କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଅବକାରୀ ବିଭାଗ କାର୍ଯ୍ୟାଳୟ ଅବ୍ୟବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଉକ୍ତ କାର୍ୟ୍ୟାଳୟ ଅବକାରୀ ବିଭାଗର ଅର୍ଥରେ ଗ୍ରାମ୍ୟ ଉନ୍ନୟନ(ଆରଡ଼ି) ବିଭାଗ ସହାୟତାରେ ୨୫ ଲକ୍ଷ ଟଙ୍କା ଵ୍ୟୟ କରି ନୂତନ କୋଠା ସ୍ଥାନୀୟ ଅଗ୍ନିଶମ ବିଭାଗ ନିକଟରେ ନିର୍ମାଣ କରାଯାଇଛି । ପ୍ରାୟ ୪ ବର୍ଷ ହେବ ଉକ୍ତ କୋଠା ନିର୍ମାଣ ହୋଇସାରିଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଅବକାରୀ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର ହୋଇପାରିନାହିଁ । ଉକ୍ତ କାର୍ଯ୍ୟାଳୟ ଠାରେ ପାନୀୟ ଜଳର ବ୍ୟବସ୍ଥା ହୋଇନଥିବାରୁ ତାହା ହସ୍ତାନ୍ତର ହୋଇନାହିଁ ବୋଲି ଜଣାପଡିଛି । ସେହିଠାରେ ବାରମ୍ବାର ବୋର ଖନନ କରିଥିଲେ ସୁଧା ପାଣି ବାହାରୁ ନଥିବା ଯୋଗୁଁ ଜଳ ଯୋଗାଣ ଓ ପରିମଳ ବିଭାଗ ସହାୟତାରେ ଅନ୍ୟତ୍ର ସ୍ଥାନାନ୍ତରେ ପାନୀୟ ବ୍ୟବସ୍ଥା କରିବା ପରେ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଧବଳେଶ୍ବର ପାତ୍ର କହିଛନ୍ତି ।
ସୂଚନାନୁଯାୟୀ, ପୂର୍ବରୁ ଅବକାରୀ ବିଭାଗ ଅଧିକାରୀମାନେ ସ୍ଥାନୀୟ କାଚରା ସାହିରେ ଭଡାରେ ରହୁଥିଲେ । କିନ୍ତୁ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ୫୦ କିମି ଦୂରତାରେ ରହୁଛନ୍ତି । ସରକାର ନିୟମ ଅନୁଯାୟୀ କାର୍ଯ୍ୟାଳୟ ଠାରୁ ୫ କିମି ଦୂରତା ମଧ୍ୟରେ ରହିବାକୁ ଥିବା ବେଳେ ୫୦ କିମି ଦୂରତା ରାୟଗଡରେ ରହିଆସୁଛନ୍ତି ।
