲେ । ପାନପୋଷ ଆଇଟିଡିଏ ପରି ସୁନ୍ଦରଗଡ଼ରେ ମଧ୍ୟ ତାଙ୍କ ନାଁରେ ଅନେକ ଦୁର୍ନୀତି ଅଭିଯୋଗ ଆସିଥିଲା । ଦୁର୍ନୀତି ଅଭିଯୋଗ ନେଇ ତାଙ୍କ ବିରୋଧରେ ଲୋକାୟୁକ୍ତ ନିକଟରେ ମାମଲା ରୁଜୁ ହୋଇଥିଲା ।

Leave a Reply

Your email address will not be published. Required fields are marked *