ଭୁବନେଶ୍ବର : ଔଷଧୀୟ ମଶାରିକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଡ଼ୁଆରେ ପଡ଼ିଛି । ଔଷଧୀୟ ମଶାରି ନେଇ ଜାରି ହୋଇଥିବା ଏସ୍ଓପିରେ ଅତିକମ୍ରେ ୩ ବର୍ଷ ପାଇଁ ଏହାର ମୂଲ୍ୟାୟନ/ପରୀକ୍ଷା ଜରୁରୀ ରହିଛି । ମାତ୍ର ଏହାକୁ ଠିକଣା ଢଙ୍ଗରେ ପାଳନ ହେଉନଥିବା ନେଇ ରାଜ୍ୟ ମାନବାଧିକାର କମିସନ ବା ଓଏଚ୍ଆରସିରେ ଅଭିଯୋଗ ହୋଇଛି । ଅଭିଯୋଗର ଗମ୍ଭୀରତାକୁ ବିଚାର କରି ପରବର୍ତୀ ନିର୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ଔଷଧୀୟ ମଶାରୀର କ୍ରୟ ଓ ବିତରଣ ଉପରେ ଓଏଚ୍ଆରସି ରୋକ୍ ଲଗାଇଛନ୍ତି ।
ଗତବର୍ଷ ଜଣେ ଆବେଦନକାରୀ ଓଏଚ୍ଆରସିଙ୍କ ନିକଟରେ ଔଷଧୀୟ ମଶାରୀ ନେଇ ଏକ ପିଟିସନ୍ ଦାଖଲ କରିଥିଲେ । ଆବେଦନକାରୀ ଦର୍ଶାଇଥିଲେ ଯେ ରାଜ୍ୟରେ ମ୍ୟାଲେରିଆ/ଡେଙ୍ଗୁ ରୋକିବା ପାଇଁ ଔଷଧୀୟ ମଶାରି ବଣ୍ଟନ କରାଯାଉଛି । କିନ୍ତୁ ଏଥିପାଇଁ ଜାରି ହୋଇଥିବା ମାନଦଣ୍ଡର ଖିଲାପ ହେଉଛି। ଯାହାକି ରାଜ୍ୟର ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଅଭିଯୋଗର ତର୍ଜମା କରି କମିସନ ବିତରଣ/କ୍ରୟ ନ କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଅପରପକ୍ଷରେ ଓଏଚ୍ଆରସିଙ୍କ ରିପୋର୍ଟ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ଏ ସଂକ୍ରାନ୍ତୀୟ ଆବଶ୍ୟକ ତଥ୍ୟ ରାଜ୍ୟ ସରକାରଙ୍କୁ ପଠାଇଥିବା ସୂଚନା ମିଳିଛି । ରାଜ୍ୟ ସରକାର ଏ ସଂପର୍କିତ ରିପୋର୍ଟ ଓଏଚ୍ଆରସିଙ୍କୁ ପ୍ରଦାନ କରିବେ । ତେବେ ଏ ସଂକ୍ରାନ୍ତୀୟ ଅନ୍ତିମ ନିର୍ଦେଶନାମା ପ୍ରକାଶ ପାଇ ନ ଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ରାଜ୍ୟ ସରକାର ୧.୧୩ କୋଟି ଔଷଧୀୟ ମଶାରି ବଣ୍ଟନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ତହିଁରୁ ଅନେକ ଔଷଧ ମଶାରି ବଣ୍ଟା ହୋଇସାରିଛି । ଅଳ୍ପ ଔଷଧୀୟ ମଶାରି ବଣ୍ଟାଯିବାକୁ ରହିଛି । ରାଜ୍ୟରେ ଏବେ ମ୍ୟାଲେରିଆ ସଂକ୍ରମଣ କିଛିବର୍ଷ ଧରି ହ୍ରାସ ପାଉଛି । ଏହି ହ୍ରାସରେ ଔଷଧୀୟ ମଶାରୀର ଏକ ପ୍ରମୁଖ ଭୂମିକା ରହିଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହୁଛନ୍ତି । ତେବେ ଓଏଚ୍ଆରସିଙ୍କ ପରବର୍ତୀ ନିର୍ଦେଶନାମା ଆସିବା ପରେ ହିଁ ଔଷଧୀୟ ମଶାରି ବଣ୍ଟନ କରାଯିବ କି ନାହିଁ ତାହା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
