ଶିକାରୀ ଫାଶରେ ପଡ଼ି ବାଘୁଣୀ ମୃତ

ତିଗିରିଆ : ତିଗିରିଆ ବ୍ଲକ ଭିରୁଡ଼ା ଗ୍ରାମ ନିକଟବର୍ତ୍ତୀ ସୋରିଷପାଳ ସଂରକ୍ଷିତ ଜଙ୍ଗଲର ବ୍ରାହ୍ମଣୀ ତଇଲାଠାରେ ଶିକାରୀ ଫାଶରେ ପଡ଼ି ଏକ କଲରାପତରିଆ ବାଘୁଣୀର ମୃତ୍ୟୁ ଘଟିଛି । ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲ ନିକଟବର୍ତ୍ତୀ କ୍ଷେତକୁ ଯାଇଥିବାବେଳେ ମୃତ ବାଘୁଣୀକୁ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ । ତିଗିରିଆ ବନପାଳ ରାକେଶ ପ୍ରଧାନ ଏବଂ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଆଠଗଡ଼଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଧବ, ସହକାରୀ ବନ ସଂରକ୍ଷକ ଘନଶ୍ୟାମ ମୁଦୁଲି ଏବଂ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ସିଂ ମାଥୁର ପହଞ୍ଚି ତଦନ୍ତ କରିଥିଲେ । ସେଠାରେ ଲୁହା ଏବଂ ଗାଡ଼ି କ୍ଲଚ୍‌ ତାରରେ ତିଆରି ଫାଶ ବସାଯାଇଥିଲା । ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳରେ ବହୁ ଲୁହା ତାରରେ ନିର୍ମିତ ଫାଶ ବଣବୁଦାରେ ବନ୍ଧାହୋଇ ରହିଥିବା ଦେଖିବାକୁ ମିଳିଥିଲା । ଉକ୍ତ ଫାଶଗୁଡ଼ିକୁ ବନବିଭାଗ ପକ୍ଷରୁ ଜବତ କରାଯାଇଛି । ମୃତ ବାଘୁଣୀକୁ ଆଠଗଡ଼଼ ବନାଞ୍ଚଳ ଅନ୍ତର୍ଗତ ବଉଦା ବନଖଣ୍ଡ ନର୍ସରୀକୁ ନିଆଯାଇ ସେଠାରେ ବ୍ୟବଚ୍ଛେଦ କରାଯାଇଥିଲା । ଆଠଗଡ଼ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡ. ସୁଶାନ୍ତ କୁମାର ବେହେରା, ତିଗିରିଆ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡ. ଚୌଧୁରୀ ଦୀପକ ରଞ୍ଜନ ମହାପାତ୍ର, ସାତକୋଶିଆ ବନ୍ୟଜନ୍ତୁ ଅଭୟାରଣ୍ୟର ଡା. କିଶୋର କୁମାର ସାହୁ ଉପସ୍ଥିତ ରହି ବ୍ୟବଚ୍ଛେଦ କରିଥିଲେ । ଶ୍ୱାସରୁଦ୍ଧ ହୋଇ ବାଘୁଣୀର ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *