ପ୍ରସୂତିଙ୍କ ଚିକିତ୍ସାରେ ସାଂଘାତିକ ଅବହେଳା: ଅସ୍ତ୍ରୋପଚାରର ୪ ମାସ ପରେ ବାହାରିଲା ଗଜ୍‌ କପଡା

ରାୟଗଡ଼ା : ପ୍ରସୂତିଙ୍କ ଚିକିତ୍ସାରେ ଡାକ୍ତରଙ୍କ ଚରମ ଅବହେଳା ଯୋଗୁ ଅସ୍ତ୍ରୋପଚାରର ୪ ମାସ ପରେ ପେଟରୁ ବାହାରିଛି ଗଜ କପଡା । ବହୁଦିନ ଧରି ଯନ୍ତ୍ରଣାରେ ଛଟପଟ, ଦ୍ବିତୀୟ ଥର ଅସ୍ତ୍ରୋପଚାର ଏବଂ ଖର୍ଚ୍ଚାନ୍ତ ପାଇଁ ପ୍ରସୂତିଙ୍କ ସ୍ବାମୀ ସଂପୃକ୍ତ ଡାକ୍ତରଙ୍କ ବିରୋଧ ଥାନାରେ ଏତଲା ଦେଇଛନ୍ତି । ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ରାୟଗଡ଼ା ଥାନା ପୁଲିସ୍ ଏତଲା ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ବିରିଗୁଡା କଲୋନିର କାଞ୍ଚନ ହାଲୁଆ ୨୦୨୧ ଅକ୍ଟୋବର ୩ ତାରିଖରେ ପ୍ରସବଜନତି ଯନ୍ତ୍ରଣା ଅନୁଭବ କରିଥିଲେ । ସ୍ବାମୀ ଚେତନ ହାଲୁଆ ଚିକିତ୍ସା ପାଇଁ କାଞ୍ଚନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେହିଦିନ ହିଁ ଡା. ଲତିକା ବେହେରା ଅସ୍ତ୍ରୋପଚାର କରିବାପରେ କାଞ୍ଚନ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଅସ୍ତ୍ରୋପଚାର ପରେ ଷ୍ଟିଚ୍ ସମୟରେ ଡାକ୍ତରଙ୍କ ଅସାବଧାନତା କାରଣରୁ ଗଜ କପଡା କାଞ୍ଚନଙ୍କ ପେଟ ଭିତରେ ରହିଯାଇଥିଲା । ଅକ୍ଟୋବର ୮ ତାରିଖରେ କାଞ୍ଚନ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ । ଅସ୍ତ୍ରୋପଚାରର ୧୫ ଦିନ ପରେ କାଞ୍ଚନ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ରାୟଗଡ଼ା ଡାକ୍ତରଖାନାକୁ ଆସି ଡାକ୍ତର ପ୍ରଫୁଲ୍ଲ ପାଢ଼ୀଙ୍କ ନିକଟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ଗ୍ୟାସ୍ ଯୋଗୁ ପେଟ ଯନ୍ତ୍ରଣା ହେଉଥିବା ସନ୍ଦେହ କରି ଡାକ୍ତର ଶ୍ରୀ ପାଢ଼ୀ ଔଷଧ ଦେଇ କାଞ୍ଚନଙ୍କୁ ଘରକୁ ପଠାଇ ଦେଇଥିଲେ । ୩ ମାସ ଧରି କାଞ୍ଚନ ଔଷଧ ଖାଇଥିଲେ ମଧ୍ୟ ପେଟ ଯନ୍ତ୍ରଣା କମିନଥିଲା । ୨୦୨୨ ଜାନୁଆରି ୩୧ ତାରିଖରେ କାଞ୍ଚନ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଅଲଟ୍ରାସାଉଣ୍ଡ କରିବା ପରେ ପେଟରେ ଗଜ କପଡା ରହିଥିବା ଜଣାପଡିଥିଲା । ପୁଣି ଅସ୍ତ୍ରୋପଚାର କରି ଗଜ କପଡ଼ା ହାର କରିବାକୁ ଡାକ୍ତର ପରାମର୍ଶ ଦେବା ପରେ ସ୍ବାମୀ ଚେତନ ଚିନ୍ତାରେ ପଡ଼ିଲେ ।

ସରକାରୀ ଡାକ୍ତରଖାନା ଉପରେ ଭରସା ନ କରି ୨୦୨୨ ଫେବ୍ରୁଆରି ୫ ତାରିଖରେ କାଞ୍ଚନ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ଅସ୍ତ୍ରୋପଚାର ପରେ ପେଟ ଭିତରେ ଥିବା ଗଜ କପଡା ବାହାରିଥିଲା । ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ କାଞ୍ଚନ ଘରକୁ ଫେରିବା ପରେ ସ୍ବାମୀ ଚେତନ ଡାକ୍ତରଙ୍କ ଅବହେଳାକୁ ନେଇ ରାୟଗଡ଼ା ଥାନାରେ ଏତଲା ଦେଇଛନ୍ତି । ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଚେତନ ଏତଲାରେ ଉଲ୍ଲେଖ କରିଛନ୍ତି । ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଏତଲା ଗ୍ରହଣ କରିଥିବାବେଳେ, ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *