କନିକା ନାଳରେ ଏମ୍‌ସିଏଲ୍‌ର କଳା ଜହର, ସଫେଇ ନାମକୁ ମାତ୍ର

ସୁନ୍ଦରଗଡ଼ : ହେମଗିର ବ୍ଲକ୍‌ କନିକା ଗ୍ରାମର ଖଲିଆବାହାଲ ଓ ଝୁପୁଡ଼ିପଡ଼ା ପାଇଁ ଏକଦା ବରଦାନ ପାଲଟିଥିବା ଚିରସ୍ରୋତା କନିକା ନାଳ(ଯୋର) ମହାନଦୀ ଖୋଲାମୁହଁ କୋଇଲା ଖଣି (ଏମ୍‌ସିଏଲ୍‌) ଯୋଗୁ ଅଭିଶାପ ପାଲଟିଛି । ଏମ୍‌ସିଏଲ୍‌ କୋଇଲା ସାଇଡିଂର ସବୁ କୋଇଲା ଗୁଣ୍ଡ ଓ ମଇଳା ପାଣି ସିଧା ନାଳରେ ଛାଡ଼ିବା ଦ୍ବାରା କନିକା ନାଳରେ ଭରିଯାଇଛି କଳା ଜହର । ଲୋକେ ଏଥିରେ ସ୍ନାନ କରିବା ତ ଦୂରର କଥା, ଶୌଚ ପାଇଁ ବି ନାକ ଟେକିବାକୁ ବାଧ୍ୟ ହେଉଛନ୍ତି । କୋଇଲା କଳାପାଣିର ପ୍ରକ୍ରିୟାକରଣ କରି ନାଳରେ ଛାଡ଼ିବାକୁ ଲୋକେ ବର୍ଷ ବର୍ଷ ଧରି ଦାବି କରିବା ପରେ ଚଳିତ ବର୍ଷ ଏମ୍‌ସିଏଲ୍‌ ନାଳ ସଫେଇ ପାଇଁ ପଦକ୍ଷେପ ନେଇଛି । କିନ୍ତୁ ଧର୍ମକୁ ଆଖି ଠାର । ନାଳ ସଫେଇ ପାଇଁ ଏମ୍‌ସିଏଲ୍‌ ୧୩ ଲକ୍ଷ ଟଙ୍କା ଯୋଗାଇଦେଇଛି । କିନ୍ତୁ ସଫେଇ କାମ ନାମକୁ ମାତ୍ର । ନାଳରେ ଭରିଥିବା କୋଇଲା ଗୁଣ୍ଡ ଠିକ୍‌ ଭାବେ ଉଠାଯାଉଛି କି ନାହିଁ, ମଇଳା ପାଣି ସଫ‌ା ହେଉଛି କି ନାହିଁ, ତା’ର ତଦାରଖ ପାଇଁ କେହି ନାହିଁ । ଏମ୍‌ସିଏଲ୍‌ ଅର୍ଥ ଯୋଗାଇଦେଇ ହାତ ଝାଡ଼ିଦେଇଛି । ୧୩ ଲକ୍ଷ ଟଙ୍କାରେ ଏମ୍‌ସିଏଲ୍‌ ସାଇଡିଂ ନିକଟ ରେଲୱେ ପୋଲ ଠାରୁ ଶିବମନ୍ଦିର ପର୍ଯ୍ୟନ୍ତ ୨ କିଲୋମିଟର ଅଂଶରୁ ୨ ହଜାର କ୍ୟୁବିକ୍‌ ମିଟର କୋଇଲାଗୁଣ୍ଡ ଉଠାଇବାକୁ ବୈଷୟିକ ନିର୍ଦ୍ଦେଶ ରହିଛି । ନାଳରୁ ୫-୬ ଫୁଟ୍‌ କୋଇଲା ଆସ୍ତରଣ ଉଠାଇ ସମ୍ପୂର୍ଣ୍ଣ ସଫେଇ କରିବା କଥା । କିନ୍ତୁ ଠିକାଦାର କେବଳ ଗାଧୁଆ ଘାଟ ଓ ଜନବସତି ନିକଟ ସ୍ଥାନରୁ ନିର୍ଦ୍ଦେଶ ମୁତାବକ ଉଠାଇ ବାକି ଅଂଶରୁ ମାତ୍ର ୧-୨ ଫୁଟ୍‌ କୋଇଲା ଗୁଣ୍ଡ ଉଠାଇ ‌ଯେନତେନ ପ୍ରକାରେ କାମ ଶେଷ କରିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।

ପ୍ରକାଶଯୋଗ୍ୟ, ଚିରସ୍ରୋତା କନିକା ନାଳ ଉପରେ କାହିଁ କେଉଁ କାଳରୁ ନିର୍ଭର କରି ଆସୁଥିଲେ କନିକା ଗ୍ରାମର ଖଲିଆବାହାଲ ଓ ଝୁପୁଡ଼ିପଡ଼ାର ଲୋକେ । ହଜାରେ ଜନସଂଖ୍ୟା ବିଶିଷ୍ଟ ଏହି ପଡ଼ା ପାଇଁ ଏହା ହିଁ ଥିଲା ଏକମାତ୍ର ଉପାଦେୟ ଜଳଉତ୍ସ । ଟାଇଁଟାଇଁ ଖରାରେ ମଧ୍ୟ ନାଳରେ ଜଳ ଊଣା ପଡ଼ୁ ନଥିଲା । ୨୦୦୫ରେ ଏମ୍‌ସିଏଲ୍‌ କୋଇଲା ଖଣିର କନିକା ରେଲୱେ ସାଇଡିଂ ହେବା ପରଠୁ ସେଥିର କୋଇଲା ମିଶ୍ରିତ ପାଣି କନିକା ନାଳରେ ସିଧା ମିଶିଲା । ୧୬ ବର୍ଷ ହେଲା ଏହି ସାଇଡିଂରୁ ଅନବରତ ନିର୍ଗତ କୋଇଲା ପାଣିକୁ ପ୍ରକ୍ରିୟାକରଣ ମାଧ୍ୟମରେ ଛାଣି ସ୍ବଚ୍ଛ ପାଣି ନାଳରେ ଛାଡ଼ିବାକୁ ଲୋକେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏମ୍‌ସିଏଲ୍‌ କେବଳ ପ୍ରତିଶ୍ରୁତି ଦେଇ ଚାଲିଥିଲା । ‌ଏପଟେ କୋଇଲାର କଳା ଦୂଷିତ ପାଣି ନିର୍ଗତ କରି ଚାଲିଥିବାରୁ ନାଳଟି କୋଇଲା ପାଣିର ଏକ ଡ୍ରେନ୍‌ରେ ପରିଣତ ହୋଇଛି । କିଛିବର୍ଷ ପୂର୍ବରୁ ସାଇଡିଂ ପାର୍ଶ୍ବବର୍ତ୍ତୀ ଦୁଇଫସଲ ଉତ୍ପାଦନକ୍ଷମ ଅତି ଉର୍ବର ଚାଷଜମିରେ ଦୁଇ ଫୁଟ୍‌ର କୋଇଲାଗୁଣ୍ଡ ଜମିଯିବା ଫଳରେ ସେ ଜମି ସବୁ ଆଉ ଚାଷପୋଯୋଗୀ ହୋଇ ରହିନାହିଁ । ତା’ ସହ ନାଳ ସଂଲଗ୍ନ ଆହୁରି ଅନେକ ଉର୍ବର ଜମି ମଧ୍ୟ ସେପରି ଅବସ୍ଥାକୁ ଚାଲିଗଲାଣି । ତେବେ କେବଳ ଖଲିଆବାହାଲ କି ଝୁପୁଡ଼ିପଡ଼ା ନୁହେଁ, ଏହି ନାଳ ଉପରେ ନିର୍ଭରଶୀଳ ଥିବା ତଳମୁଣ୍ଡର ଆହୁରି ଅନେକ ଗାଁ ମଧ୍ୟ ଏ ଜଳଜହରର ଯନ୍ତ୍ରଣା ଭୋଗି ଚାଲିଛନ୍ତି । ଏମ୍‌ସିଏଲ୍‌ ନିଜ ତଦାରଖରେ କନିକା ନାଳର ସମ୍ପୂର୍ଣ୍ଣ ସଫେଇ କରି ଲୋକଙ୍କୁ ବିପଦମୁକ୍ତ କରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *