ଜିଲ୍ଲାରେ ବଢ଼ୁଛନ୍ତି ବାଳ ଅପରାଧୀ : ୫ ବର୍ଷରେ ୧,୮୮୭ ବାଳ ଅପରାଧୀ ଚିହ୍ନଟ

ରାଉରକେଲା : ବିଭିନ୍ନ କାରଣରୁ ବାଟବଣା ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ ଶିଶୁ ଯୋଜନା । ଠିକ୍‌ ଭାବେ କାର୍ଯ୍ୟକାରି ନ ହେବା, ଇଣ୍ଟରନେଟ୍‌ ଦୁରୁପଯୋଗ, ପାରିବାରିକ ସଚେତନତା ଓ ଦାୟିତ୍ବହୀନତା ଆଦି ଅଭାବରୁ ଅପରାଧ ମୁହାଁ ହେଉଛନ୍ତି କୋମଳମତି ଶିଶୁ ଓ କିଶୋର । ହତ୍ୟା, ଦୁଷ୍କର୍ମ, ଗଣଦୁଷ୍କକର୍ମ, ଚୋରି, ଡକାୟତି, ଲୁଟ୍‌, ଛିନ୍‌ତାଇ, ନିଶା କାରବାର ଆଦି ଅପରାଧିକ କାର୍ଯ୍ୟକଳାପ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ରାଜ୍ୟରେ ଦିନକୁ ଦିନ ବାଳ ଅପରାଧୀଙ୍କ ସଂଖ୍ୟା ବଢ଼ୁଥିଲା ବେଳେ ସୁନ୍ଦରଗଡ଼ରେ ଏହି ସ୍ଥିତି ଆହୁରି ଚିନ୍ତାଜନକ । ଜିଲ୍ଲାରେ ଗତ ୫ ବର୍ଷ, ଅର୍ଥାତ୍‌ (୨୦୧୭ରୁ ୨୦୨୧) ମଧ୍ୟରେ ଚିହ୍ନଟ ହୋଇଛନ୍ତି ମୋଟ୍‌ ୧,୮୮୭ ବାଳ ଅପରାଧୀ । ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଅଣଓଡ଼ିଆ ଓ ନିରକ୍ଷର ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୦୧୭ରେ ୪୦୪ ବାଳ ଅପରାଧୀ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଘନ୍ୟକାଣ୍ଡ ଭିଆଇଥିଲେ ୩ ଜଣ, ୨୨୧ ଗୁରୁତର ଅପରାଧରେ ସମ୍ପୃକ୍ତ ଓ ୧୮୦  ଛୋଟମୋଟ ଅପରାଧ କାର୍ଯ୍ୟକଳାପ ଘଟାଇଥିଲେ । ୨୦୧୮ରେ ମୋଟ୍‌ ୪୦୯ ବାଳ ଅପରାଧୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ଭିତରୁ ଜଘନ୍ୟକାଣ୍ଡ ସମ୍ପୃକ୍ତ ଥିଲେ ୪ ଜଣ, ୧୮୪ ଜଣ ଗୁରୁତର ଓ ୨୨୧ ଜଣ ଛୋଟମୋଟ ଅପରାଧରେ ସମ୍ପୃ୍କ୍ତ ଥିଲେ । ମହାମାରୀ କରୋନା କାରଣରୁ ୨୦୧୯ ଓ ୨୦୨୦ରେ ଅପରାଧିକ କାର୍ଯ୍ୟକଳାପ କମ୍‌ ଥିବାରୁ ବାଳ ଅପରାଧୀଙ୍କ ସଂଖ୍ୟା ମଧ୍ୟ ସାମାନ୍ୟ ହ୍ରାସ ପାଇଥିଲା । ୨୦୧୯ରେ ମୋଟ୍‌  ୩୮୭ ବାଳ ଅପରାଧୀ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୦୯ ଗୁରୁତର ଅପରାଧ ଓ ୧୭୮ ସାମାନ୍ୟ ଅପରାଧ କାର୍ଯ୍ୟରେ ସମ୍ପୃକ୍ତ ଥିଲେ । ୨୦୨୦ରେ ଏହି ସଂଖ୍ୟା ଥିଲା ୨୮୬ । ଏମାନଙ୍କ ମଧ୍ୟରୁ ୧୯୧ ଗୁରୁତର ଓ ୯୫ ଜଣ ସାମାନ୍ୟ ଅପରାଧରେ ସମ୍ପୃକ୍ତ ଥିଲେ ।

ତେବେ ୨୦୨୧ରେ ଜିଲ୍ଲାରେ ଚିହ୍ନଟ ‌ହୋଇଥିଲେ ମୋଟ୍‌ ୪୦୧ ଜଣ ବାଳ ଅପରାଧୀ । ଏମାନଙ୍କ ମଧ୍ୟରେ ୨୧୬ ଗୁରୁତର ଓ ୧୮୫ ଜଣ ସାମାନ୍ୟ ଅପରାଧ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବାଳ ଅପରାଧୀ ସଂଖ୍ୟା ବଢ଼ିବାରେ ଅନେକ ପ୍ରମୁଖ କାରଣ ରହିଛି । ସୁନ୍ଦରଗଡ଼ ଜିଲ୍ଲାକୁ ଉଭୟ ଝାଡ଼ଖଣ୍ଡ ଓ ଛତିଶଗଡ ରାଜ୍ୟ ଲାଗି ରହିଥିବାରୁ ଏଠାରେ ଅପରାଧ କାର୍ଯ୍ୟକଳାପ ବଢ଼ୁଛି । ନାବାଳକମାନେ ଚୋରି, ଡକାୟତି କଲେ ଦଣ୍ଡ ନଥିବାରୁ କିଛି ଅପରାଧୀ ଗରିବ ପରିବାରର ନିରକ୍ଷର ନାବାଳକଙ୍କୁ ଅପରାଧରେ ବ୍ୟବହାର କରୁଛନ୍ତି । ଦ୍ବିତୀୟତଃ, ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ଅନେକ ଅଣଓଡ଼ିଆ ପରିବାର ରହୁଛନ୍ତି । ସେମାନଙ୍କର ଆର୍ଥିକ ସ୍ଥିତି ଏତେଟା ଭଲ ନାହିଁ । ଅଣଓଡ଼ିଆ ହୋଇଥିବାରୁ ସହରରେ ସରକାରୀ ସ୍କୁଲମାନଙ୍କରେ ଏମାନଙ୍କ ପାଇଁ ପାଠପଢ଼ାର ସେମିତି କୌଣସି ବ୍ୟବସ୍ଥା ନାହିଁ । ଘରୋଇ ସ୍କୁଲଗୁଡ଼ିକରେ ପାଠପଢ଼ିବାକୁ ସମ୍ବଳ ନଥିବାରୁ ଅଧାରୁ ପାଠପଢ଼ାରେ ଡ଼ୋରି ବାନ୍ଧି ଏହି ନାବଳକମାନେ ଅପରାଧ ମୁହାଁ ହେଉଛନ୍ତି ।

ତୃତୀୟତଃ ବାଳ ଅପରାଧ ରୋକିବାକୁ ଯଦିଓ ଗ୍ରାମାଞ୍ଚଳରେ ‘ପଞ୍ଚାୟତ ଶିଶୁ ସୁରକ୍ଷା କମିଟି’  ରହିଛି ଓ ସରପଞ୍ଚ ହେଉଛନ୍ତି କମିଟିର ଅଧ୍ୟକ୍ଷ, କିନ୍ତୁ ଏଥିପାଇଁ ସରକାରଙ୍କ କୌଣସି ଆର୍ଥିକ ବ୍ୟବସ୍ଥା ନଥିବାରୁ କମିଟିର କାର୍ଯ୍ୟକଳାପ ଶୂନ । ଏପରିକି ଏପରି ବ୍ୟବସ୍ଥା ଅଛି ବୋଲି କ୍ବଚିତ୍ ଗ୍ରାମବାସୀ ବା ନିଜେ ସରପଞ୍ଚ ଜାଣିଛନ୍ତି । ‌‌ସର୍ବୋପରି ଶିଶୁମାନଙ୍କ ସୁରକ୍ଷା ସମନ୍ବିତ ଶିଶୁ ବିକାଶ ଯୋଜନା, ଶିଶୁ ଶ୍ରମିକ ପୁନର୍ବାସ ଯୋଜନା ଆଦି ଅନେକ ଯୋଜନାର ଠିକ୍‌ କାର୍ଯ୍ୟକାରୀ ନ ହେବାର ଏହାର ଅନ୍ୟ ଏକ ପ୍ରମୁଖ କାରଣ । ଜିଲ୍ଲାରେ ଚିନ୍ତା ବଢ଼ାଇଥିବା ବାଳ ଅପରାଧୀଙ୍କ ସଂଖ୍ୟା ରୋକିବାକୁ ସବୁ ସ୍ତରରୁ ଉଦ୍ୟମ ହେବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *