ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମକୁ ନେଇ ବଢୁଛି ବିବାଦ

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଚାଲିଥିବା ସେଲ୍ଫ ଫାଇନାନ୍ସିଂ (ନିଜସ୍ବ ଦେୟ) ପାଠ୍ୟକ୍ରମର ଆସନ କାଟ କରାଯିବା ପରେ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ର ରୂପ ନେବାରେ ଲାଗିଛି । ରାଜଭବନ ପକ୍ଷରୁ ଜାରି ନିୟମାବଳୀକୁ କାର୍ଯ୍ୟକାରୀ କରିବାକୁ ଗତମାସ ୧୨ରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା । ରାଜଭବନ ପକ୍ଷରୁ ଜାରି ନିୟମାବଳୀକୁ କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା । ଗତମାସରେ ଏହି ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ୍‌ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ଓ ଟମାଟୋ ମାଡ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୃଥକ ଭାବେ ବିଭାଗୀୟ ଅଧିକାରୀଙ୍କୁ ଦିନକ ପରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ଜାରି କଟକଣା ନ ଲଗାଇବାକୁ କୁହାଯାଇଥିଲା । ରାଜଭବନ ଓ ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ସମନ୍ବୟ ନ ରହିବାରୁ ଏବେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମର ଆସନ କାଟ ହୋଇଥିବା ଅଭିଯୋଗ ହୋଇଛି । ସରକାରୀ ବିଶ୍ବବିଦ୍ୟାଳୟ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ତୁଳନାରେ ଘରୋଇ ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମ ଦେୟ ପ୍ରାୟ ୩ ରୁ ୧୦ ଗୁଣା(ଘରୋଇ ଶିକ୍ଷାନୁଷ୍ଠାନ ମୁତାବକ) ଅଧିକ ରହିଛି । ରାଜ୍ୟରେ ଥିବା ଗରିବ ମେଧାବୀ ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପାଇବେ କେମିତି ସେଥିନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ପଦ ସହ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ପ୍ରଶାସକ ଶାଶ୍ବତ ମିଶ୍ର କାର୍ଯ୍ୟରତ । ଉଭୟ ଦାୟିତ୍ଵରେ ଶ୍ରୀ ମିଶ୍ର ଥିବାବେଳେ କିଭଳି ସମନ୍ବୟର ଅଭାବ ରହୁଛି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇ ନ ଥିବାବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇନି । ସରକାରୀ ଶିକ୍ଷାନୁଷ୍ଠାନରେ ପାଠ୍ୟକ୍ରମର ଆସନ ସଂଖ୍ୟା କମିବା ଦ୍ବାରା ଗରିବ ମେଧାବୀ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି । ପୁନର୍ବାର ଏବେ ଆସନ କାଟ ହେବାରୁ ଏହି ପ୍ରସଙ୍ଗରେ ପ୍ରମୁଖ ବିରୋଧୀ ଛାତ୍ର ସଙ୍ଗଠନ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଛାତ୍ର କଂଗ୍ରେସ୍‌ ଓ ଏଆଇଏସ୍‌ଏଫ୍‌ ପକ୍ଷରୁ ଆନ୍ଦୋଳନ ପାଇଁ ଧମକ ଦିଆଯାଇଥିବାବେଳେ ଏବିଭିପି ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି ।

ରାଜଭବନ ନିର୍ଦେଶନାମା ମୁତାବକ ସବୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବହୁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମର ବିଭାଗ ବନ୍ଦ କରିବା ସହ ଆସନ କମାଇଦେଇଛନ୍ତି । ଏଭଳି ହେବା ଦ୍ବାରା ସବୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ଛାତ୍ର ଆନ୍ଦୋଳନ ଭୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗଣମାଧ୍ୟମରେ ମୁହଁ ଖୋଲୁନାହାନ୍ତି । ଚଳିତ ମାସ ଶେଷ ସପ୍ତାହ କିମ୍ବା ଆସନ୍ତା ମାସରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସାମ୍ସ ଜରିଆରେ ଉଭୟ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ନାମଲେଖା ଅନୁଷ୍ଠିତ ହେବ । ନାମଲେଖା ପାଇଁ ପ୍ରସ୍ତୁତ ତାଲିକାରେ ଆସନ କାଟ କରାଯାଇଛି । ଶିକ୍ଷାନୁଷ୍ଠାନରେ ୫୦ ରୁ ୭୦% ପର୍ଯ୍ୟନ୍ତ ଆସନ କମିଛି । ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଗତମାସରେ ସବୁ କୁଳପତିଙ୍କୁ ଚିଠି ଲେଖି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ସମୁଦାୟ ବିଦ୍ୟାର୍ଥୀଙ୍କର ୨୦%ରେ ସୀମିତ ରଖିବା ସହ ବିବିଧ କଟକଣା ସମ୍ବନ୍ଧରେ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ନିର୍ଦେଶ ଦେଇଥିଲେ । ୨୦୨୨-୨୩ ଶିକ୍ଷା ବର୍ଷରୁ ଲାଗୁ କରିବାକୁ କୁହାଯାଇଥିଲା ।

ଏହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟରେ ଚାଲିଥିବା ବିଭିନ୍ନ ପାଠ୍ୟକ୍ରମ ବନ୍ଦ କରିବା ସହ ଆସନ କମାଇଛନ୍ତି । ରାଜଭବନ ପକ୍ଷରୁ ଜାରି କଟକଣାକୁ ଲାଗୁ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଅଧିକ ନିଯୁକ୍ତି ସୁଯୋଗ ଥିବାବେ‌ଳେ ପାଠ୍ୟକ୍ରମର ଆସନ କମିବା ଦ୍ବାରା ଶିକ୍ଷିତ ବେକାରୀ ବଢିପାରେ । ଆର୍ଥିକ ଭାବେ ପଛୁଆ ବିଦ୍ୟାର୍ଥୀଙ୍କୁ ନାମଲେଖା ସୁଯୋଗ ମିଳିବ ନାହିଁ । ଡାଟା ସାଇନ୍ସ, ଏମ୍‌ଟେକ୍‌ କମ୍ପ୍ୟୁଟର ସାଇନ୍ସ, ରିମୋଟ ସେନ୍ସିଂ , ଆଇଟିଏମ୍‌ ଭଳି ଚାହିଦା ଥିବା ପାଠ୍ୟକ୍ରମର ଆସନ କାଟ ସହ କିଛି ବିଭାଗରେ ଝୁଲିଛି ତାଲା । ଏହି ପାଠ୍ୟକ୍ରମ ଗୁଡ଼ିକର କଟ୍‌ଅଫ୍‌ ଅଧିକ ଥିବାବେଳେ ମେଧାବୀ ବିଦ୍ୟାର୍ଥୀ ଓଡ଼ିଶା ବାହାରକୁ ନଯାଇ ଓଡ଼ିଶାରେ ପାଠପଢା ସୁଯୋଗ ପାଉଥିଲେ ।

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବା ସହ ବିଭାଗ ବନ୍ଦ ହେଉଥିବାରୁ ନାକ୍‌ ମୂଲ୍ୟାୟନରେ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରୁଛନ୍ତି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ କାଟ ଓ ବିଭାଗ ବନ୍ଦ କରିବା ସହ ଏ ସମ୍ବନ୍ଧରେ ପ୍ରସ୍ତାବ ଏକାଡେମିକ କାଉନସିଲ ଓ ସିଣ୍ଡିକେଟ୍‌ରେ ଉପସ୍ଥାପନ କରିଛନ୍ତି । ବହୁ ବିଶ୍ବବିଦ୍ୟାଳୟ ପ୍ରସ୍ତାବ ପାରିତ ହୋଇଥିବାବେଳେ ଅଳ୍ପ କେତେକଙ୍କ ଖୁବ୍‌ଶୀଘ୍ର ପ୍ରସ୍ତାବ ପାରିତ ହେବ । ଆସନ୍ତା ଶିକ୍ଷାବର୍ଷରେ ରେଭେନ୍ସା ବିଶ୍ବବିଦ୍ୟାଳୟର ସ୍ନାତକରେ ୩୬୮ ଓ ସ୍ନାତକୋତ୍ତର (ପିଜି)ରେ ୧୯୨ ଆସନ କମାଯାଇଛି । ସେହିପରି ଉତ୍କଳରେ ୯୫୦ ଆସନ ଥିବାବେଳେ ଚଳିତ ବର୍ଷ ଏହାକୁ ୫ ଶହକୁ କମାଯାଇଛି । ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ରଙ୍କ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା ।

Leave a Reply

Your email address will not be published. Required fields are marked *