ବ୍ରହ୍ମପୁର : ଏମ୍କେସିଜି ମେଡିକାଲର ପାରାମେଡିକାଲ କର୍ମଚାରୀଙ୍କୁ ଜଣେ ରୋଗୀ ସମ୍ପର୍କୀୟଙ୍କ ଦୁର୍ବ୍ୟବହାର ଘଟଣାର ପ୍ରତିବାଦ କରି ପାରାମେଡିକାଲ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ କାମ ବନ୍ଦ କରି ଧାରଣା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ସହ ରେଡିଓଲୋଜି ବିଭାଗରେ କାର୍ଯ୍ୟରତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଦାବି କରିଥିଲେ । ଖବରପାଇ ଏମ୍କେସିଜି ମେଡିକାଲ କର୍ତ୍ତୃପକ୍ଷ ଓ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ଏମ୍କେସିଜିର ପିଏମ୍ଆର୍ କୋଠାରେ ଚିକିତ୍ସିତ ହେଉଥିବା ଜଣେ ମହିଳା ରୋଗୀଙ୍କ ସ୍ବାମୀ ଗତକାଲି ଜଣେ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ପରେ ସେ ଏକ୍ସରେ ପାଇଁ ଆସିଥିଲେ । ଏକ୍ସରେ କରିବାରେ ଟିକିଏ ବିଳମ୍ବ ହେବାରୁ ରେଡିଓଲୋଜି ବିଭାଗରେ କାର୍ଯ୍ୟରତ ପାରାମେଡିକାଲ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ । କର୍ମଚାରୀମାନେ ଏହାର ପ୍ରତିବାଦ କରିଥିଲେ ।
ଫଳରେ ସମ୍ପୃକ୍ତ ବ୍ୟକ୍ତିଜଣକ ସେମାନଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ । ଖବରପାଇ ମେଡିକାଲ ଫାଣ୍ଡି ପୁଲିସ ସେଠାରେ ପହଞ୍ଚି ସମସ୍ୟା ସମାଧାନ କରିଥିଲା । ହେଲେ ସେହି ବ୍ୟକ୍ତି ଜଣଙ୍କ ଆଜି ସକାଳୁ ପୁଣିଥରେ ରେଡିଓଲୋଜି ବିଭାଗକୁ ଯାଇ ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ନାନା ଧମକ ଦେଇ ଫେରାର୍ ହୋଇ ଯାଇଥିଲେ । ଏହାପରେ ସମସ୍ତ ପାରାମେଡିକାଲ ଛାତ୍ରଛାତ୍ରୀମାନେ କାର୍ଯ୍ୟବନ୍ଦ କରି ଧାରଣାରେ ବସିଥିଲେ । ଏଥିଯୋଗୁଁ ଏମ୍କେସିଜିରେ ପ୍ରାୟ ୩ଘଣ୍ଟା ଧରି ଏକ୍ସରେ ଓ ଅଲଟ୍ରାସାଉଣ୍ଡ୍ ସେବା ବାଧାପ୍ରାପ୍ତ ହୋଇଥିଲା । ଏମ୍କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ଓ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତିଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଲିସ ପ୍ରତିଶ୍ରୁତି ଦେବା ପରେ ମାମଲା ଶାନ୍ତ ପଡ଼ିଥିଲା ।
