ସୀମା ଟପିଲା ବ୍ରାହ୍ମଣୀ ଜଳ ପ୍ରଦୂଷଣ

ରାଉରକେଲା : ଇସ୍ପାତ ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟଜଳକୁ ବିନା ପରିଚାଳନାରେ ସିଧାସଳଖ ନଦୀକୁ ନିଷ୍କାସନ କରାଯାଉଥିବାରୁ ଦୂଷିତ ହେବାରେ ଲାଗିଛି ବ୍ରାହ୍ମଣୀ ନଦୀ । ରାଜ୍ୟର ଏକାଧିକ ସହର ଦେଇ ପ୍ରବାହିତ ତଥା ଜୀବନଜୀବିକା ଦେଉଥିବା, ପାନୀୟ ଜଳ ଯୋଗାଉଥିବା ଏହି ନଦୀର ଉତ୍ପତ୍ତି ସ୍ଥଳ, ଅର୍ଥାତ୍‌ ରାଉରକେଲାରୁ ହିଁ ଏହା ପ୍ରଦୂଷିତ ହେବାରେ ଲାଗିଛି । ବ୍ରାହ୍ମଣୀ ନଦୀ ଜଳର ସ୍ଥିତି ଏବେ ସଙ୍ଗୀନ ହେଲାଣି । ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ଅହେତୁକ ବିଳମ୍ବ ଏହାର ମୁଖ୍ୟ କାରଣ ପାଲଟିଛି । ତେବେ, ବ୍ରାହ୍ମଣୀ ନଦୀକୁ ଇସ୍ପାତସହରର ବର୍ଜ୍ୟ ଜଳ ଛାଡ଼ିବା ଏବେ ପ୍ରଶାସନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ମାମଲା ଏବେ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି । ଶୁକ୍ରବାର ଦିନ ଅନଲାଇନ୍‌ ଶୁଣାଣିରେ ଉପସ୍ଥିତ ରହିବାକୁ ଉଚ୍ଚ ନ୍ୟାୟାଳୟ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ଆସନ୍ତାକାଲି ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) କର୍ତ୍ତୃପକ୍ଷ ଏହି ଶୁଣାଣିରେ ଉପସ୍ଥିତ ରହିବେ । ନିର୍ମାଣାଧୀନ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ର ସ୍ଥିତି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ହେଉଛି ନା ନାହିଁ; ସେନେଇ ପକ୍ଷ ରଖିବେ ।

ଇସ୍ପାତ ସହରରେ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ନିର୍ମାଣର ଅଗ୍ରଗତି ଅତ୍ୟନ୍ତ ନୈରାଶ୍ୟଜନକ । ୨୦୧୭ ମସିହା ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, ଏକାଧିକ ବାର ଅବଧି ବି ସରିଲାଣି; କିନ୍ତୁ ଏଯାବତ୍‌ ଏହା ସମ୍ପନ୍ନ ହୋଇନି । ଫଳରେ ଇସ୍ପାତ ସହରରୁ ନିର୍ଗତ ବର୍ଜ୍ୟ ଜଳ ସିଧାସଳଖ ବ୍ରାହ୍ମଣୀ ନଦୀରେ ପଡ଼ୁଛି । ଉଲ୍ଲେଖଯୋଗ୍ୟ, ୨୩୧ କିଲୋମିଟର ଲମ୍ବ ବିଶିଷ୍ଟ ସ୍ବେରେଜ୍‌ ପାଇପ୍‌ ବିଛା ଓ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌(ଏସ୍‌ଟିପି) ସ୍ଥାପନ ପାଇଁ ମୋଟ୍‌ ୩୨୦.୪୦ କୋଟି ବ୍ୟୟ ବରାଦ ହୋଇଥିଲା । ମୋଟ୍‌ ଦୁଇଟି ପ୍ରକଳ୍ପ,- ‘ଏସ୍‌ଟିପି ପୂର୍ବ’ ଓ ‘ଏସ୍‌ଟିପି ପଶ୍ଚିମ’ ପାଇଁ ଅନୁଦାନ ଆସିଥିଲା । ତେବେ କୋଏଲନଗର, ଝିରପାଣି, ଜଗଦା ଅଞ୍ଚଳରେ ହେବାକୁ ଥିବା ‘ଏସ୍‌ଟିପି ପୂର୍ବ’ ପ୍ରକଳ୍ପ ବାତିଲ୍‌ ହୋଇଯାଇଥିଲା । ଉକ୍ତ ଅଞ୍ଚଳରେ ପ୍ରକଳ୍ପ ପାଇଁ ଆବଶ୍ୟକ ସାଢ଼େ ୪ ଏକର ଜମି ମିଳିପାରିନଥିଲା । ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଉକ୍ତ ଜମି ଯୋଗାଇବାରେ ଅସମର୍ଥ ପ୍ରକାଶ କରିବାରୁ ଏହି ପ୍ରକଳ୍ପ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ହୋଇଯାଇଛି ।

ଅପରପକ୍ଷରେ ‘ଏସ୍‌ଟିପି ପଶ୍ଚିମ’ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପ ଅଧୀନରେ ବାଲୁଘାଟରେ ପ୍ରାୟ ୨୪ ଏକର ପରିମିତ ଅଞ୍ଚଳରେ ଏସ୍‌ଟିପି ସ୍ଥାପିତ ହୋଇଛି । ଏହାସହ ସିଭିଲ୍‌ ଟାଉନସିପ୍‌ରେ ମୁଖ୍ୟ ପମ୍ପିଂ ଷ୍ଟେସନ ନିର୍ମାଣ ସରିସାରିଥିବାରୁ ଏ ଅଞ୍ଚଳର ପ୍ରତ୍ୟେକ ଘରକୁ ସ୍ବେରେଜ୍‌ ପାଇପ୍‌ ସଂଯୋଗ କରାଯାଇଛି । ତେବେ; ସହରର ଅନ୍ୟ ପ୍ରମୁଖ ଅଞ୍ଚଳ, ଯଥା-ଛେଣ୍ଡ୍‌, ବାସନ୍ତୀ କଲୋନି, ରେଲୱେ କଲୋନି, ପାନପୋଷ, ଡେଲିମାର୍କେଟ୍‌, କଳିଙ୍ଗ ବିହାର, ମାଲଗୋଦାମ ଆଦି ଅଞ୍ଚଳରେ ଏହି ସେବା ଆରମ୍ଭ ହୋଇପାରିନି । କାରଣ, ଏହି ଅଞ୍ଚଳରୁ ବର୍ଜ୍ୟ ଜଳ ସଂଗ୍ରହ ପାଇଁ ପ୍ରସ୍ତାବିତ ୪ଟି ପମ୍ପିଂ ଷ୍ଟେସନ, ଯଥା-ଉଦିତନଗର ମ୍ୟୁନିସିପାଲ କଲେଜ ପାଖ, ପ୍ରଧାନପଲ୍ଲୀ, ଛେଣ୍ଡ୍‌ ଶିଳ୍ପାଞ୍ଚଳ, ରେଲୱେ କଲୋନିରେ ଏହି ପମ୍ପିଂ ଷ୍ଟେସନ କାର୍ଯ୍ୟକ୍ଷମ ହୋଇନି । ଏଥିମଧ୍ୟରୁ ୨ଟି ପମ୍ପି ଷ୍ଟେସନର ନିର୍ମାଣ ଶେଷ ହୋଇସାରିଥିବାବେଳେ ଆଉ ୨ଟିର ନିର୍ମାଣ ସରିନି । ଏତଦ୍‌ବ୍ୟତୀତ ସ୍ବେରେଜ୍‌ ପାଇପ୍‌ ବିଛା କାର୍ଯ୍ୟ ବି ଅଧପନ୍ତରିଆ ହୋଇ ପଡ଼ିରହିଛି । ଏଣୁ ପାଇପ୍‌ ବିଛା ଯିବା ସହ ପମ୍ପିଂ ଷ୍ଟେସନ୍‌ ନିର୍ମାଣ କାର୍ଯ୍ୟ କେବେ ସରିବ; ତାହା ଅସ୍ପଷ୍ଟ । ତେବେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସମ୍ପନ୍ନ କରିବା ଓ ଜୁନ୍‌ ସୁଦ୍ଧା ପ୍ରକଳ୍ପ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀଙ୍କ ସୂଚନାରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *