ଉମରକୋଟ : ବ୍ୟବଚ୍ଛେଦ ପାଇଁ ଆସିଥିବା ଶବକୁ ପରିତ୍ୟକ୍ତ ଭାବେ ଫୋପାଡ଼ି ଦେଇଥିଲେ । ରାତି ସାରା ଖୋଲାମେଲାରେ ପଡ଼ିଥିବା ଶବକୁ ଭୋଜନ ରୂପେ ଗ୍ରହଣ କରିଥିଲେ ଦଳ ଦଳ ମୂଷା । ମୁହଁର ଉପର ଭାଗକୁ ଅଧାଅଧି ଖାଇ ଯାଇଛନ୍ତି । ସ୍ବାସ୍ଥ୍ୟ ବିଭାଗର ଏଭଳି ଦାୟିତ୍ବହୀନତାର ଚିତ୍ର ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରୁ ଆସିଛି । ଏହି ଘଟଣା ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପାଇଥିବା ଡାକ୍ତରଖାନାର ଅବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି । ଆଜି ସକାଳେ ମହଁକୁ ଟୁକଡ଼ା ଟୁକୁଡ଼ା କରି ମୂଷା ଖାଇଥିବା ଦେଖିବା ପରେ ମୃତକଙ୍କ ସଂପର୍କୀୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ଘଟଣା ପାଇଁ ସ୍ବାସ୍ଥ୍ୟ ବିଭାଗ ଉତ୍ତର ଦାୟିତ୍ବ ନେବା ବଦଳରେ ହାତ ଛାଡ଼ି ଦେଇଛି ।
ସୂଚନା ଅନୁଯାୟୀ, ଉମରକୋଟ ସହରର ଡିଏନ୍କେ ଅଞ୍ଚଳର ମୁନା ହରିଜନ ମାନସିକ ଭାରସାମ୍ୟ ହରାଇ ପୋଡ଼ାଗଡ଼ ଜଙ୍ଗଲରେ ଆତ୍ମହତ୍ୟା କରିଥିଲେ । ଗତକାଲି ସଂଧ୍ୟାରେ ପୁଲିସ ଶବ ଜବତ କରି ଉମରକୋଟ ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ସଂଧ୍ୟା ହୋଇଯିବାରୁ ଗତକାଲି ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା । ଆଜି ସକାଳେ ବ୍ୟବଚ୍ଛେଦ କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ । କିନ୍ତୁ ଶବ କିଭଳି ସୁରକ୍ଷିତ ଭାବେ ରହିବେ ତାହାର କୌଣସି ବ୍ୟବସ୍ଥା କରାଗଲା ନାହିଁ । ଗୋଟିଏ କଠୋରିରେ ପରିତ୍ୟକ୍ତ ଭଳି ଶବକୁ ଗୋଟିଏ କୋଣରେ ଛାଡ଼ି ଦିଆଗଲା । ଆଜି ସକାଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା । ତେବେ ଶବ ପାଇବାପରେ ପରିବାର ଲୋକ ଦେଖିବା ବେଳକୁ ବିକୃତ ହୋଇଯାଇଥିବା ମୁହଁକୁ ଦେଖି ବିବ୍ରତ ହୋଇଥିଲେ । କାରଣ ମୁହଁର ଗୋଟିଏ ଅଂଶକୁ ସାରା ରାତି ମୂଷା ଟିକ୍ଟିକ୍ କରି ଛିଣ୍ଡାଇ ଖାଇଛନ୍ତି ।
ଏହି ଡାକ୍ତରଖାନା ପାଇଁ ଏଭଳି ଘଟଣା ଆଦୌ ନୂଆ ନୁହେଁ । ପୂର୍ବରୁ ଅନେକ ଥର ଏମିତି ଘଟଣା ଘଟି ସାରିଛି । ଶବକୁ ସୁରକ୍ଷିତ ଭାବେ ରଖିବା ବ୍ୟବସ୍ଥା ନଥିବାରୁ ମୂଷା ଶବକୁ ଛିଣ୍ଡାଇ ଖାଇବା ଭଳି ଅଭାବନୀୟ ଘଟଣା ଘଟିଛି । ତଥାପି ଏଥିପ୍ରତି କେହି ସଚେତନ ହେଉ ନାହାନ୍ତି କିମ୍ବା କୌଣସି ପଦକ୍ଷେପ ନେଉନାହାନ୍ତି । ଅନ୍ୟପକ୍ଷରେ ୫ ବର୍ଷ ତଳେ ଉମରକୋଟ ଡାକ୍ତରଖାନାକୁ ଉପଖଣ୍ଡ ମାନ୍ୟତା ଦିଆଯାଇଥିଲା । କିନ୍ତୁ ଉପଖଣ୍ଡ ଡାକ୍ତରଖାନା ପାଇଁ ଆବଶ୍ୟକ ଯନ୍ତ୍ରପାତି ଏବଂ ଭତ୍ତିଭୂମି ଏପର୍ଯ୍ୟନ୍ତ ମିଳିଲା ନାହିଁ । ଡାକ୍ତରଖାନା ଦାୟିତ୍ୱରେ ଥିବା ଅଧିକାରୀ ତଥା ଡାକ୍ତର ଶରତ ଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ମୂଷା କରିଥିବା ଗାତ ସବୁ ବନ୍ଦ କରି ଦେଇଛୁ । ଶବକୁ ମୂଷା ଖାଇବା ଭଳି ଘଟଣା ତାଙ୍କ ନଜରକୁ ଆସିନାହିଁ । ଶବ ସଂରକ୍ଷିତ କରି ରଖିବା ପାଇଁ ଗୋଟିଏ ଫ୍ରିଜର ଯୋଗାଇ ଦେବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି । ତଥାପି ଆଜିର ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ତଥା ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଏହି ଘଟଣା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
