ବରପାଲି: ଏକଦା ରାଜ୍ୟରେ ସୁନାମ ଅର୍ଜନ କରିଥିବା ବରପାଲିର ସର୍ବ ପୁରାତନ ଲୌହ ଓ କାଠ କାରଖାନା ଏବେ ତାର ଅସ୍ତିତ୍ବ ହରାଇଛି । ଏହି କାରଖାନା ଦୀର୍ଘ ବର୍ଷରୁ କୌଣସି କାମରେ ଲାଗିନଥିବାରୁ ତାକୁ ଜବର ଦଖଲରେ ରଖି ଭଡା ଆଦାୟ କରାଯାଉଥିବା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ ୧୯୬୨ ରୁ ୬୪ ମଧ୍ୟରେ ବରପାଲିରେ ବହୁ ଶିଳ୍ପ ତଥା କଳ କାରଖାନା ଗଢ଼ିଉଠିଥିଲା । ତନ୍ମଧ୍ୟରୁ ଲୌହ କାରଖାନା ଗୋଟିଏ । ସେତେବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ର ସମ୍ବଲପୁର ଅଧୀନରେ ଉକ୍ତ କାରଖାନାଟି ରହିଥିଲା ।
ଏହାର ପରିଚାଳନା ପାଇଁ ସରକାରଙ୍କ ଦ୍ବାରା ଆଇପିଓମାନେ ନିଯୁକ୍ତି ହୋଇଥିଲେ । ଦିନ ଥିଲା ଏହି କାରଖାନା ଉନ୍ନତ କାରିଗର ପାଇଁ ଅଂଚଳରେ ସୁନାମ ଅର୍ଜନ କରିଥିବା ବେଳେ ସରକାରୀ ଓ ବେସରକାରୀ ସଂସ୍ଥାଗୁଡିକ ବହୁ ସାମଗ୍ରୀ ବରାଦ କରୁଥିଲେ । କିନ୍ତୁ ପରିଚାଳନାଗତ ତ୍ରୁଟି ଓ ପ୍ରଶାସନର ଅବହେଳା ଯୋଗୁଁ ତାହା ଅତି ଋଗ୍ଣ ଓ ଦୟନୀୟ ଅବସ୍ଥାକୁ ଆସିଯିବାରୁ କାରଖାନା ଫାଟକରେ ତାଲା ଲାଗିଲା । ତେବେ ସେଠାରେ ଥିବା କାର୍ଯ୍ୟରତ କର୍ମଚାରୀମାନେ ଏବେ ଘୋର ଦୁର୍ଦିନରେ କାଳାତିପାତ କରୁଛନ୍ତି ।
ଥିରୁ କେତେକ ମୃତ ହୋଇଯାଇଥିବା ବେଳେ ଆଉ କେତେକ ଜୀବିତ ରହିଛନ୍ତି । ଅନ୍ୟ ପକ୍ଷରେ ଦୀର୍ଘ ବର୍ଷରୁ ପଡିରହିଥିବା କାରଖାନା ସେଥିର ବ୍ୟବହୃତ ଯନ୍ତ୍ରପାତି ଗୃହର ଆସବାବପତ୍ର ଯଥା ଝରକା, କବାଟ ଏପରିକି ବାଉଣ୍ତରୀ କାନ୍ଥର ଇଟା ମଧ୍ୟ ଲୋକେ ଖୋଳି ନେଇ ଯାଇଥିବା ଦେଖାଦେଇଛି । ଏବେ ତାହା ଭଗ୍ନ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଜବରଦଖଲରେ ରହି ଭଡ଼ା ଆଦାୟ ସାର ହୋଇଛି । ଏହା କାହା ସ୍ବାର୍ଥରେ ତଦନ୍ତ ସାପେକ୍ଷ ହୋଇଛି । ଏ ସଂପର୍କରେ ଏହାର ଆଇପିଓ ଦାୟିତ୍ବରେ ଥିବା ପୁଷ୍ପରାଜ ସାହୁଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ହେଁ ତାଙ୍କ ମତାମତ ମିଳି ପାରିନଥିଲା ।
