ସମ୍ବଲପୁର : ହୀରାକୁଦ ବନ୍ଧର ତଳମୁଣ୍ଡରେ ବହୁଦୂର ପର୍ଯ୍ୟନ୍ତ ମହାନଦୀର ପାଣି ବର୍ଷତମାମ ଅତ୍ୟନ୍ତ ପ୍ରଦୂଷିତ ହୋଇରହୁଛି । ବିଶେଷକରି, ହୀରାକୁଦରୁ ବାହାରିବା ପରେ ଏହାର ୧୦ କିଲୋମିଟର ତଳେ ଥିବା ସମ୍ବଲପୁର ସହର ସଂଲଗ୍ନ ମହାନଦୀର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଏଠି ମହାନଦୀର ସ୍ଥିତି ମୁଖ୍ୟତଃ ହୀରାକୁଦ ପାଣି ଉପରେ ନିର୍ଭର କରେ । ହୀରାକୁଦରୁ ପାଣି ଛାଡ଼ିଲେ ମହାନଦୀ ଫୁଲେ, ନଚେତ ବର୍ଷ ସାରା ପ୍ରାୟତଃ ଶୁଖିଲା । ହୀରାକୁଦ ଗେଟ୍ ବନ୍ଦ ଥିବା ସମୟରେ ମହାନଦୀରେ ଯେଉଁ ଅଳ୍ପ ପାଣି ଥାଏ, ତାହା ଅତ୍ୟନ୍ତ ଦୂଷିତ ଓ ବ୍ୟବହାର ଅନୁପଯୋଗୀ । ଏଠି ବର୍ଷତମାମ ମହାନଦୀ ପାଣି ‘ସି ବା ଡି ଗ୍ରେଡ୍’ ମାନର ଯାହା ଗାଧୋଇବା ପାଇଁ ଅନୁପଯୁକ୍ତ । ଖରାଦିନେ ପାଣି ସବୁଠୁ ଅଧିକ ଦୂଷିତ ହୁଏ ଓ ଏହାର ମାନ ‘ଡି ଗ୍ରେଡ୍’ ରହିଥାଏ ।
ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବୁର୍ଲା, ହୀରାକୁଦ ଓ ସମ୍ବଲପୁର ସହରର ସବୁ ଯାକ ନର୍ଦ୍ଦମା ପାଣି ମହାନଦୀରେ ମିଶୁଛି । ସମ୍ବଲପୁରରୁ ହୀରାକୁଦ ମଧ୍ୟରେ ୬ଟି ସ୍ଥାନରେ ଏହି ତିନି ସହରର ବର୍ଜ୍ୟ ଜଳ ନଦୀଶଯ୍ୟାରେ ପଡ଼ୁଛି । ମହାନଦୀରେ ଥିବା ପତଳା ଧାରରେ ଏହି ଅସନା ପାଣି ମିଶିବାପରେ ନଈ ପାଣି ଅତ୍ୟନ୍ତ ଦୂଷିତ ହୋଇଯାଉଛି । ସହରାଞ୍ଚଳରେ ବର୍ଜ୍ୟ ଜଳ ବିଶୋଧନ କରିବାକୁ ନିୟମ ରହିଥିଲେ ବି ସମ୍ବଲପୁର କ୍ଷେତ୍ରରେ ତାହା ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ ।
ବର୍ତ୍ତମାନ ସୁଦ୍ଧା ସମ୍ବଲପୁରରେ ସ୍ବେରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ନଥିଲାବେଳେ, ମହାନଦୀ ସବୁ ପ୍ରକାର ବର୍ଜ୍ୟ ଜଳର ଏକମାତ୍ର ନିଷ୍କାସନସ୍ଥଳ ପାଲଟିଛି । କେବଳ ବର୍ଜ୍ୟ ଜଳ ନୁହେଁ, ସହରରୁ ନିର୍ଗତ ଶୁଷ୍କ ଆବର୍ଜନା ମଧ୍ୟ ମହାନଦୀ ଶଯ୍ୟାରେ ପକାଇ ଦିଆଯାଉଛି । ଲକ୍ଷ୍ମୀ ଡୁଙ୍ଗୁରୀ ନିକଟସ୍ଥ ମହାନଦୀ ଶଯ୍ୟା ଅଘୋଷିତ ଡମ୍ପିଂ ୟାର୍ଡ ପାଲଟିଛି । ପ୍ଲାଷ୍ଟିକ୍ ବର୍ଜ୍ୟ ସମେତ ମୃତ ଗାଈ, କୁକୁର ଆଦି ପ୍ରାଣୀଙ୍କ ପଚାସଢ଼ା ଶରୀର ମଧ୍ୟ ସେଠାରେ ପକାଇ ଦିଆଯାଉଛି । ବିଭିନ୍ନ ଘରୋଇ କଳ କାରଖାନା, ବ୍ୟବସାୟ ପ୍ରତିଷ୍ଠାନ ରାତାରାତି ସେମାନଙ୍କ ଆବର୍ଜନାଗୁଡ଼ିକ ନେଇ ମହାନଦୀ ପଠାରେ ପକାଉଛନ୍ତି । ନିର୍ମାଣ କାର୍ଯ୍ୟରୁ ବାହାରୁଥିବା ବର୍ଜ୍ୟ ସାମଗ୍ରୀ ଓ ଭଗ୍ନାବଶେଷ ମଧ୍ୟ ନଦୀ ଶଯ୍ୟାରେ ପାହାଡ଼ ପରି ଗଦା କରି ଦିଆଯାଉଛି । ହୀରାକୁଦରୁ ବନ୍ୟା ଜଳ ଛଡ଼ା ଯିବା ମାତ୍ରେ ଏହି ସବୁ ମଇଳା ବଢ଼ି ପାଣିରେ ମିଳାଇ ତଳ ମୁଣ୍ଡକୁ ଯାଉଛି ଓ ନଈକୁ ପ୍ରଦୂଷିତ କରୁଛି । ବର୍ତ୍ତମାନ ବି ଲୋକଙ୍କ ଖୋଲାରେ ଶୌଚ କରିବା ଅଭ୍ୟାସ ଯାଇ ନାହିଁ । ବ୍ୟାପକ ସଚେତନତା ଓ ସାଧାରଣ ଶୌଚାଳୟ ନିର୍ମାଣ ସତ୍ତ୍ବେ ହଜାର ହଜାର ଲୋକ ଆଜି ବି ନଈକୂଳରେ ଶୌଚ ଅଭ୍ୟାସ ଛାଡ଼ି ନାହାନ୍ତି ।
ସହରର ବର୍ଜ୍ୟ ଜଳ ବ୍ୟତୀତ ହୀରାକୁଦରେ ଥିବା ବୃହତ ଶିଳ୍ପ ସଂସ୍ଥାର ବର୍ଜ୍ୟ ଜଳ ମଧ୍ୟ ମହାନଦୀରେ ମିଶୁଥିବା ଅଭିଯୋଗ ହୁଏ । ହୀରାକୁଦର ନର୍ଦ୍ଦମା ନିଷ୍କାସନ ହେଉଥିବା ନାଳରେ ଏହି କାରଖାନା ପାଣି ମିଶାଇ ଦିଆ ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି । ତେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ କୌଣସି ଶିଳ୍ପର ବର୍ଜ୍ୟ ଜଳ ମହାନଦୀରେ ମିଶୁ ନାହିଁ । ଶିଳ୍ପ କାରଖାନା ଗୁଡ଼ିକ ବ୍ୟବହାର କରୁଥିବା ଜଳକୁ କାରଖାନା ମଧ୍ୟରେ ବିଶୋଧନ କରି ପୁଣି ବ୍ୟବହାର କରିଥାଆନ୍ତି । କିନ୍ତୁ ସହରାଞ୍ଚଳ ନର୍ଦ୍ଦମା ପାଣି ନିଷ୍କାସନ ଯୋଗୁଁ ହିଁ ହୀରାକୁଦରୁ ସମ୍ବଲପୁର ମଧ୍ୟରେ ମହାନଦୀ ଜଳ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ । ତେଣୁ ତିନି ସହରରୁ ନିର୍ଗତ ଜଳର ବିଶୋଧନ କରି ନଈରେ ଛଡ଼ାଗଲେ, ଏହି ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ସେ ମତ ଦେଇଛନ୍ତି । ଅବଶ୍ୟ ଶୀଘ୍ର ସ୍ବେରେଜ୍ ପ୍ରକଳ୍ପର ଆଂଶିକ କମିସନିଂ ହୋଇଯିବ ବୋଲି ପ୍ରଶାସନ ପକ୍ଷରୁ ଦାବି କରାଯାଇଛି । ଏହା ହେବାପରେ ବିନାଖଣ୍ଡିଠାରେ ମହାନଦୀରେ ମିଶୁ ଥିବା ନର୍ଦ୍ଦମା ଜଳକୁ ଆଉ ନଦୀର ଛଡ଼ା ନଯାଇ କମିସନର୍ କଲୋନି ପମ୍ପିଂ ଷ୍ଟେସନ୍ରୁ ପମ୍ପିଂ କରି ଭତରାସ୍ଥିତ ଏସ୍ଟିପିକୁ ପଠାଯିବ । ସେଠାରେ ବିଶୋଧନ ପରେ ତାହା ନଦୀକୁ ଛଡ଼ାଯିବ ବୋଲି କୁହାଯାଉଛି । ଏହା ହେଲେ ନଦୀ ପାଣିର ମାନରେ କେତେ ସୁଧାର ଆସିବ ଜଣାପଡ଼ିବ ।
