ରାଉରକେଲା : ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ କୁଆରମୁଣ୍ଡା ଚାର୍ଡିହରିହରପୁରସ୍ଥ ଲିବର୍ଟି ହାଉସ୍ କାରଖାନା ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛି । ଆଧୁନିକ ମେଟାଲିକ୍ସ୍ କାରଖାନାକୁ କିଣିବା ପରେ କାରଖାନାରେ କାର୍ଯ୍ୟରତ ଉଚ୍ଚ ଅଧିକାରୀ ସରକାରୀ ବିରୋଧୀ କାର୍ଯ୍ୟ କରୁଥିବାର ବାରମ୍ବାର ଅଭିଯୋଗ ହେଉଛି । ସରକାରୀ ଜମି ଜବରଦଖଲ, ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା ହେଉ ଅବା କାର୍ଯ୍ୟରତ ଶ୍ରମିକଙ୍କ ବକେୟା ପାଉଣାକୁ ଆଦି ସମସ୍ୟା ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ଓ ଶ୍ରମିକମାନେ ଆନ୍ଦୋଳନ କରୁଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଲିବର୍ଟି ହାଉସର ମନଇଚ୍ଛା କାର୍ଯ୍ୟକୁ କଢ଼ା ବିରୋଧ ମଧ୍ୟ କରିଛନ୍ତି । ଏହା ସତ୍ବେ କାରଖାନା କର୍ତ୍ତୃପକ୍ଷ ଓ କାର୍ଯ୍ୟରତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ କାର୍ଯ୍ୟଶୈଳୀର କୌଣସି ପରିବର୍ତ୍ତନ ଆସୁନି । ଏବେ ୧୪୩ ନଂ ଜାତୀୟ ରାଜପଥ ପାର୍ଶ୍ବରେ ପ୍ରାୟ ୧୦ ୦ କୋଟିର ମୂଲ୍ୟବାନ ଜମିକୁ ପର୍ଯ୍ୟାୟକ୍ରମେ ମାଡ଼ି ବସିଥିବା ଭଳି ସାଂଘାତିକ ଅଭିଯୋଗ କାରଖାନା ବିରୋଧରେ ଆସିଛି ।
କାରଖାନା ପ୍ରତିଷ୍ଠା ବେଳେ ଜିଲ୍ଲା ପ୍ରଶାସନ ଠାରୁ ଯେତିକି ଜମି ଅଧିଗ୍ରହଣ କରିଥିଲା, ତା’ ଠାରୁ ଅଧିକ ୩୦ ଜମି ନିଜ ଅକ୍ତିଆରକୁ ନେଇ ସାରିଛି ବୋଲି ଅଭିଯୋଗ ରହିଛି । ଏଥିପାଇଁ ସ୍ଥାନୀୟ ତହସିଲଦାରଙ୍କଠାରୁ କୌଣସି ଅନୁମତି ନେଇନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ କଥା, ମାଡ଼ିବସିଥିବା ଜମି ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣ କାମ ଆରମ୍ଭ ହୋଇ ସାରିଛି । ନିକଟରେ ସ୍ଥାନୀୟ ଅଞ୍ଚଳବାସୀ ନିର୍ମାଣଧୀନ ପାଚେରୀରୁ କିଛି ଅଂଶ ଭାଙ୍ଗିଦେବା ପରେ କାରଖାନା କର୍ତ୍ତୃପକ୍ଷ କାମ ବନ୍ଦ ରଖିଛନ୍ତି । ସେପଟେ ଦିନକୁ ଦିନ ଏକର ପରେ ଏକର ମୂଲ୍ୟବାନ ଜମିକୁ କାରଖାନା ନିଜ ଅଧୀନକୁ ନେଇ ଚାଲିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । କେବଳ କାରଖାନା କର୍ତ୍ତୃପକ୍ଷଙ୍କୁ ଦାଗିଦ୍ କରି କାମସାରି ଦେଇଛନ୍ତି । ଯାହାର ଭରପୂର ଫାଇଦା ଉଠାଉଛନ୍ତି କାରଖାନାରେ କାର୍ଯ୍ୟରତ କିଛି ଉଚ୍ଚ ଅଧିକାରୀ । ଏଥିସହ ସ୍ଥାନୀୟ ନିଯୁକ୍ତିକୁ କାରଖାନା କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ହେଉଛି । ସରକାରୀ ନିୟମ ଅନୁଯାୟୀ ୭୦% ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ ବାହାରୁ ଶ୍ରମିକଙ୍କୁ ଅଣାଯାଇ କାମ କରାଯାଉଛି । ପାରିପାର୍ଶ୍ବିକ ବିକାଶ ପାଣ୍ଠି (ସିଏସ୍ଆର୍)ରୁ ଟଙ୍କାଟିଏ ସ୍ଥାନୀୟ ଅଞ୍ଚଳରେ ଖର୍ଚ୍ଚ କରାଯାଉ ନାହିଁ । କୁଆରମୁଣ୍ଡା ବ୍ଲକ ନିକଟରେ କାରଖାନା ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ । ଏହି ପ୍ରକଳ୍ପରୁ ହଜାର ହଜାର ଲୋକ ଉପକୃତ ହେଉଥିଲେ । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

କାରଖାନା ବିରୋଧରେ ଆସିଥିବା ଏଭଳି ଅଭିଯୋଗ ସଂକ୍ରାନ୍ତରେ କୁଆରମୁଣ୍ଡା ତହସିଲଦାର ଡକ୍ଟର ରାଜେଶ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ‘‘ମୁଁ ନୂଆ କରି ଯୋଗଦେଇଛି । ତେଣୁ ଏ ସଂକ୍ରାନ୍ତରେ ଜାଣିନାହିଁ । କାରଖାନା ଅଧିଗ୍ରହଣ କରିଥିବା ଜମି ସଂକ୍ରାନ୍ତୀୟ କାଗଜପତ୍ର ଯାଞ୍ଚ କରିବା ପରେ କେତେ ଜମି ମାଡ଼ିବସିଛି, କହିପାରିବି । ଯଦି ଘଟଣା ସତ ହୋଇଥାଏ, ଆଇନ ଅନୁଯାୟୀ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।’’
ଉଲ୍ଲେଖଯୋଗ୍ୟ, କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ଚାର୍ଡିହରିହରପୁର ଠାରେ ଗତ ୧୮ ବର୍ଷ ତଳେ ଆଧୁନିକ ମେଟାଲିକ୍ସ କାରଖାନା ପ୍ରତିଷ୍ଠା ହୋଇଥିଲା । ଅତ୍ୟଧିକ ଋଣ ଭାର ଓ ଅନ୍ୟାନ୍ୟ କାରଣରୁ କାରଖାନା ବନ୍ଦ ହୋଇଯାଇଥିଲା । କାରଖାନାରେ କାମ କରୁଥିବା ଶ୍ରମିକମାନେ କର୍ମସଂସ୍ଥାନ ହରାଇଥିଲେ । କିଛି ସ୍ଥାୟୀ ଶ୍ରମିକ ନିଜର ବକେୟା ଦରମା ଓ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଆନ୍ଦୋଳନ ଜାରି ରଖିଥିଲେ । ଗତ ୨୦୧୮ ଏପ୍ରିଲରେ ବ୍ରିଟେନ୍ର ଲିବର୍ଟି ହାଉସ ଆଧୁନିକ ମେଟାଲିକ୍ସକୁ ୪୬୦ କୋଟି ଟଙ୍କାରେ କିଣିବାକୁ ସହମତି ପ୍ରକାଶ କରିଥିଲେ । ୨୦୨୦ରେ କାରଖାନାକୁ କିଣିଥିଲେ । ଏବେ କାରଖାନାରେ ପ୍ରାୟ ୧୧ ଶହ ସ୍ଥାୟୀ ଓ ୨୦୦ ରୁ ଅଧିକ ଅସ୍ଥାୟୀ ଶ୍ରମିକ କାମ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ଶ୍ରମିକଙ୍କୁ ୨୨ ମାସର ବକେୟା ଦରମାର ମିଳିନାହିଁ । ଅବଶ୍ୟ ଲିବର୍ଟି ହାଉସ ଯେବେଠାରୁ କାରଖାନାକୁ ଚାଲୁ କରିଛି, ସେବେଠାରୁ କର୍ମଚାରୀଙ୍କୁ ଦରମା ଦେଇଆସୁଛି । କାରଖାନାର ମୋଟ ୧୧ ୟୁନିଟ୍ ମଧ୍ୟରୁ ବର୍ତ୍ତମାନ ୩ଟି ୟୁନିଟ୍ କାର୍ଯ୍ୟକ୍ଷମ ରହିଛି ।
