ଫସଲ ବୀମା ଯୋଜନାରେ ବଡ଼ଧରଣର ଦୁର୍ନୀତି : ଦଲାଲ ନେଇଛନ୍ତି ଚାଷୀଙ୍କ ଅଧା ଟଙ୍କା

ବଲାଙ୍ଗୀର : ଚାଷୀଙ୍କ ହକ୍‌ ଟଙ୍କା ଲୁଟି ନେଉଛନ୍ତି ଦଲାଲ-ଅଧିକାରୀ । ଚାଷୀ ଓ ଦଲାଲଙ୍କ ଭିତରେ ହୋଇଥିବା ଫୋନ୍‌ ବାର୍ତ୍ତାଳାପର ଅଡିଓ ରେକର୍ଡିଂ ଏବେ ସାମ୍ନାକୁ ଆସିଛି । ରେକର୍ଡିଂରେ ଯାହା ତଥ୍ୟ ପଦାକୁ ଆସିଛି ତାହା ଆଶ୍ଚର୍ଯ୍ୟଜନକ । କାରଣ ଚାଷୀଙ୍କୁ ଦଲାଲ ସିଧାସିଧା କହୁଛି, ଯେତେ ଟଙ୍କା ସେ ପାଇବ ସେଥିରୁ ଅଧା ଦେବାକୁ ପଡ଼ିବ । ଅର୍ଥାତ୍‌, ଫିପ୍ଟି-ଫିପ୍ଟି (ଅଧା-ଅଧା)ରେ କାମ ହେବ । ଆଉ ଚାଷୀ ବି ଅନ୍ୟ ଉପାୟ ନପାଇ ଦଲାଲ କଥାରେ ହଁ ଭରୁଛି । ଏ ଦଲାଲ ଜଣକ କିଏ ? କେଉଁଠି ଘର ? କେମିତି ପାଇଲା ଚାଷୀଙ୍କ ସବୁ ତଥ୍ୟ ? ତାହା ବି ଧୀରେ ଧୀରେ ସାମ୍ନାକୁ ଆସିବ‌ାରେ ଲାଗିଛି ।

ସୂଚନା ଅନୁସାରେ, କୃଷି ବୀମା ଟଙ୍କା ଚାଷୀଙ୍କୁ ପ୍ରଦାନ କରିବା ପ୍ରକ୍ରିୟାରେ ଏକ ବଡ଼ ରାକେଟ କାମ କରୁଛି । ଜିଲ୍ଲାରେ ଚାଷୀଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟ୍‌ ହୋଇସାରିଲାଣି । ଦଲାଲ, ଅଧିକାରୀମାନେ ମାଲାମାଲ ହୋଇଛନ୍ତି । ଏବେବି ହଜାର ସଂଖ୍ୟାରେ ଚାଷୀ ତାଙ୍କର ବୀମା ଟଙ୍କା ପାଇନାହାନ୍ତି । କାରଣ ସେମାନଙ୍କ ନିକଟକୁ ଦଲାଲ ପହଞ୍ଚି ନାହାନ୍ତି କିମ୍ବା ଦଲାଲ କଥାରେ ଅନେକ ମନା କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା, ପ୍ରକୃତ ଚାଷୀଙ୍କ ଟଙ୍କା ଅନ୍ୟ ଲୋକଙ୍କ ଆକାଉଣ୍ଟରେ ଜମା ହେଉଛି । ଆଉ ସେହି ଟଙ୍କାକୁ ବି ହଡ଼ପ କରାଚାଲିଛି ।

ଏମିତି ଜଣେ ଚାଷୀ ହେଉଛନ୍ତି, ସଇନ୍ତଳା‌ ବ୍ଲକ୍‌ ଅଞ୍ଚଳର ସନ୍ତୋଷ ପଟେଲ । ତାଙ୍କର ୟୁଜିବିରେ ଆକାଉଣ୍ଟ ଅଛି । ଗତବର୍ଷ ସେପ୍ଟେମ୍ବର ୩୦ ତାରିଖରେ ତାଙ୍କୁ ଟଙ୍କା ଦିଆଯାଇଥିବା ବୀମା କମ୍ପାନି କହୁଛି । ସତକଥା ହେଉଛି, ସନ୍ତୋଷ ଟଙ୍କା ପାଇନାହାନ୍ତି । ହେଲେ, ତାଙ୍କ ଟଙ୍କା ୟୁନିଅନ ବ୍ୟାଙ୍କ ସଇନ୍ତଳା ବ୍ରାଞ୍ଚର ଏକ ଆକାଉଣ୍ଟ ନମ୍ବରରେ ପଡ଼ିଛି । ସେହିପରି ମହନ୍ତ ବଗର୍ତ୍ତି, ଗରିବ ନାଗଙ୍କ ସହ ବହୁ ଚାଷୀଙ୍କ ଟଙ୍କା ବି ଅନ୍ୟ ଆକାଉଣ୍ଟରେ ପକାଯାଇ ହଡ଼ପ ହୋଇଛି । ଅନେକ ଚାଷୀଙ୍କ କ୍ଷେତ୍ରରେ ଏଭଳି ହୋଇଛି । ସେମାନେ ଯାହା ଆକାଉଣ୍ଟ ନମ୍ବର ଦେଇଥିଲେ ସେଥିରେ ନପଡ଼ି ଅନ୍ୟ ଆକାଉଣ୍ଟ ଜରିଆରେ ସେମାନଙ୍କ ଟଙ୍କା ସବୁ ହଡ଼ପ ହୋଇଛି ।

ସଇନ୍ତଳା ବ୍ଲକ୍‌ ବିଭିନ୍ନ ପଂଚାୟତରେ ଦଲାଲ ସକ୍ରିୟ ହୋଇ ଟଙ୍କା ଲୁଟ୍‌ କରିଥିବା ଜଣାପଡ଼ିଛି । ଏହା ଭିତରେ କିଛି ଚାଷୀ ଟଙ୍କା ନ ପାଇବାରୁ ଦଲାଲଙ୍କୁ ଫୋନ୍ କରିଥିଲେ । ଦଲାଲଙ୍କୁ ନାମ କହିବାପରେ ସେ ଫାଇଲ ଦେଖି କେତେ ଟଙ୍କା ସୂଚନା ଦେଇଥିଲେ । ଏଥିସହିତ ତାଙ୍କ ଫାଇଲ ପ୍ରତ୍ୟାଖ୍ୟାନ ତାଲିକାରେ ଅଛି । ଯଦି ଅଧା ଟଙ୍କା ଦେବ ତା’ହେଲେ କାମ ହୋଇଯିବ ବୋଲି ସେ କହିଥିଲେ । ଚାଷୀଙ୍କ ସମ୍ପର୍କରେ ଏତେଗୁଡ଼ା ତଥ୍ୟ ଦଲାଲ କିଭଳି ପାଇଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହି ସମୁଦାୟ ପ୍ରକ୍ରିୟା ଓ ଦୁର୍ନୀତିରେ ସନ୍ଦେହଘେରକୁ ଆସିଛି ସଇନ୍ତଳା କୃଷି କାର୍ଯ୍ୟାଳୟ । ସଇନ୍ତଳାରେ ଚାଷୀଙ୍କ ଟଙ୍କା ଯାହା ଲୁଟ୍‌ ହୋଇଛି, ତାହା ଟିଟିଲାଗଡ଼ରୁ ପରିଚାଳିତ ହେଉଥିଲା । ସବୁ ଚାଷୀଙ୍କ ଫାଇଲ ଟିଟିଲାଗଡ଼ ଏଡିଏଓ ପଠାଉଥିଲେ । ତାହା ଦେଖି କମ୍ପାନି ଟଙ୍କା ଦେଉଥିଲା । ସଇନ୍ତଳାରେ ଥିବା ଅଧିକାରୀଙ୍କ ତଥ୍ୟ ବି ବାବୁ ଦେଖୁନଥିଲେ । ମନଇଚ୍ଛା ଦଲାଲ ଯାହା ତଥ୍ୟ ଦେଲା ସେଥିରେ ମୋହର ମାରି ଫାଇଲ ପାସ ହେଉଥିଲା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଇନ୍ତଳାର ଅଧିକାରୀ ଯାହା ତଥ୍ୟ ଟିଟିଲାଗଡ଼ ଏଡିଏଓଙ୍କୁ ଦେଉଥିଲେ, ତାହା ସେ ପାଇବା ପୂର୍ବରୁ ବି ସାର୍ଟିଫାଏଡ କପି କମ୍ପାନିକୁ ଅନ୍ୟ ଆକାଉଣ୍ଟ ନମ୍ବର ଦେଇ ପଠାଇ ଦେଉଥିଲେ । ଏଭଳି ଭାବରେ ଚାଷୀଙ୍କ ଟଙ୍କା ସବୁ ଲୁଟ ହୋଇଛି । ଦାୟିତ୍ୱରେ ଥିବା କିରାଣି ଓ ଅଧିକାରୀଙ୍କ ଇସାରାରେ ସବୁ କାରବାର ଚାଲିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *