ନକଲି କାଗଜପତ୍ର କରି ୭୦ ଲକ୍ଷ ଟଙ୍କାର ଜମି ବିକିଦେଲେ ୨ ଅଭିଯୁକ୍ତ

ଗୋପାଳପୁର : ନକଲି କାଗଜପତ୍ର କରି ୭୦ ଲକ୍ଷ ଟଙ୍କା ମୂଲ୍ୟର ଅନ୍ୟ ଜଣଙ୍କ ଜମି ବିକିଦେବା ଭଳି ଘଟଣା ସାମ୍‌ନାକୁ ଆସିଛି । ଏହିଭଳି ଏକ ଜାଲିଆତି ଘଟଣାରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ପୁଲିସ ଆଜି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ଚମାଖଣ୍ଡି ଥାନା ଡିଫେନ୍ସ କଲୋନିର ମନୋଜ କୁମାର ମହାନ୍ତି ଓ ଜଗନ୍ନାଥପୁରର ସନ୍ତୋଷ କୁମାର ଦାଶ ବୋଲି ପୁଲିସ କହିଛି । ଏମାନଙ୍କ ନିକଟରୁ ଜମି କିଣାବିକା ସମ୍ପର୍କିତ ନକଲି କାଗଜପତ୍ର ଓ ପରିଚୟପତ୍ର ଜବତ କରାଯାଇଥିବା ଏଏସ୍‌ପି ରମେଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଚମାଖଣ୍ଡି ଥାନା ଡିଫେନ୍ସ କଲୋନିରେ ରହୁଥିବା ସୁଧାଂଶୁ ଶେଖର ପାଣିଗ୍ରାହୀ ୨୦୦୪ ମସିହାରେ ପୁରୁଣା ଭୁବନେଶ୍ୱରର ରୀତାଞ୍ଜଳି ସାମନ୍ତରାୟଙ୍କୁ ଆମ୍ବପୁଆ ମୌଜା ଡିଫେନ୍ସ କଲୋନିରେ ଥିବା ଏକ ଜମି (୦.୧୬୪ ଡେସିମିଲ) ବିକ୍ରି କରିଥିଲେ । ୨୦୧୯ ମସିହାରେ ଡିଫେନ୍ସ କଲୋନିରେ ରହୁଥିବା ମନୋଜ ଓ ଜଗନ୍ନାଥପୁରର ସନ୍ତୋଷ ଅନନ୍ତେଇ ଗ୍ରାମର ଟୁନି ପାତ୍ରଙ୍କୁ ରୀତାଞ୍ଜଳି ସାମନ୍ତରାୟ ଦର୍ଶାଇ ନକଲି ପରିଚୟପତ୍ର ଓ ସେଲ୍‌ଡିଡ୍‌ ତିଆରି କରିଥିଲେ । ପରେ ସେହି ପ୍ଲଟ୍‌କୁ ଅଧା ଅଧା ନିଜ ନିଜ ନାମରେ ବ୍ରହ୍ମପୁର ସବ୍‌ରେଜିଷ୍ଟ୍ରାର୍‌ ଅଫିସ୍‌ରେ ରେଜିଷ୍ଟ୍ରେସନ୍‌ କରାଇ ନେଇଥିଲେ । ପରେ ୨୦୨୦ ମସିହାରେ ବୁଗୁଡ଼ାର ମନୋଜ କୁମାର ସାହୁଙ୍କୁ ସେହି ଜମି ୭୦ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ପରବର୍ତୀ ସମୟରେ ମନୋଜ ସେହି ପ୍ଲଟ୍‌ରେ କାମ ଆରମ୍ଭ କରିଥିଲେ । ମନୋଜ କାମ ଆରମ୍ଭ କରୁଥିବା ଜାଣିବାକୁ ପାଇଥିଲେ ଜମିର ଅସଲି ମାଲିକ ରୀତାଞ୍ଜଳି । ରୀତାଞ୍ଜଳିଙ୍କ ଅଜାଣତରେ ପ୍ଲଟ୍‌ ବିକ୍ରି ହୋଇଥିବା ଜାଣି ସେ ଗତ ୬ ତାରିଖରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପ୍ରକାରେ ପୁଲିସ କେସ୍ ନମ୍ବର ୧୦୭/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଦୁଇ ଅଭିଯୁକ୍ତ ମନୋଜ ଓ ସନ୍ତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସେମାନଙ୍କ ନିକଟରୁ ସେଲ୍‌ ଡିଡ୍‌, ଆଧାର କାର୍ଡ଼, ଭୋଟର୍‌ କାର୍ଡ଼ ଓ ଜମି ବିକ୍ରି ସମ୍ପର୍କିତ ନକଲି କାଗଜପତ୍ର ଜବତ ହୋଇଛି । ଏହି କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *