ତେଲକୋଇ : ନିଆଁର ଆଁ ଭିତରେ ତେଲକୋଇ ବନାଞ୍ଚଳର ଦୁଇଟି ସଂରକ୍ଷିତ ଜଙ୍ଗଲ । ସମାକୋଇ ଓ କଳାପାଟ ସଂରକ୍ଷିତ ଜଙ୍ଗଲରେ ଦିନରାତି ଜଳୁଛି ନିଆଁ । ଜଳୁଛି ଜଙ୍ଗଲ ଆଉ ସଂଙ୍କଟରେ ବନ୍ୟଜନ୍ତୁ । ଥମିବାର ନାଁ ଧରୁନି ଜଙ୍ଗଲି ନିଆଁର ପ୍ରକୋପ ।
କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର ଭିମକାଣ୍ଡ ପଞ୍ଚାୟତ ସମାକୋଇ ସଂରକ୍ଷିତ ଜଙ୍ଗଲର ଗୋଧିହୁଡି ଓ କାଣ୍ଡପଶି ଗାଁ ମଧ୍ୟରେ ଥିବା କୁକୁର ଖାଇ ଜଙ୍ଗଲ ଜଳୁଥିବା ବେଳେ, କଳାପାଟ ସଂରକ୍ଷିତ ଜଙ୍ଗଲର ବାଉଁଶିଆ ପାହାଡରେ ମଧ୍ୟ ନିଆଁ ଲାଗିଛି । ହୁତୁ ହୁତୁ ହୋଇ ଜଳିଯାଉଛି ଏକର ଏକର ମୂଲ୍ୟବାନ ଜଙ୍ଗଲ ।
ନିଆଁର ଆଁ ଭିତରେ ହଜିଯାଉଛି ଶାଳ, ପିଆଶାଳ, ଭଳି ମୂଲ୍ୟବାନ ଗଛ ସହ ଔଷଧିୟ ଗୁଳ୍ମ । ଜଙ୍ଗଲ ଜଳିବା ଯୋଗୁଁ ଧିରେ ଧିରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲରେ ଥିବା ବାରାହା, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି । ୧୦ ଦିନ ହେବ ତେଲକୋଇ ରେଞ୍ଜର ବିଭିନ୍ନ ଜଙ୍ଗଲରେ ନିଆଁ ର ପ୍ରକୋପ ଜାରି ରହିଛି ।
ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗ ବିଫଳ ହୋଇଥିବାବେଳେ, ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଏବେ ଚିନ୍ତାର କାରଣ ପାଲଟିଛି । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଫାୟାର ସ୍କାର୍ଡ, ବନସୁରକ୍ଷା ସମିତି କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ କୌଣସୀ ସୁଫଳ ମିଳିପାରୁ ନାହିଁ, ଯାହା ବନବିଭାଗର ପାରିବା ପଣିଆକୁ ପଦାରେ ପକାଇଛି ।
ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ସର୍ବଗ୍ରାସୀ ନିଆଁ ଯେଭଳି ଭାବରେ ଉଗ୍ର ରୂପ ଧାରଣ କଲାଣି, ବେଳ ଥାଉଁ ଥାଉଁ ବନବିଭାଗ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଶହ ଶହ ହେକ୍ଟର ମୂଲ୍ୟବାନ ଜଙ୍ଗଲ ସହ ବିରଳ ପ୍ରଜାତିର ବଜ୍ରକାପ୍ତା ଓ ଅନ୍ୟ ଜୀବଯନ୍ତୁ ଲୋପ ପାଇବାର ଆଶଙ୍କା ଦେଖାଦେଇଛି ।
