ପାନୀୟଜଳ ପ୍ରକଳ୍ପ ଅଛି, ହେଲେ ଲୋକଙ୍କ ପାଖରେ ପହଞ୍ଚୁନି ପାଣି

ବ୍ରହ୍ମବରଦା : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଙ୍ଗରାଜପୁର, ରାଉତରାପୁର ଅର୍ଥଙ୍ଗା, ବ୍ରହ୍ମବରଦା, ମହେଶ୍ବରପୁର, ବନ୍ଧଡିହ, ଝାଲପଡ଼ା ପଞ୍ଚାୟତରେ କୋଟିକୋଟି ଟଙ୍କାର ପ୍ରକଳ୍ପ ଛିଡ଼ାହୋଇଛି । ହେଲେ କୌଣସିଟି ଲୋକଙ୍କୁ ପାଣି ଯୋଗାଇବାରେ ସଫଳ ହୋଇନାହିଁ ।

ମଙ୍ଗରାଜପୁର ପଞ୍ଚାୟତ ବାଲିଗୁଡ଼ା ଗ୍ରାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ୨ଟି ପାନୀୟଜଳ ପ୍ରକଳ୍ପ ନିର୍ମାଣ ହୋଇଛି । ଗୋଟିଏ ଆରମ୍ଭରୁ ଖରାପ । ଅନ୍ୟଟି ୩ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରୁନାହିଁ । ବାଲିଗୁଡା ଓ ଲଙ୍କାବାଲିସାହି ଗ୍ରାମର ୪ ଟି ୱାର୍ଡର ୨ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ପାଣି ଯୋଗାଇବାକୁ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ୩ ବର୍ଷ ହେଲା ଏଠି ପାଇପ ପୋତା କାର୍ଯ୍ୟ ଚାଲୁ ରହିଛି ଯେ ସରୁନାହିଁ । ଏପଟେ ପାଇପ୍‌ଗୁଡ଼ିକ ଏଠିସେଠି ପଡ଼ି ନଷ୍ଟ ହେଉଛି । ସେହିପରି ବ୍ରହ୍ମବରଦା, ମହେଶ୍ବରପୁର ଦୁଇଟି ପଞ୍ଚାୟତ ପାଇଁ ଏକ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ବ୍ରହ୍ମବରଦା ବଉଳାଘାଇ ଦାଣ୍ତିରେ ନିର୍ମାଣ ହୋଇଥିଲା । ୧୫ ହଜାର ଲୋକ ଏହି ପ୍ରକଳ୍ପ ଉପରେ ଭରସା କରିଥିଲେ । ଏହା ସମସ୍ତଙ୍କୁ ପାଣି ଯୋଗାଇ ପାରୁ ନଥିବା ଅଭିଯୋଗ ହୋଇଛି । ପାଇପ୍ ସଂଯୋଗ ହୋଇଥିବା ଅଞ୍ଚଳରେ କିଛି କିଛି ସ୍ଥାନରେ ଫାଟିଯାଇଛି । ଏହାକୁ ମରାମତି କରାଯାଉ ନାହିଁ । ଅନ୍ୟ କେତେକ ସ୍ଥାନକୁ ଆଜିଯାଏ ପାଇପ୍‌ ସଂଯୋଗ ଦିଆଯାଇନାହିଁ ।

ବନ୍ଧଡିହ ପଞ୍ଚାୟତ ଭଗବତୀପୁରଠାରେ ପ୍ରକଳ୍ପ ନିର୍ମାଣ ହେବା ଦିନଠାରୁ ପାନୀୟ ଜଳ ଯୋଗାଇ ପାରିନାହିଁ । ଏବେଏବେ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡ଼ିଛି । ଗତ ଦୁଇବର୍ଷ ହେଲା ଆଉଏକ ପ୍ରକଳ୍ପ ନିର୍ମାଣ ହେଉଥିବାବେଳେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗିପାରୁ ନାହିଁ । ଘରୋଇ ନଳକୂଅରୁ ଭଲ ପାଣି ବାହାରୁ ନଥିବାରୁ ଲୋକେ ଲୌହମିଶା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ସରକାର ଏଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ ନିର୍ମାଣ କରିଥିଲେ ମଧ୍ୟ ତାହା ଗୋଟିଏଦିନ ପାଣି ଯୋଗାଇବାରେ ସଫଳ ହୋଇ ପାରିଲା ନାହିଁ । ସେହିପରି ଅର୍ଥଙ୍ଗା ପଞ୍ଚାୟତ ଚଅପୋଇ ମେଳଣ ପଡ଼ିଆରେ ହୋଇଥିବା ପ୍ରକଳ୍ପ ଆରମ୍ଭରୁ ସ୍ବଚ୍ଛ ପାଣି ଯୋଗାଇବାରେ ବିଫଳ ହୋଇଛି । ରାଉତରାପୁର ପଞ୍ଚାୟତର କୁଣ୍ତପାଟଣା ହାଟ ନିକଟରେ ନିର୍ମାଣ ହୋଇଥିବା ପାନୀୟଜଳ ପ୍ରକଳ୍ପ ଅବସ୍ଥା ମଧ୍ୟ ଅନୁରୂପ । ଗ୍ରାମବାସୀ ଏହାର ମରାମତି ପାଇଁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରଭାବ ପଡୁନାହିଁ । ସରକାରଙ୍କ ପକ୍ଷରୁ ୨୦୧୨ ରେ ଏହାର ନିର୍ମାଣ କରାଯାଇଥିଲା । ଉଦ୍‌ଘାଟନ ପୂର୍ବରୁ ଏହା ଖରାପ ହୋଇଗଲା । ଅନ୍ୟଏକ ପ୍ରକଳ୍ପ କାଳିକାହୁଡ଼ା ଗ୍ରାମରେ ୩ ବର୍ଷ ହେଲା ନିର୍ମାଣ ଚାଲିଛି । କେବେ ସରିବ ତାହା ପ୍ରଶ୍ନବାଚୀ ହୋଇ ରହିଛି । ସେହିପରି ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତରେ ନିର୍ମାଣ ହୋଇଥିବା ଦେଢ଼କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ଖରାପ ହୋଇ ପଡ଼ିଛି । କେତେବେଳେ ଘଣ୍ଟାଏ ଚାଲୁଛି ପୁଣି ମାସମାସ ବନ୍ଦ ରହୁଛି । ଏ ଦିଗରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *