ବାରିପଦା : କାରଖାନା ପ୍ରତିଷ୍ଠା ଲକ୍ଷ୍ୟରେ ଇଡକୋକୁ ଜମି ଦେବାକୁ ସରକାରୀସ୍ତରରେ ଉଦ୍ୟମ ଚାଲିଛି । ତେବେ ଏହାକୁ ବିରୋଧ କରିଛନ୍ତି ଆଦିବାସୀ । ପ୍ରଶାସନ ଜବରଦସ୍ତ ଜମି ନେବାକୁ ଉଦ୍ୟମ କଲେ ପରିସ୍ଥିତି ଭୟାବହ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଆଜି ଜିଲ୍ଲା ପ୍ରଶାସନକୁ ଆଦିବାସୀମାନେ ଚରମବାଣୀ ଶୁଣାଇ ଦେଇଛନ୍ତି । ଜୀବନ ଦେବୁ ପଛେ, ଇଞ୍ଚେ ଜାଗା ଦେବୁ ନାହିଁ । ଏହାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିବା ବେଳେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କଣ ହେଉଛି ତାକୁ ଦେଖିବାର କଥା । ଖବର ଅନୁଯାୟୀ ବାରିପଦା ତହସିଲ ଅନ୍ତର୍ଗତ ମୋହିନଗଞ୍ଜ ମୌଜାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଲୋକଙ୍କୁ ତତ୍କାଳୀନ ରାଜା ୩୪୦ ଏକର ୪୦ ଡିସିମିଲ ଜାଗା ଦେଇଥିଲେ ।
ଟ୍ରଷ୍ଟ ଏହାର ବୁଝାସୁଝା କରୁଥିବା ବେଳେ ଲୋକଙ୍କଠାରୁ ଖଜଣା ବି ଆଦାୟ କରାଯାଉଥିଲା । କହିବାକୁ ଗଲେ ୧୦୦ ବର୍ଷ ହେଲା ଏହି ଜାଗାରେ ଆଦିବାସୀମାନେ ଘରଦ୍ବାର ନିର୍ମାଣ କରି ରହି ଆସୁଛନ୍ତି । ତେବେ ସେହି ଜାଗାରୁ ୧୫୬ ଏକର ୮୫ ଡିସିମିଲ ଜାଗା କାରଖାନା ପ୍ରତିଷ୍ଠା ଲକ୍ଷ୍ୟରେ ଇଡକୋକୁ ଦେବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଏନେଇ ବାରିପଦା ତହସିଲ ପକ୍ଷରୁ ଜନଶୁଣାଣି କରିବାକୁ ଗତ ମାସ ୨୮ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିଲା । ତେବେ ମୋହିନଗଞ୍ଜ ମୌଜାବାସୀ ୧୫ ଦିନ ସମୟ ମାଗିଥିଲେ ।
ଆଜି ଜନଶୁଣାଣି ହେବ ବୋଲି ଗତ ୫ ତାରିଖରେ ପୁଣି ତହସିଲ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା । ହେଲେ ଏହାକୁ ଆଦିବାସୀମାନେ ବିରୋଧ କରିଛନ୍ତି । ଆଜି ରଜାବସା ପଞ୍ଚାୟତ ସରପଞ୍ଚ ରଂଜିତ ହାଁସଦା, ପୂର୍ବତନ ସମିତି ସଭ୍ୟ ଚୈତନ୍ୟ କିସ୍କୁ, ଉପେନ୍ଦ୍ର ମାରାଣ୍ଡି, ଦାଶରଥୀ ମାରାଣ୍ଡି, ଅଜୟ ହେମ୍ବ୍ରମଙ୍କ ନେତୃତ୍ବରେ ଶତାଧିକ ଅଞ୍ଚଳବାସୀ ଜିଲ୍ଲାପାଳ, ତହସିଲଦାର ଓ ରାଜସ୍ବମନ୍ତ୍ରୀଙ୍କୁ ଭେଟି ଇଡକୋକୁ ଜମି ନ ଦେବାକୁ କହିଛନ୍ତି । ଯଦି ପ୍ରଶାସନ ବଳପୂର୍ବକ ଜମି ନେବାକୁ ଉଦ୍ୟମ କରେ ତାହା ହେଲେ ପରିସ୍ଥିତି ଭୟାବୟ ହେବ । ଆଉ କଳିଙ୍ଗନଗର ପରିସ୍ଥିତି ଉପୁଜିଲେ ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ସତର୍କ କରାଇ ଦେଇଛନ୍ତି ।
