ବାଲିଗୁଡା : କନ୍ଧମାଳ ଜିଲ୍ଲା କୋଟଗଡ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଶ୍ରୀରାମପୁର ବିଟର ଯୁବାଗୁଡା ଛକ ଜଙ୍ଗଲ ନିକଟରୁ ବନ ବିଭାଗ ମିଳିତ ଟିମ୍ ଛଦ୍ମବେଶରେ ଯାଇ ଚାଲାଣକାରୀ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଦୀର୍ଘ ମାସକର ପ୍ରଚେଷ୍ଟା ଫଳରେ କୋଟଗଡ ବନ ବିଭାଗକୁ ସଫଳତା ମିଳିଛି । ଜୀବନ୍ତ ମାଈ ବଜ୍ରକାପ୍ତା ବିକ୍ରି ସମୟରେ ବନପାଳ ପ୍ରଭାତ କୁମାର ଦୋରାଙ୍କ ନେତୃତ୍ବରେ ଫରେଷ୍ଟର ସୁଶାନ୍ତ କୁମାର ବୈଶାଖୀ, ଫରେଷ୍ଟ ଗାର୍ଡ ମିଳିତ ଟିମ୍ ଚଢ଼ାଉ କରି ବଜ୍ରକାପ୍ତା ଡିଲ୍ ସମୟରେ ଯୁବଗୁଡା ଛକ ଜଙ୍ଗଲରେ ଚାଲାଣକାରୀଙ୍କୁ ମାଡି ବସିଥିଲା । ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରି ପାରିଛି କୋଟଗଡ ବନ ବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବଜ୍ରକାପ୍ତା ଚୋରା ଚାଲାଣ ବୃଦ୍ଧି ପାଇଛି । ପୂର୍ବରୁ ମଧ୍ୟ ଏସଟିଏଫର ଟିମ୍ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ବାଲିଗୁଡା ମିଡ଼ିଆକିଆ ଅଂଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଚାଲାଣ ପଛରେ ବଡ଼ ରାକେଟ କାମ କରୁଥିବା ଅନୁମାନ କରାଯାଇଛି । ଶୁକ୍ରବାର ଚୋରା ଚାଲାଣକାରୀମାନେ ବଜ୍ରକାପ୍ତା ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ କୋଟଗଡ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ମିଳିତ ଟିମ୍ ଏହି ଚୋରା ବଜ୍ରକାପ୍ତାକୁ ଧରିବାରେ ସକ୍ଷମ ହୋଇଥିବା ସୂଚନା ଦେଇଛନ୍ତି । ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରାଯାଇ ପଚରା ଉଚରା ଚାଲିଥିବା ରେଞ୍ଜର ସୂଚନା ଦେଇଛନ୍ତି ।
