୪୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ପ୍ରହସନ

ଭଦ୍ରକ : ଭଦ୍ରକ ଜିଲ୍ଲ‌ାରେ ଧାମରା ବନ୍ଦର ପ୍ରତିଷ୍ଠା ହେବା ପରେ ଏହା ଏକ ବିଶ୍ବସ୍ତରୀୟ ବନ୍ଦର ହେବ ବୋଲି ଯୋଜନା ଚାଲିଛି । ଏଠାରେ ୩୫ଟି ବର୍ଥ ନିର୍ମାଣ ଲକ୍ଷ୍ୟ ରଖା ଯାଇ କାର୍ଯ୍ୟ ହେଉଛି । ଏହି ସୁଦୀର୍ଘ ବନ୍ଦରର କଳେବର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟରେ ୨ଟି ବର୍ଥ ନିର୍ମାଣ କରାଯାଇ ବନ୍ଦରକୁ କାର୍ଯ୍ୟକ୍ଷମ କରାଯାଇଥିଲା । ଏବେ ୪ଟି ବର୍ଥ କାର୍ଯ୍ୟକ୍ଷମ ଅଛି । ଧାମରା ବନ୍ଦରର ବିକାଶ ଏବଂ ବେକାରଙ୍କୁ ରୋଜଗାର ଦେବା ପାଇଁ ପ୍ରାୟ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ବିଭିନ୍ନ କଂପାନି ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରିଥିଲେ । ଚୁକ୍ତିନାମା ସ୍ବାକ୍ଷର ହେବାର ଏଇଭିତରେ ୧୧ ବର୍ଷ ବିତିଯାଇଛି । ମାତ୍ର ସରକାରଙ୍କ ଘୋଷଣା କେବଳ ଘୋଷଣାରେ ରହିଯାଇଛି । ରାଜ୍ୟ ସରକାର ଭଦ୍ରକ ଜିଲ୍ଲାରେ ଶିଳ୍ପ ବିକାଶର ସ୍ବପ୍ନ ଦେଖାଇ ସମସ୍ତଙ୍କୁ ହତାଶ କରିଛନ୍ତି ।

୨୦୦୭ ମସିହାରେ ଭଦ୍ରକ ଜିଲ୍ଲାର ଧାମରା ଠାରେ ଆରମ୍ଭ ହୋଇଥିଲା ଓଡ଼ିଶାର ତୃତୀୟ ବନ୍ଦର ନିର୍ମାଣ । ପାରାଦୀପ ଓ ଗୋପାଳପୁର ବନ୍ଦର ପରେ ଧାମରା ବନ୍ଦର ବିଶ୍ବରେ ଏକ ବୃହତ୍ତମ ବନ୍ଦରର ମାନ୍ୟତା ପାଉ ବୋଲି ବିଚାର କରି ସରକାର ବନ୍ଦର କମ୍ପାନିକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଜମି ଅଧିଗ୍ରହଣ ଠାରୁ ଆରମ୍ଭ କରି ବନ୍ଦର ନିର୍ମାଣ କ୍ଷେତ୍ରରେ ରାଜ୍ୟ ସରକାର ଧାମରା ବନ୍ଦର କମ୍ପାନିକୁ ପୂର୍ଣ୍ଣ ସହଯୋଗ କରିଥିଲେ । ୨୦୧୧ ମସିହାରେ ବନ୍ଦରକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାମରା ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ । ଏକାଧିକ ଶିଳ୍ପ ସଂସ୍ଥା‌ ଶିଳ୍ପ ପ୍ରତିଷ୍ଠା ପାଇଁ ଏଠାରେ ଜମି କିଣିଥିଲେ । ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୨୦୧୦ ମସିହାରେ ୨୦ ରୁ ଅଧିକ ଦେଶୀ ଓ ବିଦେଶୀ କଂପାନି ସହ ଏମ୍‌ଓୟୁ ସ୍ବାକ୍ଷର କରିଥିଲେ ।

ମାତ୍ର ବନ୍ଦର କାର୍ଯ୍ୟକ୍ଷମ ହେବାର ୧୧ ବର୍ଷ ପରେ ମଧ୍ୟ ଏଠାରେ ଗୋଟିଏ ହେଲେ ଶିଳ୍ପ ସଂସ୍ଥା ଗଢ଼ି ଉଠିଲା ନାହିଁ । ଜଗତସିଂହପୁରରେ ପୋସ୍କୋକୁ ବିରୋଧ କରିବା‌ ପରେ ଧାମରା ଠାରେ ପୋସ୍କୋକୁ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ କୁହାଯାଉଥିଲା । ମାତ୍ର ସେ କଥା ବି ଏଯାଏ ହେଲାନି । ସେହିପରି ଗୁଜୁରାଟର ଏକ କଂପାନି ୬ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରି ଏଠାରେ ଷ୍ଟିଲ୍‌ ଶିଳ୍ପ ପ୍ରତିଷ୍ଠା କରିବ ବୋଲି କହିଥିଲା । ଏଥିପାଇଁ ଧାମରା ଠାରେ ୩ ଶହ ଏକର ଜମି କିଣା ଯାଇଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଉକ୍ତ କଂପାନି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ମୁହଁ ମୋଡ଼ିଲା । ସେହିପରି କୋଣାର୍କ ମଧ୍ୟ ଏଠାରେ ୧୫୦ କୋଟି ଟଙ୍କା ବିନିଯୋଗ କରି ଶିଳ୍ପ ପ୍ରତିଷ୍ଠା କରିବ ବୋଲି ଯୋଜନା ପ୍ରସ୍ତୁତ କରିଥିଲା ।

ଚରଦିଆରେ ଜାହାଜ କାରଖାନା ପ୍ରତିଷ୍ଠା କରିବା ପାଇଁ ସୁରେନ୍ଦ୍ର ଗ୍ରୁପ୍ ଅଫ୍ କଂପାନି ଓ ଭାରତୀ ସିପ୍ୟାଡ୍ କଂପାନି ପକ୍ଷରୁ ମିଳିତ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା । ସେହିପରି ଏଲ୍‌ଆଣ୍ଡଟି ପକ୍ଷରୁ ୧୦ ହଜାର ୨୧୬ କୋଟି ଟଙ୍କା ବ୍ୟୟରେ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ରହିଥିଲା । ସେହିପରି ଇଟା, ସିମେଣ୍ଟ, ପଲିଥିନ୍ କଂପାନି ପ୍ରତିଷ୍ଠା କରିବା ପାଇଁ ଅନ୍ୟ କିଛି ଶିଳ୍ପ ସଂସ୍ଥା ଲକ୍ଷ୍ୟ ରଖିଥିଲେ । ଶ୍ରୀ ମେଟାଲିକ୍ କଂପାନି ପକ୍ଷରୁ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା ହୋଇଥିଲା । ଲକ୍ଷ୍ମୀ ମେଟାଲିକ୍‌ ମଧ୍ୟ ଏଠାରେ ୩ ଜହାର ୪ ଶହ ୫୬ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ବୋଲି ଘୋଷଣା କରିଥିଲା । ମାତ୍ର ଧାମରା ଠାରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଶିଳ୍ପ ସଂସ୍ଥା ଗଢ଼ି ଉଠିଲା ନାହିଁ ।

ଶିଳ୍ପ ପ୍ରତିଷ୍ଠା ପାଇଁ ଧାମରା ନିକଟ ଅଞ୍ଚଳର ଶହ ଶହ ଏକର ଜମିକୁ କିଛି ସଂସ୍ଥା ଶାଗମାଛ ଦରରେ କିଣି ନେଇଛନ୍ତି । ବନ୍ଦର ବିକାଶ ହେବା ସହ ଧାମରା ହେବ ଶିଳ୍ପ ସମୃଦ୍ଧ ସହର । ଏଇ ଆଶା ନେଇ ସ୍ଥାନୀୟ ଲୋକମାନେ ସାତପୁରୁଷର ଚାଷଜମିକୁ ବିକି ଦେଇଛନ୍ତି । ଲୋକଙ୍କ ହାତରୁ ଜମି ଚାଲିଯାଇଛି । କିନ୍ତୁ ଶିଳ୍ପ ପ୍ରତିଷ୍ଠା ହୋଇ ପାରି ନାହିଁ । ଫଳରେ ଧାମରା ବିକାଶର ସ୍ବପ୍ନ ସ୍ବପ୍ନରେ ରହିଯାଇଛି ।

ତେବେ ଏପରି ସମୟରେ ସରକାର ଶିଳ୍ପ ପ୍ରତିଷ୍ଠା ନେଇ ଚିନ୍ତା କରିବା ଦରକାର । ଯାହାଫଳରେ ଧାମରାର ବିକାଶ ସହ ଶହ ଶହ ବେକାର ଯୁବକ, ଯୁବତୀ ନିଯୁକ୍ତି ପାଇପାରିବେ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *