ଆଗରପଡ଼ା : ବେଆଇନ ବାଲି ଖନନ ଯୋଗୁ ବନ୍ତ ତହସିଲ ଅଧୀନ ଆଗରପଡ଼ା ଅଞ୍ଚଳରେ ସାଳନ୍ଦୀ ନଦୀ ଗତିପଥ ପରିବର୍ତ୍ତନ କରି ଧୀରେ ଧୀରେ ଗାଁ ମୁହାଁ ହେଉଛି । ଫଳରେ ଲୋକେ ଆଶଙ୍କା ଭିତରେ ରହୁଛନ୍ତି । ସାଳନ୍ଦୀ ନଦୀ ପଠାରେ ବେଆଇନ ଭାବେ ଗଢ଼ି ଉଠୁଥିବା ଇଟାଭାଟି ଓ ବାଲି ଖନନ ଯୋଗୁ ନଦୀ କ୍ରମଶଃ ବିପଦ ମୁହଁକୁ ଠେଲିଯାଉଛି । ଆଗରପଡ଼ା ଥାନା ଅଧୀନ ସାହୁପଡ଼ା, ଟିକିରା, କାଣ୍ଡବା, ଗୋପୀନାଥପୁର, ବଡ଼ମହିଷଗୋଠ, ମହାନ୍ତିିପଡ଼ା, ଚାରିଗାଁ ଏବଂ ଅଣିଜୋ ଆଦି ସାଳନ୍ଦୀ ନଦୀଘାଟରୁ ଦୀର୍ଘ ଦିନ ଧରି ବେଆଇନ ଭାବେ ମାଫିଆମାନେ ଦିନ ଦ୍ୱିପ୍ରହରରେ ବାଲି ଉତ୍ତୋଳନ କରୁଛନ୍ତି । ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଘାଟଗୁଡ଼ିକୁ ଗତ ବର୍ଷ ନିଲାମ କରାଯାଇଥିଲା । ନିଲାମ ପରେ ଅଞ୍ଚଳବାସୀ ବେଆଇନ ବାଲି ଖନନ ଉପରେ ରୋକ ଲାଗିବ ବୋଲି ଆଶା କରିଥିବା ବେଳେ ଏଥିରେ ଫଳ କିନ୍ତୁ ଶୂନ ।
ସରକାରଙ୍କ ପ୍ରଦତ୍ତ ନିୟମକୁ କେହି ବି ମାନୁନାହାନ୍ତି । ପୂର୍ବ ପରି ରାଜସ୍ବ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ଦିନ ଦ୍ୱିପ୍ରହରରେ ଖୋଲାଖୋଲି ଭାବେ ଅଧିକ ବାଲି ଖୋଳାଯାଇ ଟ୍ରାକ୍ଟର ଓ ଟ୍ରକ୍ରେ ବେଆଇନ ଚାଲଣ କରାଯାଉଛି । ଏହା ଜାଣି ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି । ଗ୍ରାମବାସୀମାନେ ଏହାକୁ ବିରୋଧ କଲେ ମାଫିଆମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ । ଘାଟ ନିଲାମ କେବଳ ପ୍ରହସନ ପାଲଟିଛି ।
