ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା, ପୋକରା ପରିବା

ବଲାଙ୍ଗିର : ବଲାଙ୍ଗିର ଗାନ୍ଧୀନଗରପଡ଼ାର ସରକାରୀ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଚା ଅଣ୍ଡା ଓ ପୋକରା ପରିବା ତରକାରୀ ଦିଆଯାଉଛି । ଏହି ଘଟଣା ଧରା ପଡ଼ିବାପରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ମଧ୍ୟାହ୍ନ ଭୋଜନ ରନ୍ଧା ଦାୟିତ୍ବରେ ଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀଙ୍କ ମଧ୍ୟରେ ଆଜି ପ୍ରବଳ ପାଟିତୁଣ୍ଡ ହୋଇଛି । ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ଉତ୍ସାହିତ କରିବାକୁ ପୁଷ୍ଟିକର ଖାଦ୍ୟ ଦିଆଯାଉଛି । ତେଣୁ ସରକାର ସ୍କୁଲରେ ମଧ୍ୟାହ୍ନ ଭୋଜନ ଯୋଜନା କରି ସପ୍ତାହକୁ ୨ ଦିନ ଡାଲି ଓ ସୋୟାବିନ ଓ ୨ ଦିନ ଅଣ୍ଡା ତରକାରୀ ଦେବା ବ୍ୟବସ୍ଥା କରିଛନ୍ତି । ମଧ୍ୟାହ୍ନ ଭୋଜନ ରୋଷେଇ କରି ଖାଇବାକୁ ଦେବା ପାଇଁ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି । ପିଲାଙ୍କୁ ସରକାରୀ ସରକାରୀ ସ୍କୁଲ ପ୍ରତି ଆକର୍ଷିତ କରିବା ସହ ମହିଳା ଏସ୍‌ଏଚ୍‌ଜିକୁ ସଶକ୍ତୀକରଣ ପାଇଁ ସରକାର ଏଭଳି ଯୋଜନା କରିଛନ୍ତି । ୧୮୭୭ରେ ସ୍ଥାପିତ ଏହି ସରକାରୀ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମାତ୍ର ୧୦୦ ମିଟର ଦୂରରେ ଥାଇ ଏଭଳି ଗୁରୁତର ଅବ୍ୟବସ୍ଥା ଲାଗିରହିଛି । ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ରାମଶ୍ୱେରନଗର ସ୍ଥିତ ମୁସ୍କାନ ସ୍ବୟଂ ସହାୟିକା ଗୋଷ୍ଠୀକୁ ନିୟୋଜିତ କରାଯାଇଛି । ଏହାର ସଭାନେତ୍ରୀ ଭାନୁମତି ସାହୁ ପ୍ରତି ଦିନ ଖାଦ୍ୟ ସାମଗ୍ରୀ ଆଣି ବିଦ୍ୟାଳୟର ପାଚିକାଙ୍କୁ ଦେଇଥାନ୍ତି । ତେବେ ସେ ବଜାରରୁ ଶସ୍ତାରେ ମିଳୁଥିବା ପଚାସଢ଼ା ଖାଦ୍ୟ ସାମଗ୍ରୀ ଆଣି ବିଦ୍ୟାଳୟରେ ଦେଉଛନ୍ତି ଓ ଏଥିରେ ଯେମିତି ହେଉ ଚଳେଇ ନିଅ ବୋଲି କହୁଥିବା ପାଚିକା ଅଭିଯୋଗ କରିଛନ୍ତି । ପଚସଢ଼ା ଖାଦ୍ୟସାମଗ୍ରୀ ଯୋଗାଣର ପ୍ରତିବାଦ କଲେ ସଭାନେତ୍ରୀ ଝଗଡ଼ା ଲାଗୁଛନ୍ତି ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଅନୀତା କ୍ରିଷ୍ଣା ସାଏ ଅଭିଯୋଗ କରିଛନ୍ତି । ଆଜି ସକାଳୁଆ ସ୍କୁଲ ଥିଲା । ଏସ୍‌ଏଚ୍‌ଜି ସଭାନେତ୍ରୀ ଶ୍ରୀମତୀ ସାହୁ ପଚା ଅଣ୍ଡା ଆଣି ପାଚିକାଙ୍କୁ ଦେଇଥିଲେ । ମଧ୍ୟାହ୍ନଭୋଜନରେ ପଚା ଅଣ୍ଡା ତରକାରୀ ଖାଇ ୨ ଜଣ ଛାତ୍ରଛାତ୍ରୀ ବାନ୍ତି କରିଥିଲେ । ତେଣୁ ପାଚିକାମାନେ ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାଏଙ୍କୁ ଜଣାଇଥିଲେ । ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି ଯେ ଏଭଳି ଅବ୍ୟବସ୍ଥା ସମ୍ପର୍କରେ ସେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ତଦାରଖ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଅନେକ ଥର ଜଣାଇଛନ୍ତି । ଥରେ ବିଦ୍ୟାଳୟ ପରିଦର୍ଶନରେ ଆସି ପିଲାଏ କିଭଳି ଖାଦ୍ୟ ଖାଉଛନ୍ତି ନିଜ ଆଖିରେ ଦେଖିଯାଆନ୍ତୁ ବୋଲି ଅନୁରୋଧ କରିଛନ୍ତି । କିନ୍ତୁ ସଂପୃକ୍ତ ଅଧିକାରୀ ଏଠାକୁ ଆସୁ ନାହାନ୍ତି ବୋଲି ପ୍ରଧାନ ଶିକ୍ଷୟିତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ଘଟଣା ସମ୍ପର୍କରେ ବଲାଙ୍ଗିର ଅତିରିକ୍ତ ଜିଲା ଶିକ୍ଷାଧିକାରୀ କେଶବ ମେହେରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ ଏଭଳି ଅଭିଯୋଗ ମିଳିନାହିଁ । ସ୍କୁଲକୁ ପଚା ଅଣ୍ଡା, ପଚା ପନିପରିବା ଯୋଗାଣ ହେଉଥିବା ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି । ମୁସ୍କାନ ସ୍ୱୟଂସହାୟିକା ଗୋଷ୍ଠୀ ଆସିବା ଦିନରୁ ବିଦ୍ୟାଳୟରେ ଏଭଳି ଖରାପ ଖାଦ୍ୟ ସାମଗ୍ରୀ ଦିଆଯାଉଛି ବୋଲି ସ୍ପଷ୍ଟ ଅଭିଯୋଗ କରୁଥିବାରୁ ମୁସ୍କାନ ଏସ୍‌ଏଚ୍‌ଜିର ସଭାନେତ୍ରୀ ଶ୍ରୀମତୀ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିନାହିଁ । ଏହି ଘଟଣାରେ ଜିଲା ଶିକ୍ଷା ବିଭାଗ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହେଉଛି । ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରୁ ମାତ୍ର ୧୦୦ ମିଟର ଦୂରରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଯଦି ଏଭଳି ପଚାଅଣ୍ଡା ସହ ପଚା ପନିପରିବା ଯୋଗାଣ ହେଉଛି, ତେବେ ଜିଲାର ଆଭ୍ୟନ୍ତରୀଣ ବିଦ୍ୟାଳୟରେ କିଭଳି ମଧ୍ୟାହ୍ନଭୋଜନ ଦିଆଯାଉଥିବ ବୋଲି ବୁଦ୍ଧିଜୀବୀ ମହଲରେ​‌ ଚିନ୍ତାବ୍ୟକ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *