ଵଣାଇଁଗଡ : ସୁନ୍ଦରଗଡ଼ ଜିଲ୍ଲା ଵଣାଇଁ ବ୍ଲକ୍ କେନ୍ଦ୍ରିକଳା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳିଛି ଭଙ୍ଗା କୁଡିଆର ବିକଳ ଚିତ୍ର । ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ୱେ କାହିଁକି ସୁଫଳ ପାଇପାରୁ ନାହାନ୍ତି ସାଧାରଣ ଜନତା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା, ଏତେ ସବୁ ଯୋଜନା ପରେ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏସବୁ ପହଞ୍ଚି ପାରୁନାହିଁ କେମିତି ? ସରକାରୀ ବାବୁମାନଙ୍କ ସଲାସୁତୁରାରେ ବାଟବଣା ହୋଇଯାଉଛି କି ସବୁକିଛି ? ଏହାର ସଦ୍ୟତମ ଉଦାହରଣ ହେଉଛି କେନ୍ଦ୍ରିକଳା ଗ୍ରାମ ପଞ୍ଚାୟତ ନିକଟସ୍ଥ କଲୋନୀ ସାହିରେ ଥିବା ଜଣେ ଭୂମିହୀନ ଗରିବ ପ୍ରଶନ୍ନ ନାଏକ । ଭଙ୍ଗା କୁଡିଆ ଭିତରେ ପତ୍ନୀଙ୍କ ସହ ଦୁଇ ପୁଅ ଝିଅ ନେଇ ଖୋଲା ଆକାଶ ତଳେ ରହୁଥିବା ବେଳେ, ସେହି ଭଳି ଭାବେ ଅଲେଖପୁର ଗ୍ରାମର ରଙ୍ଗ ପାତ୍ର ବୟସ ୬୫ ପାଖାପାଖି ଅଭାବି ମଣିଷ ହିସାବରେ ମାଁ ପୁଅ ଦୁଇ ଜଣଙ୍କ ସଂସାର ।ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ ।

ଫଳରେ ଦିନରେ ଖରା ଆଉ ରାତିରେ ତାରା ଦେଖି ଦେଖି ଭଙ୍ଗା କୁଡିଆରେ ଜୀବନ ଯାପନ କରୁଛନ୍ତି । ଅନୁରୂପ ଭାବେ ଆଉଜଣେ ହେଲେ ପାଣ୍ଡୁରିଶିଳା ଗ୍ରାମ ୧୪ ନଂ ୱାର୍ଡର ମିନା ବଳ, ଭଙ୍ଗା ଘର ତ ଦୂରର କଥା ଭୂମିହୀନ ହୋଇଥିବାରୁ ରାସ୍ତା କଡ଼ରେ ଖଣ୍ଡେ ପଲିଥିନ ଟାଙ୍ଗି ନିଜର ସାଂସାରିକ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ଏ ଅବସ୍ଥାରେ ରହିଲେ ମଧ୍ୟ ସେମାନଙ୍କ ପ୍ରତି କେବେ ହେଲେ ସରକାରୀ ବାବୁ ତଥା ସ୍ଥାନୀୟ ନେତାମାନଙ୍କ ଦୃଷ୍ଟି ଗୋଚର ହେଉନାହିଁ କେମିତି ? ଅନେକ ଥର ପଞ୍ଚାୟତ ଯାଇ ନେହୁରା ହେଲେ ମଧ୍ୟ ବାବୁମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ସେମାନଙ୍କ ସ୍ୱର । ତେଣୁ ପ୍ରାଥମିକତା ଭିତ୍ତିରେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ପକ୍କାଘର ଖଣ୍ଡେ ଲେଖାଏଁ ଏମାନଙ୍କ ନାମରେ ଅନୁମୋଦନ କରିବା ନିମନ୍ତେ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି ।
