କୋଟପାଡ଼ : ଛତିଶଗଡ଼-ଓଡ଼ିଶା ସୀମାରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ଅନ୍ତର୍ଗତ ଚାନ୍ଦିଲି ଠାରେ ଓଡ଼ିଶା ପକ୍ଷରୁ ବିନା ଯାଞ୍ଚରେ ଗାଡ଼ି ଚଳାଚଳ କରୁଛି । କିଏ ଆସୁଛି, କିଏ ଯାଉଛି ତାହାର କୌଣସି ତଥ୍ୟ ରହୁନି । ଓଡ଼ିଶା ସୀମାକୁ ଅତିକ୍ରମ କରିବା ପାଇଁ କୌଣସି ପ୍ରତିବନ୍ଧନ ନାହିଁ । ଯେ କେହି ବି ଯେତେବେଳେ ଚାହିବ ଅବାଧରେ ପଶିବ । ଅନ୍ୟପଟେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସୀମାନ୍ତରେ ଥିବା ଧନପୁଞ୍ଜିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଛତିଶଗଡ଼ ପକ୍ଷରୁ ସୀମାରେ ଚେକ୍ ପୋଷ୍ଟ କରାଯାଇଛି । ପୁଲିସ, ବନ ବିଭାଗ ସମେତ ଅନ୍ୟ କିଛି ବିଭାଗର କର୍ମଚାରୀ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିଛି । କିନ୍ତୁ ଓଡ଼ିଶାର ଚାନ୍ଦିଲି ଠାରେ ସୀମା ସମ୍ପୂର୍ଣ୍ଣ ଭାବେ ମୁକୁଳା ପଡ଼ିଛି । ଗତ ଦିନର ଯଅଁରା ନଦୀ ଜଳ ବିବାଦ ବର୍ତ୍ତମାନ ବି ଲୋକଙ୍କ ମନରୁ ଲିଭିନି । ଛତିଶଗଡ଼ ସରକାର ଜୋରଜବରଦସ୍ତ ଯଅଁରା ମୁହାଣରେ ଚେକ୍ ପୋଷ୍ଟ କରି ଇନ୍ଦ୍ରାବତୀ ନଦୀ ଜଳକୁ ନେଇ ଯିବାକୁ ବସିଥିଲେ । ଏପରିକି ଓଡ଼ିଶା ସୀମାରେ ପଶି ଛତିଗଶଡ଼ ସରକାର ରାସ୍ତା ନିର୍ମାଣ କରିବା ସହ ଏହି ଅଞ୍ଚଳ ଛତିଶଗଡ଼ର ବୋଲି ସୂଚନା ଫଳକ ଲଗାଇଥିଲେ । ଏଥିସହ ଚାନ୍ଦିଲିରେ ଜୋରଜବରଦସ୍ତ ପଶି ଲୋକଙ୍କୁ ବିଏସ୍ଏନ୍ଏଲ୍ ସେବା ଯୋଗାଇବା ସହ ଛତିଶଗଡ଼ ବୁଥ ବୋଲି ମଧ୍ୟ ସୂଚନା ଫଳକ ଲଗା ଯାଇଥିଲା । ଏହାକୁ ଯଅଁରା ବଞ୍ଚାଅ ସଂଘର୍ଷ ସମିତି ବିରୋଧ କରିବା ସହ ଆନ୍ଦୋଳନ କରିବା ପରେ ଏହି ମୁହାଣରେ ଥିବା ଜଳ ଓଡ଼ିଶା ଓ ଛତିଶଗଡ଼ ସମାନ ଭାଗରେ ବାଣ୍ଟିବାକୁ କେନ୍ଦ୍ରୀୟ ଜଳ କମିସନ ନିଷ୍ପତ୍ତି ନେଇଥିଲେ । ଏହାପରେ ଛତିଶଗଡ଼ ସରକାର ବାଧ୍ୟ ହୋଇ ପଛଘୁଞ୍ଚା ଦେଇଥିଲେ । ପୂର୍ବରୁ ଛତିଶଗଡ଼ ସରକାର ଓଡ଼ିଶାର ସୀମାନ୍ତରେ ଥିବା ବିଭିନ୍ନ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ପ୍ରୟାସ କରିଥିବା ବେଳେ ସୀମାକୁ ଖୋଲାମେଲା ଛାଡ଼ିଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
