କୋଭିଡ୍‌ କେୟାର୍‌ ସେଣ୍ଟର୍‌ ରୁ ୪ ଲକ୍ଷ ଟଙ୍କାର ସାମଗ୍ରୀ ଗାଏବ

କଟକ : କୁଆଡେ ଗଲା ବଡ଼ମ୍ବା କୋଭିଡ୍‌ କେୟାର ସେଣ୍ଟର୍‌(ସିସିସି)ର ସାଢ଼େ ୪ ଲକ୍ଷ ଟଙ୍କାର ସାମଗ୍ରୀ ? ୧ ଲକ୍ଷ ୬୮ ହଜାର ଟଙ୍କାର ୨୪ଟି ଆଣ୍ଟି-ବା‌କ୍ଟେରିଆଲ ବେଡ୍‌, ୧ ଲକ୍ଷ ୫୩ ହଜାର ଟଙ୍କ‌ାର ୬୪ଟି ପଙ୍ଖା, ଏକ୍‌ଝଷ୍ଟ୍‌ ଫ୍ୟାନ୍‌ ଠାରୁ ଆରମ୍ଭ କରି ୧୪ ପ୍ରକାର ସାମଗ୍ରୀ । ୬ ମାସ ତଳୁ ବନ୍ଦ ଥିବା କୋଭିଡ୍‌ କେୟାର୍‌ ସେଣ୍ଟର୍‌ରୁ ଏତେ ପ୍ରକାର ସାମଗ୍ରୀ ଚୋରି ହୋଇଥିବା ସଂପର୍କରେ ବିଡିଓ ୧୫ ଦିନ ତଳେ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ୨୪ଟି ବେଡ୍‌ ଓ ଫଙ୍ଖା ଭଳି ଏତେଗୁଡ଼ିଏ ସାମଗ୍ରୀ ଚୋରି ହେଲା, ନା ଏହାକୁ ଗାଏବ୍‌ କରିଦିଆଯାଇଛି ତାକୁ ନେଇ ସବୁ ମହଲରେ ଚର୍ଚ୍ଚା । ତେବେ ୫ ମାସ ତଳୁ ଅବସର ନେଇଥିବା ସହକାରୀ ଯନ୍ତ୍ରୀ ଚାର୍ଜ ଦେଉନଥିବା ଓ ହଠାତ୍‌ ଗତମାସରେ ସାଢେ ୪ ଲକ୍ଷ ଟଙ୍କାର ସାମଗ୍ରୀ ନଥିବା ନେଇ ବିଡିଓଙ୍କୁ ଲିଖିତ ଅଭିଯୋଗ କରିବା ଓ ଏହାପରେ ବିଡିଓ ଥାନାରେ ଏତଲା ଦେବା ଘଟଣା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଜନୈକ ଯନ୍ତ୍ରୀ ଅବସର ପରେ ବି ଦାୟିତ୍ବ ହସ୍ତାନ୍ତର ନକରିବା ଓ ବିଡିଓ ମଧ୍ୟ ଏହି ଘଟଣାରେ ପ୍ରଶାସନକୁ ଅନ୍ଧାରରେ ରଖିଥିବାରୁ ଏହି ଘଟଣା ପଛରେ ଏକ ବଡ ରହସ୍ୟ ରହିଥିବା ସାଧାରଣରେ ଆଲୋଚନା ହେଉଛି । ପୁଲିସ ବି ଏବେ ଅନ୍ଧାରରେ ବାଡି ବୁଲାଇବା ଭଳି ସ୍ଥିତିରେ । ହେଲେ, ଏହି ୧୪ ପ୍ରକାର ସାମଗ୍ରୀ କେବେୁଠୁ ଚୋରି ହେଲାଣି, ସେ ତଥ୍ୟ ବି କାହା ପାଖରେ ନାହିଁ । ଅଭିଯୋଗ ପରେ ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଂଚ କରିଥିଲେ ବି ସେମାନଙ୍କର ‘ବ୍ୟାକ୍‌-ଅପ୍‌ ନଥିବାରୁ କିଛି ତଥ୍ୟ ମିଳିପାରୁନି ।

ବଡ଼ମ୍ବା କଲେଜ ଏସ୍‌ସି/ଏସ୍‌ଟି ହଷ୍ଟେଲ ପରିସରରେ ଖୋଲାଯାଇଥିଲା କୋଭିଡ୍‌ କେୟା‌ର୍‌ ସେଣ୍ଟର୍‌ । ଉକ୍ତ ସିସିସି ଗଲା ୨୦୨୧, ଅଗଷ୍ଟ ୩୧ ରୁ ବନ୍ଦ ହେଲାଣି । ଏହା ପରେ ସେଥିରେ ଥିବା ସମସ୍ତ ସାମଗ୍ରୀ ବ୍ଲକ୍‌ ଅଧୀନରେ ରହିଥିଲା । ତେବେ ଏହି ‌ସିସିସି ଦାୟିତ୍ବରେ ଥିବା ସହକାରୀ ଯନ୍ତ୍ରୀ ଅଶୋକ ଦାଶ ଗଲା ନଭେମ୍ବର ୧୧ ରୁ ଅବସର ଗ୍ରହଣ କରିଥିବା ଜଣାପଡ଼ିଛି । ଅନ୍ୟପଟେ ସହକାରୀ ଯନ୍ତ୍ରୀ ଅବସର ପ‌ରେ ବି ଚାର୍ଜ ଦେଉ ନଥିବା ଓ କୋଭିଡ୍‌ କେୟାର୍‌ ସେଣ୍ଟର୍‌ ଖୋଲାମେଲା ହୋଇ ପଡିଥିବା ଅଭିଯୋଗ ପରେ ବ୍ଲକ୍‌ ପକ୍ଷରୁ ଏହାର ଖୋଳତାଡ କରାଯାଇଥିଲା । କିନ୍ତୁ ସେତେବେଳକୁ କିଛି ନଥିଲା । ଅନ୍ୟପଟେ ଏହି କେନ୍ଦ୍ରରେ ଥିବା ୧ ଲକ୍ଷ ୬୮ ହଜାର ଟଙ୍କାର ୨୪ଟି ଆଣ୍ଟି ବାକ୍ଟେରିଆଲ ବେଡ୍‌, ୧ ଲକ୍ଷ ୫୩ ହଜାର ଟଙ୍କ‌ାର ୬୪ଟି ପଙ୍ଖା, ୧୧ ହଜାର ୨ ଶହ ଟଙ୍କାର ଏକ୍‌ଝଷ୍ଟ୍‌ ଫ୍ୟାନ୍‌, ୮୫ଟି ଟ୍ୟୁବ୍‌ଲାଇଟ୍ ଯାହାର ମୂଲ୍ୟ ୨୯,୭୫୦ ଟଙ୍କା, ଦୁଇଟି ଲୁହାର ଥାକ, ୧୨ଟି ସୁପ୍ରିମ୍‌ ଚେୟାର, ପିଭିସି ଡୋର୍‌, ୩୦ ପ୍ଲାଷ୍ଟିକ୍‌ ଥାକ ଓ ପାଇପ୍‌ ଭଳି ୧୪ ପ୍ରକାର ସାମଗ୍ରୀ ଚୋରି ହୋଇଥିବା ନେଇ ଅବସର ନେବାର ୫ ମାସ ପରେ, ଅର୍ଥାତ୍‌ ଗତ ମାସ ୧୮ ତାରିଖରେ ଲିଖିତ ଭାବେ (୪ଲକ୍ଷ ୪୮ହଜାର ୯୫୦ଟଙ୍କା) ଜଣାଇଥିବା ଜଣାପଡିଛି । ଏହାକୁ ଭିତ୍ତିକରି ବିଡିଓ ଥାନାରେ ଏତଲା ଦେଇଛନ୍ତି ।

ତେବେ ଅବସର ନେବା ପରେ ସଂପୃକ୍ତ ଯନ୍ତ୍ରୀ ୫ ମାସ ଧରି କଣ ପାଇଁ କୋଭିଡ୍‌ କେୟାର୍‌ ସେଣ୍ଟର୍‌ର ଦାୟିତ୍ବ ହସ୍ତାନ୍ତର କରୁ ନଥିଲେ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏତେ ସାମଗ୍ରୀ ସତରେ କଣ ଚୋରି ହୋଇଗଲା ତଥା‌ କିଏ-କେମିତି ଚୋରି କଲା, ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଘଟଣା ସଂପର୍କରେ ପିଡି ଡିଆର୍‌ଡିଏ ଅମ୍ବର କୁମାର କରଙ୍କୁ ଯୋଗାଯୋଗ କରିବାରେ, ସେ ଘଟଣା ସଂପର୍କରେ ଜାଣି ନଥିବା କହିଛନ୍ତି । ଅପରପକ୍ଷରେ, ବିଡିଓଙ୍କୁ ଯୋଗାଯୋଗ କରିବାରେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍ ଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ । ବଡ଼ମ୍ବା ଥାନା ଅଧିକାରୀଙ୍କୁ ଏ ସଂପର୍କରେ ଯୋଗାଯୋଗ କରିବାରୁ, ଚୋରି ସମ୍ପର୍କରେ ଏତଲା ପାଇଛୁ, ଏହାର ଆମେ ତଦନ୍ତ କରୁଛୁ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *