ବୁଢ଼ାବଳଙ୍ଗ ନଦୀଗର୍ଭରୁ ବେଧଡ଼କ ବାଲି, ମାଟି ଚାଲାଣ

ବାଲେଶ୍ବର : ବାଲେଶ୍ବର ସହର ଉପକଣ୍ଠ ବୁଢ଼ାବଳଙ୍ଗ ନଦୀର କଷବା-ଦହପଡ଼ା ନିକଟରେ ନଦୀଗର୍ଭରୁ ବେଆଇନ୍‌ ଭାବେ ବାଲି ଓ ମାଟି ଉତ୍ତୋଳନ କରାଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଥିବା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି ।

ଅଭିଯୋଗ ମୁତାବକ, ବାଲେଶ୍ବର ତହସିଲ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର କଷବା-ଦହପଡ଼ା ବାଲିସୈରାତକୁ ଆର୍ଥିକ ବର୍ଷ ୨୦୧୭-୧୮ ରୁ ୨୦୨୨-୨୩ ପର୍ଯ୍ୟନ୍ତ ସ୍ଥାନୀୟ କଣ୍ଟାବଣିଆ ଗ୍ରାମର କରୁଣାକର ଦାସ ବାଲେଶ୍ବର ରାଜସ୍ୱ ବିଭାଗ ଠାରୁ ଲିଜ୍‌ ସୂତ୍ରରେ ନେଇଛନ୍ତି । ତେବେ ପ୍ରତିଦିନ ପୋକ୍ଲେମ୍ ମେସିନ୍ ମାଧ୍ୟମରେ ଉକ୍ତ ନଦୀ ଗର୍ଭରୁ ବେଆଇନ ଭାବେ ଶହଶହ ସିୟୁଏମ ବାଲି ଉତ୍ତୋଳନ ଓ ପରିବହନ ହେଉଛି । ୩ ମିଟର ହିସାବରେ ବର୍ଷକୁ ଯେତିକି ବାଲି ଉତ୍ତୋଳନ କରାଯିବା ଆବଶ୍ୟକ ବେଆଇନ ଭାବେ ତା’ ଠାରୁ ଢେର୍‌ ଅଧିକ ବାଲି ଉତ୍ତୋଳନ କରାଯାଉଛି । ଏହା ଦ୍ୱାରା ସରକାର ଉକ୍ତ ସୈରାତରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିବା ଅଭିଯୋଗ ହୋଇଛି । ଅଧିକ ବାଲି ଉତ୍ତୋଳନ ଓ ପରିବହନ ବେଳେ ଧରା ପଡ଼ିଯିବା ଭୟରେ ତହସିଲ କାର୍ଯ୍ୟାଳୟରୁ ମିଳିଥିବା କେ-ଫର୍ମ ଜାଣିଶୁଣି ଗାଡ଼ିକୁ ଦିଆଯାଉନାହିଁ ।

ଉକ୍ତ ବାଲି ସୈରାତ କୌଣସି ବି ଗୋଟିଏ ଓଏମ୍‌ଏମ୍‌ସି ନିୟମର ସର୍ତ୍ତ ଅନୁସରଣ କରୁନାହିଁ ଏବଂ ଏହା ଜାତୀୟ ସବୁଜ ପ୍ରାଧିକରଣ ଦ୍ବାରା ପାସ୍ ହୋଇନଥିବା ଜଣାଯାଇଛି । ଏଥିସହ ନଦୀ ପଠାରୁ ୪୦ ମିଟର ଛାଡ଼ି ଏବଂ ମାତ୍ର ୩ ମିଟର ଗଭୀର ପର୍ଯ୍ୟନ୍ତ ବାଲି ଉଠାଇବାର ନିୟମ ରହିଥିବା ସ୍ଥଳେ ଉକ୍ତ ଲିଜ୍‌ଧାରୀ ଏହାର ସଂପୂର୍ଣ୍ଣ ଓଲଟା ଅର୍ଥାତ୍‌ ନଦୀ ପଠାକୁ ଖୋଳି ଶହଶହ ଟ୍ରିପ୍‌(ଡମ୍ପର ସାହାଯ୍ୟ) ମାଟି ବିକ୍ରି କରୁଛନ୍ତି । ଫଳରେ ନଦୀଗର୍ଭରେ ୫୦ ରୁ ୬୦ ଫୁଟ୍ ପର୍ଯ୍ୟନ୍ତ ଗଣ୍ଡ ସୃଷ୍ଟି ହୋଇ ଲୋକ ନଦୀରେ ଗାଧୋଇବା ସମୟରେ ବୁଡ଼ିଯାଇ ସଲିଳ ସମାଧି ନେଇଥିବା ପୂର୍ବରୁ ନଜିର ରହିଛି । ସେହିପରି ନଦୀପଠାରୁ ମାଟି ଖୋଳା ଯାଉଥିବାରୁ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିଲେ ନଦୀର ଗତିପଥ ପରିବର୍ତ୍ତନ ହୋଇ ଜନବବସତି ଆଡ଼କୁ ପଶି ଆସିବାର ଆଶଙ୍କା ସୃଷ୍ଟି ହୋଇଛି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଗୋରୁଗାଈ ଓ ଛେଳି ଆଦି ଗୃହପାଳିତ ପ୍ରାଣୀ ପାଣି ପିଇବାକୁ ଗଲାବେଳେ ପ୍ରୋକ୍ଲେମ୍‌ ମେସିନ୍‌ ଚାଲୁ ରହି ପାଣି ଗୋଳିଆ କରୁଥିବାରୁ ସେମାନେ ପିଇବା ପାଇଁ ହନ୍ତସନ୍ତ ହେଉଛନ୍ତି ।

ଏଥିପାଇଁ ରାଜ୍ୟ ପରିବେଶ ଓ ପ୍ରଭାବ ମୂଲ୍ୟାୟନ କର୍ତ୍ତୃପକ୍ଷଙ୍କ ଜଣେ ବରିଷ୍ଠ ବୈଜ୍ଞାନିକ, ରାଜ୍ୟ ପ୍ରଦୂଷଣ ବୋର୍ଡର ଜଣେ ବରିଷ୍ଠ ବୈଜ୍ଞାନିକ, ଜିିଲ୍ଲାପାଳ କିମ୍ବା ତାଙ୍କର କେହି ପ୍ରତିନିଧି ଓ ଜିଲ୍ଲା ଖଣି ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇ କଷବା-ଦହପଡ଼ା ବାଲିସୈରାତକୁ ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ ଲିଜ୍‌ଧାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆକବର ଖାଁ, ସେକ ହରିଉଦ୍ଦିନ, ସେକ ୟୁନୁସ୍‌, ଉପେନ୍ଦ୍ର ଦା‌ସ, ହେମନ୍ତ ଦାସ, ଜିତୁ ଦାସ, ଆଶିଷ ଦାସ, ନିରଞ୍ଜନ ଦାସ, ଶଙ୍କର୍ଷଣ ଦାସ, ଲୁଲୁ ଦାସଙ୍କ ସମେତ ସଦର ବ୍ଲକ ଏବଂ ରେମୁଣା ବ୍ଲକ ଅନ୍ତର୍ଗତ ଦହପଡ଼ା, ନଗ୍ରମ, ଫୁଲୱର କସବା, କାଳିପୁର, ଖେଜୁରପୁର, କଣ୍ଟାବଣିଆ, ଗମ୍ଭାରିଆ ଓ ଧରମପୁର ଆଦି ଗ୍ରାମର ଲୋକମାନେ ଜିଲ୍ଲାପାଳଙ୍କ ଭେଟି ଏହି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *