ତରଭା : ତରଭା ବ୍ଲକ୍ କମସରା ପଞ୍ଚାୟତ ବଡ଼ଯୋର ଗାଁରେ ୧୫ ଦିନରୁ ଅଧିକ ହେଲା ଜଳ ସଙ୍କଟ ଦେଖାଦେଇଛି । ଗ୍ରାମରେ ଥିବା ଓଭରହେଡ ଟାଙ୍କିରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ଏହା କାମ କରୁନାହିଁ । ତେଣୁ ଟେପ ଯୋଗେ ପାଣି ଯୋଗାଣ ହୋଇପାରୁ ନାହିଁ । ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଯୋଗୁଁ ଗ୍ରାମବାସୀ ପାଣି ମୁନ୍ଦିଏ ପାଇଁ ଡହଳବିକଳ ହେଉଛନ୍ତି । ପାନୀୟ ଜଳଠାରୁ ଆରମ୍ଭ କରି ଗାଧେଇବା, କପଡ଼ା ସଫା କରିବା, ରନ୍ଧନ, ଶୌଚ ସହ ଅନ୍ୟାନ୍ୟ ସମସ୍ତ କାମ ପାଇଁ ଗାଆଁରେ ଥିବା ତିନି ଚାରୋଟି ନଳକୂପ ଉପରେ ନିର୍ଭର କରୁଛନ୍ତି । ୩ ୱାର୍ଡ ବିଶିଷ୍ଟ ଏହି ଗ୍ରାମର ଜନସଂଖ୍ୟା ୧୨୦୦ ରୁ ଅଧିକ । ପାନୀୟ ଜଳ ପାଇଁ ନଳକୂପ ଆଗରେ ମହିଳାମାନଙ୍କର ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ପ୍ରକାଶଥାଉ କି କିଛି ଦିନ ହେଲା ତରଭା ଅଞ୍ଚଳରେ ପାରଦ ୪୦ ଡିଗ୍ରିରୁ ଉପରେ ରହୁଛି । ପ୍ରବଳ ଗ୍ରୀଷ୍ମତାପ ଯୋଗୁଁ ଦିନ ୧୦ଟା ପରେ ଘରୁ ବାହାରିବା ସମ୍ଭବ ହେଉନାହିଁ । ଏମିତି ପରିସ୍ଥିତିରେ ପାନୀୟ ଜଳ ଦି ଟୋପା ପାଇଁ ବଡ଼ଯୋର ଗ୍ରାମବାସୀ ସଂଘର୍ଷ କରୁଛନ୍ତି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଟେପ୍ ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପ୍ରବଳ ଗ୍ରୀଷ୍ମତାପ ସମୟରେ ଏହା ସପ୍ତାହ ସପ୍ତାହ ଧରି ଅଚଳ ହୋଇ ପଡ଼ିରହିବା ସମ୍ପୃକ୍ତ ବିଭାଗର ଅପାରଗତାକୁ ଦର୍ଶାଉଛି । ଯଥାଶୀଘ୍ର ପଦକ୍ଷେପ ନେଇ ଏହାକୁ କାର୍ଯ୍ୟକ୍ଷମ କଲେ ସ୍ଥାନୀୟ ଜନତା ଏହି ଗ୍ରୀଷ୍ମତାପ ସମୟରେ ପାଣି ଦି ଟୋପା ପାଇପାରନ୍ତେ ବୋଲି ଗ୍ରାମବାସୀ ମତପ୍ରକାଶ କରିଛନ୍ତି ।
